Advertisment

ପ୍ରଥମଥର ବୟାନ ଜାରି କଲେ ରୁଷରେ ଲୁଚି ଥିବା ସିରିଆର ବିତାଡ଼ିତ ରାଷ୍ଟ୍ରପତି

ସେ ରୁଷରେ ଆଶ୍ରୟ ନେଇଥିବା କଥା ସ୍ୱୀକାର କରିଛନ୍ତି। ହେଲେ ରୁଷରେ ରାଜନୀତିକ ଆଶ୍ରୟକୁ ସେ ଆଦୌ ବିକଳ୍ପ ଭାବେ ବାଛି ନାହାନ୍ତି।

author-image
Hemant Lenka
Syria

Syria

ଭୟଙ୍କର ଗୃହଯୁଦ୍ଧ ପରେ ବିରୋଧୀ ଗୋଷ୍ଠୀଙ୍କ ଦ୍ୱାରା ବିତାଡ଼ିତ ହୋଇଥିବା ସିରିଆର ରାଷ୍ଟ୍ରପତି ବସର ଅଲ ଅସଦ ଏବେ ପରିବାର ସହ ରୁଷରେ ଆଶ୍ରୟ ନେଇଛନ୍ତି। ସେଠାରୁ ସେ ପ୍ରଥମଥର ପାଇଁ ବିଶ୍ୱବାସୀଙ୍କ ପାଇଁ ନିଜୟ ବୟାନ ଜାରି କରିଛନ୍ତି।

Advertisment

ସେ ରୁଷରେ ଆଶ୍ରୟ ନେଇଥିବା କଥା ସ୍ୱୀକାର କରିଛନ୍ତି। ହେଲେ ରୁଷରେ ରାଜନୀତିକ ଆଶ୍ରୟକୁ ସେ ଆଦୌ ବିକଳ୍ପ ଭାବେ ବାଛି ନାହାନ୍ତି। ବରଂ ଡାମସକସରେ ଘନଘନ ଡ୍ରୋନ ଆକ୍ରମଣ ଯୋଗୁ ରୁଷ ତାଙ୍କୁ ସେଠାରୁ ଉଦ୍ଧାର କରିଥିବା ଅସଦ ସଫେଇ ଦେଇଛନ୍ତି।

ରୁଷରୁ ଲିଖିତ ବିବୃତିରେ ଅସଦ କହିଛନ୍ତି, “ପ୍ରଥମତଃ ସିରିଆ ଛାଡ଼ିବାକୁ ମୁଁ ଯୋଜନା କରି ନଥିଲି କିମ୍ବା ଯୁଦ୍ଧର ଶେଷ ସମୟରେ ଏପରି କରିବି ବୋଲି ଭାବି ନଥିଲି। ଏପରି ଦାବି ଏବେ କିଛି ଜଣ କରି ଚାଲିଛନ୍ତି। ହେଲେ ସେମାନଙ୍କ ଦାବିରେ କୌଣସି ସତ୍ୟତା ନାହିଁ। ମୁଁ ଡାମସକସରେ ହିଁ ରହିଥିଲି। ରବିବାର ଭୋର ଯାଏ ଅର୍ଥାତ ଡିସେମ୍ବର ୮ ମୁଁ ସେଠାରେ ରହି ମୋ କର୍ତ୍ତବ୍ୟ କରି ଚାଲିଥିଲି।

Advertisment

ଆତଙ୍କବାଦୀମାନେ ଡାମସକସରେ ଅନୁପ୍ରବେଶ କରିବା ପରେ ମୁଁ ଲାଟ୍ଟାକିଆ ଚାଲି ଯାଇଥିଲି। ସହଯୋଗୀ ରୁଷର ସହାୟତାରେ ମୁଁ ସେଠାକୁ ଯାଇଥିଲି। ରବିବାର ସକାଳ ସମୟରେ ମୁଁ ହମେଇମିମ ଏୟାରବେସରେ ପହଞ୍ଚିଲା ବେଳକୁ ସ୍ପଷ୍ଟ ହୋଇଯାଇଥିଲା ଯେ ଆମ ସୁରକ୍ଷାବଳ ସଂପୂର୍ଣ୍ଣ ଭାବେ ସମସ୍ତ ଯୁଦ୍ଧ କ୍ଷେତ୍ରରୁ ଓହରି ଯାଇଛନ୍ତି।

