Sharif
ଭାରତ ବିରୋଧରେ ମିଛର ପ୍ରଚାର କରୁଥିବା ପାକିସ୍ତାନ ସେନା ମୁଖ୍ୟ ଆସିମ ମୁନିର ଏବେ ସବୁ ସୀମା ଟପି ଯାଇଛନ୍ତି। ନିଜ ମିଛର ନାଟକରେ ସେ ଏବେ ଦେଶର ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ସାମିଲ କରିଛନ୍ତି। ଭାରତ ସହ ବିବାଦ ସୃଷ୍ଟି କରି ମାଟି କାମୁଡ଼ିଥିବା ମୁନିର ଏବେ ନିଜର ଛବି ସୁଧାରିବାକୁ ଲାଗି ପଡ଼ିଛନ୍ତି।
ଭାରତର ଗୋଡ଼ ଧରି ଯୁଦ୍ଧ ବିରତି ଲାଗୁ କରିଥିବା ପାକିସ୍ତାନ ନିଜର ପ୍ରକୃତିକୁ ବଦଳାଇ ନାହିଁ। ଯୁଦ୍ଧ ବିରତି ଲାଗୁ ହେବା ପରେ ପାକିସ୍ତାନ ମନେମନେ ବିଜୟ ଘୋଷଣା କରି ପକାଇଥିଲା। ଏହା ଉପରେ ଭାରତ ବିରୋଧରେ ମିଛର ବଜାର ଖୋଲିଥିଲା।
ଏବେ ମୁନିର ମିଛର ସବୁ ସୀମା ପାର କରି ଯାଇଛନ୍ତି। ସେ ଭାରତ ବିରୋଧରେ ପାକିସ୍ତାନ କରିଥିବା ତଥାକଥିତ ଷ୍ଟ୍ରାଇକର ଗୋଟିଏ ଫଟୋକୁ ପ୍ରଧାନମନ୍ତ୍ରୀ ଶରିଫଙ୍କୁ ଦେଇଛନ୍ତି। ଏଥିରେ ଷ୍ଟ୍ରାଇକ ବେଳର ଦୃଶ୍ୟ ରହିଛି। ଫଟୋରେ ଥିବା ଦୃଶ୍ୟ ଭଳି ପାକିସ୍ତାନ ସେନା ଭାରତ ଉପରେ ଆକ୍ରମଣ କରିଥିବା ମୁନିର ଏଥିରେ ଦର୍ଶାଇଛନ୍ତି। କିନ୍ତୁ ବାସ୍ତବରେ ଏହା ଡାହା ମିଛ।
ମୁନିର ଉପହାର ଆକାରରେ ଯେଉଁ ଫଟୋକୁ ଭାରତ ବିରୋଧୀ ଷ୍ଟ୍ରାଇକ ବୋଲି କହି ଶରିଫଙ୍କୁ ଉପହାର ଦେଇଛନ୍ତି, ବାସ୍ତବରେ ତା’ହା ବହୁ ପୁରୁଣା। ସେହିପରି ଏହା ପାକିସ୍ତାନର କୌଣସି ଷ୍ଟ୍ରାଇକ ନୁହେଁ, ବରଂ ଚାଇନା ସେନା କରିଥିବା ସାମରିକ ଡ୍ରିଲର ଫଟୋ।
୨୦୧୯ରେ ଚାଇନା ସେନା ଡ୍ରିଲ କରିବା ବେଳେ ଏହାର ଫଟୋ ଓ ଭିଡିଓ ରେକର୍ଡ କରାଯାଇଥିଲା। ବିଭିନ୍ନ ଅନ୍ତର୍ଜାତୀୟ ଗଣମାଧ୍ୟମରେ ମଧ୍ୟ ଏହା ପ୍ରକାଶ ପାଇଛି। କିନ୍ତୁ ମୁନିର ଏହାକୁ ଭାରତ ବିରୋଧୀ ଷ୍ଟ୍ରାଇକ କହି ପ୍ରଧାନମନ୍ତ୍ରୀଙ୍କୁ ଉପହାର ଆକାରରେ ଦେବା ସମସ୍ତଙ୍କୁ ଚକିତ କରିଛି। ସତ ସାମ୍ନାକୁ ଆସିବା ପରେ ମୁନିରଙ୍କୁ ଲୋକହସ ହେବାକୁ ପଡ଼ିଛି।
