Advertisment

୧୩ ଯାଏ ଗିର‍ଫଦାରୀରୁ ସୁରକ୍ଷା ପାଇଲେ ଇମ୍ରାନ ଖାନ

ତାଙ୍କ ନାଁରେ ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରୱାନାକୁ ଆଜି ଇସଲାମାବାଦ ହାଇକୋର୍ଟ ଅସ୍ଥାୟୀ ଭାବେ ସସପେଣ୍ଡ କରିଦେଇଛନ୍ତି

author-image
Hemant Lenka
Imran Khan

Imran Khan

ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ମିଳିଛି ବଡ଼ ଆଶ୍ୱସ୍ତି। ତାଙ୍କ ନାଁରେ ଜାରି ହୋଇଥିବା ଜାମିନ ବିହୀନ ଗିରଫ ପରୱାନାକୁ ଆଜି ଇସଲାମାବାଦ ହାଇକୋର୍ଟ ଅସ୍ଥାୟୀ ଭାବେ ସସପେଣ୍ଡ କରିଦେଇଛନ୍ତି। ତୋଷଖାନା କେସ୍‌ରେ ଇମ୍ରାନ ଖାନଙ୍କୁ ସେସନ୍ସ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ହେଲେ ୪ଥର କୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସେ ହାଜର ହୋଇ ନଥିଲେ। ତେଣୁ ତାଙ୍କ ନାଁରେ କୋର୍ଟ ୱାରେଣ୍ଟ ଇସ୍ୟୁ କରିଥିଲେ। ତେବେ ଆଜି ହାଇକୋର୍ଟ ଏହି ୱାରେଣ୍ଟକୁ ମାର୍ଚ୍ଚ ୧୩ ଯାଏ ସସପେଣ୍ଡ କରିଦେଇଛନ୍ତି।

Advertisment

ଇସଲାମାବାଦ ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଆମେର ଫାରୁକ ଏପରି ରାୟ ଶୁଣାଣିଇଛନ୍ତି। ଏଥିସହ ସେ ୭୦ ବର୍ଷୀୟ ଇମ୍ରାନ ଖାନଙ୍କୁ ମାର୍ଚ୍ଚ ୧୩ ତାରିଖରେ ଜିଲ୍ଲା ଓ ସେସନ୍ସ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଇମ୍ରାନ ଖାନଙ୍କ ଓକିଲ ଶୁଣାଣି ବେଳେ ବ୍ୟକ୍ତିଗତ ହାଜିରା ପାଇଁ ୪ ସପ୍ତାହର ସମୟ ମାଗିଥିଲେ। କିନ୍ତୁ କୋର୍ଟ ଏହାକୁ ଖାରଜ କରିଦେଇଛନ୍ତି।

ଇମ୍ରାନ ଖାନ ପ୍ରଧାନମନ୍ତ୍ରୀ ଥିବା ବେଳେ ଅନେକ ଉପହାର ପାଇଥିଲେ। ଏହାକୁ ତୋଷଖାନାରେ ରଖାଯାଇଥିଲା। ତେବେ ସେ ଏହି ସବୁ ଦାମୀ ଉପହାରକୁ କମ ଦାମରେ ନିଜସ୍ୱ ବ୍ୟବହାର ପାଇଁ କଣିଥିଲେ। ଏହାପରେ ଅଧିକ ଦାମରେ ଅନ୍ୟମାନଙ୍କୁ ବିକ୍ରି କରି ଦେଇଥିବା ଅଭିଯୋଗ ହୋଇଛି।

Advertisment

ମଙ୍ଗଳବାର ତାଙ୍କୁ ଏହି ମାମଲାରେ ସେସନ୍ସ କୋର୍ଟରେ ହାଜର ହେବାକୁ ୪ର୍ଥ ଥର ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। କିନ୍ତୁ ସେ ସୁରକ୍ଷା ଓ ସ୍ୱାସ୍ଥ୍ୟଗତ କାରଣ ଦେଖାଇ ହାଜର ହୋଇ ନଥିଲେ।

କୋର୍ଟରେ ଇମ୍ରାନଙ୍କ ଓକିଲ ଶେର ଅଫଜଲ ମାରୱତ ହାଜର ହୋଇ ନିଜର ପକ୍ଷ ରଖିଥିଲେ। ଇମ୍ରାନ ଖାନ ଅସୁସ୍ଥ ଓ ୱାଜିରାବାଦ ଆକ୍ରମଣ ପରେ ସେ ଚଳପ୍ରଚଳ କରିପାରୁ ନଥିବା କୋର୍ଟଙ୍କୁ ଜଣାଇଥିଲେ। ତଥାପି କୋର୍ଟ ତାଙ୍କୁ ହାଜର ହେବାକୁ କହିଥିଲେ। ଏହା ବିରୋଧରେ ଇମ୍ରାନ ଖାନ ହାଇକୋର୍ଟ ଯାଇଥିଲେ। ହାଇକୋର୍ଟ ତାଙ୍କୁ ୧୩ ତାରିଖ ଯାଏ ସୁରକ୍ଷା ଦେଇଛନ୍ତି।

ସୂଚନାଯୋଗ୍ୟ, ରବିବାର ଇମ୍ରାନ ଖାନଙ୍କୁ ଗିରଫ କରିବା ପାଇଁ ପୁଲିସ୍‌ ଯାଇଥିଲା। ହେଲେ ସେ ସମସ୍ତଙ୍କୁ ଚକମା ଦେଖାଇ ଖସି ଯାଇଥିଲେ।

Pakistan Imran Khan