ସେହିପରି ଶେଷ ଆର୍ମି ପୋଜିସନ ମଧ୍ୟ ଭୁଶୁଡ଼ି ପଡ଼ିଥିଲା। ଘନଘନ ଡ୍ରୋନ ଆଟାକ ହେଉଥିବାରୁ ରୁଷ ସେନା ମୋତେ ସେଠାରୁ ଉଦ୍ଧାର କରିଥିଲା। ରୁଷରେ ରାଜନୀତିକ ଶରଣ ନେବା କିମ୍ବା ସିରିଆ ଛାଡ଼ିବାର ମୋର କୌଣସି ଉଦ୍ଦେଶ୍ୟ ନଥିଲା।”

ନିଜର ବିବୃତିରେ ସିରିଆ ଆତଙ୍କବାଦୀଙ୍କ ହାତରେ ପଡ଼ିଥିବାରୁ ଅସଦ ଦୁଃଖ ପ୍ରକାଶ କରିଛନ୍ତି। ଏଥିସହ ସେ ନିଜକୁ ଦେଶ ପାଇଁ ଉତ୍ସର୍ଗକୃତ କରୁଥିବା ନେତା ଭାବେ ଚିତ୍ରଣ କରିଛନ୍ତି। ସେ ଦେଶ ଛାଡ଼ିବା ପଛରେ କୌଣସି ବ୍ୟକ୍ତିଗତ ଉଦ୍ଦେଶ୍ୟ ନଥିବା ମଧ୍ୟ ସ୍ପଷ୍ଟ କରିଛନ୍ତି।

ଅସଦ କହିଛନ୍ତି, “ମୁଁ କେବେ ହେଲେ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ କୌଣସି ପଦବୀ ହାସଲ କରିନାହିଁ। କିନ୍ତୁ ମୁଁ ସବୁବେଳେ ନିଜକୁ ଜାତୀୟ ପ୍ରକଳ୍ପର ରକ୍ଷକ ଭାବେ ଦେଖି ଆସିଛି। ସିରିଆର ଲୋକଙ୍କ ବିଶ୍ୱାସକୁ ନେଇ କାର୍ଯ୍ୟ କରିଛି।”

ଅସଦ ଦେଶରୁ ଚାଲି ଯାଇଥିଲେ ହେଁ ଏବେ ବି ସିରିଆବାସୀଙ୍କ ଉପରେ ତାଙ୍କର ବିଶ୍ୱାସ ରହିଥିବା କହିଛନ୍ତି। ଏଥିସହ ସିରିଆ ପୁଣି ଆତଙ୍କବାଦ କବଳରୁ ମୁକ୍ତ ହେବ ଓ ସ୍ୱାଧୀନତା ପାଇବ ବୋଲି ସେ ଆଶା ରଖିଥିବା ବିବୃତିରେ ଉଲ୍ଲେଖ କରିଛନ୍ତି।

୨୪ ବର୍ଷ ଧରି ଅସଦ ସିରିଆକୁ ଶାସନ କରି ଚାଲିଥିଲେ। କିନ୍ତୁ ନିକଟରେ ବିଦ୍ରୋହୀମାନେ ତାଙ୍କୁ ଗାଦିଚ୍ୟୁତ କରିବା ଲକ୍ଷ୍ୟରେ ଡାମସକସରେ ପ୍ରବେଶ କରିଥିଲେ। ସିରିଆ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ବିଦ୍ରୋହୀ ଗୋଷ୍ଠୀଙ୍କୁ ସେତେଟା ପ୍ରତିରୋଧ କରାଯାଇ ନଥିଲା। ସେମାନେ ଡାମସକସରେ ପ୍ରବେଶ କରିବା କ୍ଷଣି ଅସଦ ଅଜଣା ସ୍ଥାନକୁ ଚମ୍ପଟ ମାରିଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ରୁଷରେ ଥିବା ଜଣାପଡ଼ିଥିଲା।

Russia Syria