Advertisment

୧୬ ବର୍ଷରୁ କମ ବୟସ୍କଙ୍କୁ ସୋଶାଲ ମିଡିଆ ମନା: ଉଭୟ ଗୃହରେ ପାସ ହେଲା ବିଲ୍‌

ଯଦି କୌଣସି ସୋଶାଲ ମିଡିଆ ପ୍ଲାଟଫର୍ମ ଏହି ନିୟମକୁ ବେଖାତିର କରନ୍ତି କିମ୍ବା ୧୬ ବର୍ଷ କମ ବୟସ୍କ ପିଲା ଆକାଉଣ୍ଟ ଖୋଲିବାକୁ ସକ୍ଷମ ହୁଅନ୍ତି, ତା’ହେଲେ କମ୍ପାନୀ ଉପରେ ୫୦ ମିଲିୟନ ଅଷ୍ଟ୍ରେଲିଆ ମୁଦ୍ରାର ଫାଇନ ଲାଗୁ କରାଯିବ।

author-image
Hemant Lenka
AUS

AUS

ଏଣିକି ୧୬ ବର୍ଷରୁ କମ ବୟସ୍କ ପିଲାମାନେ ସୋଶାଲ ମିଡିଆ ବ୍ୟବହାର କରିପାରିବେ ନାହିଁ। ସେମାନେ ସୋଶାଲ ମିଡିଆରେ କୌଣସି ପ୍ରକାରର ଆକାଉଣ୍ଟ ଖୋଲି ପାରିବେ ନାହିଁ। ଏଭଳି ଏକ ନିୟମ ରହିଥିବା ବିଲ ଅଷ୍ଟ୍ରେଲିଆର ଉଭୟ ସଦନରେ ପାରିତ ହୋଇଛି।

Advertisment

ବୁଧବାର ଏହି ବିଲ୍‌କୁ ଅଷ୍ଟ୍ରେଲିଆର ନିମ୍ନ ସଦନରେ ପାରିତ କରାଯାଇଥିଲା। ଆଜି ଏହା ଉଚ୍ଚ ସଂସଦରେ ପାରିତ ହୋଇଛି। ରାଷ୍ଟ୍ରପତିଙ୍କ ମୋହର ବାଜିବା ମାତ୍ରେ ଏହା ଆଇନରେ ପରିଣତ ହୋଇଯିବ।

ଅଷ୍ଟ୍ରେଲିଆ ବିଶ୍ୱର ପ୍ରଥମ ଦେଶ ଭାବେ ଛୋଟ ପିଲାଙ୍କ ସୋଶାଲ ମିଡିଆ ବ୍ୟବହାର ଉପରେ ରୋକ ଲଗାଇଛି। ଫେସବୁକ, ଇନଷ୍ଟାଗ୍ରାମ, ଏକ୍ସ ଓ ଟିକଟକ ଭଳି ସଂସ୍ଥାକୁ ଚ୍ୟାଲେଞ୍ଜ ଦେଇ ଅଷ୍ଟ୍ରେଲିଆ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି। ସଂସଦର ଉଭୟ ସଦନରେ ବିଲ ପାରିତ ହୋଇଥିବାରୁ ସୋଶାଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ଛୋଟ ପିଲା ଯେମିତି ଆକାଉଣ୍ଟ ନ ଖୋଲିପାରିବେ, ସେନେଇ ପଦକ୍ଷେପ ଗ୍ରହଣ କରିବେ।

Advertisment

ଯଦି କୌଣସି ସୋଶାଲ ମିଡିଆ ପ୍ଲାଟଫର୍ମ ଏହି ନିୟମକୁ ବେଖାତିର କରନ୍ତି କିମ୍ବା ୧୬ ବର୍ଷ କମ ବୟସ୍କ ପିଲା ଆକାଉଣ୍ଟ ଖୋଲିବାକୁ ସକ୍ଷମ ହୁଅନ୍ତି, ତା’ହେଲେ କମ୍ପାନୀ ଉପରେ ୫୦ ମିଲିୟନ ଅଷ୍ଟ୍ରେଲିଆ ମୁଦ୍ରାର ଫାଇନ ଲାଗୁ କରାଯିବ।