ଅପରେସନ ସିନ୍ଦୂର ପରେ ପାକିସ୍ତାନ ଡ୍ରୋନ ଆଟାକ କରିଥିଲା। ଏହାର ଜବାବରେ ଭାରତୀୟ ସେନା ପାକିସ୍ତାନର ଏକାଧିକ ଏୟାର ବେସ୍କୁ ଧ୍ୱଂସ କରି ଦେଇଥିଲା। ଏହାର ଭିଡିଓ ଓ ଫଟୋ ଜାରି କରି ପାକିସ୍ତାନର କ୍ଷୟକ୍ଷତି ସମ୍ପର୍କରେ ପୂରା ବିଶ୍ୱକୁ ଜଣାଇଥିଲା। ପାକିସ୍ତାନ ମଧ୍ୟ ଭାରତର ବ୍ୟାପକ କ୍ଷୟକ୍ଷତି କରିଥିବା ଦାବି କରିଥିଲା। ହେଲେ ଭାରତୀୟ ସେନା ପାକିସ୍ତାନର ସବୁ ଦାବିକୁ ଫଟୋ, ଭିଡିଓ ଓ ସ୍ୟାଟେଲାଇଟ ଛବି ଦ୍ୱାରା ମିଛ ବୋଲି ପ୍ରମାଣିତ କରି ସାରିଛି।
ବାରମ୍ବାର ଲୋକହସା ହେବା ପରେ ମଧ୍ୟ ମୁନିର ଓ ତାଙ୍କ ଟିମ ମିଛ ବଜାରକୁ ବନ୍ଦ କରୁ ନାହାନ୍ତି। ସେମାନେ ପୁରୁଣା ଫଟୋକୁ ଜାରି କରି ଭାରତ ବିପକ୍ଷରେ ବିଜୟ ହାସଲ କରିଥିବା ଦାବି କରିବାରେ ଲାଗିଛନ୍ତି। ଏବେ ମୁନିର ଭାରତ ବିରୋଧୀ ଷ୍ଟ୍ରାଇକ କହି ଯେଉଁ ଫଟୋ ଶରିଫଙ୍କୁ ଦେଇଛନ୍ତି, ତାହା ମଧ୍ୟ ମିଛ ପ୍ରମାଣିତ ହୋଇଛି।
ଏହି ପୁରୁଣା ଫଟୋକୁ ୫ ବର୍ଷ ମଧ୍ୟରେ ଏକାଧିକ ଥର ବ୍ୟବହାର କରାଯାଇଥିଲା। ଏହା ପିଏଚଏଲ-୦୩ର ଫଟୋ। ଚାଇନିଜ ଭିତ୍ତିକ ଏହି ପିଏଚଏଲ-୦୩କୁ ମଲ୍ଟି ରକେଟ ଲଞ୍ଚର ଭାବେ ବ୍ୟବହାର କରାଯାଏ। ମୁନିର ଦେଖାଇଥିବା ଫଟୋ ପ୍ରଥମେ ୨୦୧୯ରେ ଶେୟାର ହୋଇଥିଲା। ଏହାକୁ ହୁଆଙ୍ଗ ହେ ନାମକ ଫଟୋଗ୍ରାଫର ଉଠାଇଥିଲେ।
ଏହି ଫଟୋକୁ ପାକିସ୍ତାନର ଫିଲ୍ଡ ମାର୍ଶଲ ଆସିମ ମୁନିର ଆୟୋଜନ କରିଥିବା ଗୋଟିଏ ନୈଶ୍ୟ ଭୋଜିରେ ପ୍ରଧାନମନ୍ତ୍ରୀ ଶରିଫଙ୍କୁ ଉପହାର ଆକାରରେ ଦେଇଛନ୍ତି। ଭାରତ ବିରୋଧରେ ହୋଇଥିବା ତଥାକଥିତ ଅପରେସନରେ ସାମିଲ ଥିବା ରାଜନେତା, ଆର୍ମି କର୍ମଚାରୀ ଓ ସାଧାରଣ ଲୋକଙ୍କ ସମ୍ମାନାର୍ଥେ ଏହି ପାର୍ଟିର ଆୟୋଜନ କରାଯାଇଥିଲା। ଭାରତ ଠାରୁ ମାତ ଖାଇ ପାକିସ୍ତାନ ଏପରି ପାର୍ଟିର ଆୟୋଜନ କରିବା ଓ ମୁହଁ ଫୁଟାଣି ଦେଖାଇବା ସୋଶାଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି।
ମୁନିର ଉପହାର ଆକାରରେ ଦେଇଥିବା ଫଟୋ ପାକିସ୍ତାନ ସେନା ଭାରତ ବିରୋଧରେ କରିଥିବା ଅପରେସନ ବୁନୟାନ ଅଲ ମାର୍ସୁସର ନୁହେଁ, ବରଂ ୨୦୧୯ ମସିହା ଚାଇନା ଡ୍ରିଲ ସମୟର ବୋଲି ସୋଶାଲ ମିଡିଆରେ ଗଦାଗଦା ପ୍ରମାଣ ସାମ୍ନାକୁ ଆସିବାରେ ଲାଗିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Sharif_1748255951.jpg)