ଏହାପୂର୍ବରୁ ଚାଇନାରେ ଛୋଟ ପିଲାଙ୍କ ସୋଶାଲ ମିଡିଆ ବ୍ୟବହାର ଉପରେ କଟକଣା ଲାଗୁ କରାଯାଇଥିଲା। ୨୦୨୧ରୁ ଚାଇନା ନିୟମ ପ୍ରଣୟନ କରିଛି ଯେ ୧୪ ବର୍ଷରୁ କମ ବୟସ୍କମାନେ ଦିନକ ମଧ୍ୟରେ ୪୦ ମିନିଟରୁ ଅଧିକ ସମୟ Douyinକୁ ବ୍ୟବହାର କରିପାରିବେ ନାହିଁ। Douyin ହେଉଛି ଚାଇନାର ଟିକଟକ ଭର୍ସନ।

ସେହିପରି ପିଲାମାନଙ୍କ ପାଇଁ ଅନଲାଇନ ଗେମ ଉପରେ ମଧ୍ୟ କଟକଣା ରହିଛି। ହେଲେ ଅଷ୍ଟ୍ରେଲିଆ ବିଶ୍ୱର ପ୍ରଥମ ଦେଶ ଭାବେ ଛୋଟ ପିଲାଙ୍କ ପାଇଁ ସୋଶାଲ ମିଡିଆର ବ୍ୟବହାର ଉପରେ ସଂପୂର୍ଣ୍ଣ ବ୍ୟାନ ଲଗାଇବାକୁ ଯାଉଛି।

ସୋଶାଲ ମିଡିଆ ସର୍ବନିମ୍ନ ବୟସ ବିଲକୁ ଅଷ୍ଟ୍ରେଲିଆର ଅଧିକାଂଶ ସାଂସଦ ସମର୍ଥନ କରିଛନ୍ତି। ପୂର୍ବରୁ ମଧ୍ୟ ଅନେକ ସଦସ୍ୟ ସୋଶାଲ ମିଡିଆର ବ୍ୟବହାର ଉପରେ କଟକଣା ଲଗାଇବାକୁ ଦାବି କରି ଆସୁଥିଲେ। ସୋଶାଲ ମିଡିଆରେ ଆସୁଥିବା କଣ୍ଟେଣ୍ଟ ପିଲାମାନଙ୍କ ମାନସିକତା ଉପରେ ଖରାପ ପ୍ରଭାବ ପକାଉଥିବା ସେମାନେ ଯୁକ୍ତି କରିଥିଲେ। ଏବେ ଏହି ବିଲ୍‌ ପାସ ହୋଇଥିଲେ ହେଁ ଅଷ୍ଟ୍ରେଲିଆରେ ଏହାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଛି।

ଏହି ନିୟମର ଟ୍ରାଏଲ ପ୍ରକ୍ରିୟା ଜାନୁଆରୀ ମାସରୁ ଆରମ୍ଭ ହେବ। ବର୍ଷକ ମଧ୍ୟରେ ପୂରା ଦେଶରେ ଏହାକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ତେବେ ସୋଶାଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ କେମିତି ଜଣେ ୧୬ ବର୍ଷର ପିଲା ଆକାଉଣ୍ଟ ଖୋଲିବାକୁ ଚେଷ୍ଟା କରୁଛନ୍ତି, ସେକଥା ଜାଣିବେ ସେସମ୍ପର୍କରେ ବିସ୍ତୃତ ଭାବେ ତଥ୍ୟ ମିଳିନାହିଁ। ସମ୍ଭବତଃ ଏନେଇ ନୂଆ ଗାଇଡଲାଇନ ଜାରି କରାଯିବ କିମ୍ବା ସୋଶାଲ ମିଡିଆ ପ୍ଲାଟଫର୍ମ ଗୁଡ଼ିକ ନିଜ ଆଡ଼ୁ ଏନେଇ ନିୟମ ପ୍ରଣୟନ କରିବେ।

Social Media Australia