ବାଲେନ ଶାହ
Nepal Election Results: ନେପାଳ ଜେନ ଜେଡ ଝଡ଼ର ଚେହେରା ବାଲେନ ଶାହଙ୍କ ଯାଦୁ। ହିଂସାମତ୍କ ଜେନ ଜେଡ ଆନ୍ଦୋଳନ ପରେ ନିଜର ଦଳ ଗଠନ କରିଥିବା ବାଲେନ ଶାହ ଏବେ ନେପାଳର କ୍ଷମତା ଦଖଲ କରିବା ଦିଗରେ ଆଗେଇ ଚାଲିଛନ୍ତି।
ନେପାଳ ସଂସଦୀୟ ନିର୍ବାଚନରେ ବାଲେନ ଶାହଙ୍କ ରାଷ୍ଟ୍ରୀୟ ସ୍ୱତନ୍ତ୍ର ପାର୍ଟି(ଆରଏସ୍ପି)ର ଏକତରଫା ପ୍ରଦର୍ଶନ। ନେପାଳର ୨୭୫ ଲୋକସଭା ଆସନରୁ ଭୋଟିଂ ହେଉଥିବା ୧୬୫ ଆସନରେ ବାଲେନଙ୍କ ଦଳ ବଡ଼ ବିଜୟ ଦିଗରେ ଆଗେଇ ଚାଲିଛି।
ନେପାଳରେ ୧୬୫ଟି ଆସନ ପାଇଁ ସିଧାସଳଖ ଭୋଟିଂ ହୋଇଥାଏ। ବାକି ୧୧୦ ଆସନ ଅନୁପାତିକ ପ୍ରତିନିଧିତ୍ୱ ବ୍ୟବସ୍ଥା ଦ୍ୱାରା ହୋଇଥାଏ। ଅର୍ଥାତ ଯେଉଁ ଦଳକୁ ଯେତେ ପ୍ରତିଶତ ଭୋଟ ମିଳିବ, ସେହି ଅନୁସାରେ ୧୧୦ ଆସନରୁ ସେମାନଙ୍କୁ ସାଂସଦ ଚୟନ ପାଇଁ ଅନୁମତି ମିଳିବ। ଗୁରୁବାର ନେପାଳରେ ୧୬୫ଟି ଆସନ ପାଇଁ ସିଧାଳସଖ ଭୋଟ ହୋଇଥିବା ବେଳେ ଆଜି ଗଣତି ଚାଲିଛି।
ବର୍ତ୍ତମାନ ସୁଦ୍ଧା ହୋଇଥିବା ଗଣତି ଅନୁସାରେ ବାଲେନ ଶାହଙ୍କ ଆରଏସପି ୧୦୨ଟି ଆସନରେ ଲିଡ କରୁଛି। ପୂର୍ବତନ ପ୍ରଧାନମନ୍ତ୍ରୀ ତଥା CPN (UML) କେପି ଶର୍ମା ଓଲି ୧୧ଟି ଆସନରେ ଆଗରେ ରହିଛନ୍ତି। ସେହିପରି ଗଗନ ଥାପ୍ପାଙ୍କ ନେପାଳୀ କଂଗ୍ରେସ ମଧ୍ୟ ୧୧ଟି ଆସନରେ ଜିତିବାର ସମ୍ଭାବନା ସୃଷ୍ଟି କରିଛି।
ଝାପା-୫ ଆସନରେ ସିଧାସଳଖ ବାଲେନ ଶାହ ଓ କେପି ଓଲି ଶର୍ମାଙ୍କ ମଧ୍ୟରେ ଟକ୍କର ହେଉଛି। କିନ୍ତୁ ଏଠାରେ ବାଲେନ ଶାହ ଲିଡ କରୁଛନ୍ତି। ବର୍ତ୍ତମାନ ସୁଦ୍ଧ ବାଲେନଙ୍କୁ ୭ ହଜାର ଭୋଟ ମିଳିଥିବା ବେଳେ ଓଲି ଶର୍ମା ୧୪ ଶହ ଭୋଟ ପାଇଛନ୍ତି। ସେହିପରି ଆଉ କିଛି ସ୍ଥାନରେ ଆରଏସ୍ପି ପ୍ରାର୍ଥୀମାନେ ବିଜୟୀ ହୋଇ ସାରିଲେଣି। ଯଦି ଏହି ଟ୍ରେଣ୍ଡ ଜାରି ରହିବ, ତା’ହେଲେ ରେକର୍ଡ ବିଜୟ ସହ ବାଲେନ ଶାହ ନେପାଳର ପ୍ରଧାନମନ୍ତ୍ରୀ ହୋଇ ପାରନ୍ତି।
ପ୍ରଧାନମନ୍ତ୍ରୀ ହେବା ପାଇଁ ନେପାଳ ସଂସଦରେ ୧୩୮ ଜଣ ସାଂସଦଙ୍କ ସମର୍ଥନ ଆବଶ୍ୟକ। ଏଥିପାଇଁ ସିଧାସଳଖ ଭୋଟିଂ ହେଉଥିବା ଆସନଗୁଡ଼ିକ ଜିତିବା ସହ ନିଜର ଭୋଟ ଭାଗ ମଧ୍ୟ ବୃଦ୍ଧି କରିବାକୁ ପଡ଼ିବ। ଏବେ ବାଲେନ ଶାହଙ୍କ ଦଳ ଭୋଟିଂ ହୋଇଥିବା ୨/୩ ଆସନରେ ଲିଡ କରୁଛି। ହେଲେ ଦଳର ଭୋଟ ଶେୟାର କେତେ ରହିଛି, ସେକଥା ଜଣାପଡ଼ିନି।
ବାଲେନ ଶାହ ଏକଦା କାଠମାଣ୍ଡୁ ମହାନଗର ପାଳିକାର ମେୟର ଭାବେ କାମ କରୁଥିଲେ। କିନ୍ତୁ ଖୁବଶୀଘ୍ର ସେ ନେପାଳର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ମଧ୍ୟ ନେଇ ପାରନ୍ତି। ଯୁବଗୋଷ୍ଠୀଙ୍କୁ ନିର୍ବାଚନ ଜରିଆରେ ସେ ପରିବର୍ତ୍ତନର ଆହ୍ୱାନ ଦେଇଥିଲେ। ଏବେ ଏହା ସତ ହେବାର ଯଥେଷ୍ଟ ସମ୍ଭାବନା ରହିଛି।
୨୦୨୫ରେ ଓଲି ସରକାର ବିରୋଧରେ ନେପାଳର ଯୁବଗୋଷ୍ଠୀ ଯୁଦ୍ଧଂଦେହୀ ଡାକରା ଦେବାରୁ ନେପାଳ ସ୍ଥିତି ବେକାବୁ ହୋଇଥିଲା। ଓଲି ସରକାର ଦୁର୍ନୀତି ଗ୍ରସ୍ତ ବୋଲି ଯେଉଁ ନାରା ଦିଆଯାଇଥିଲା, ତାହା ବିସ୍ଫୋରକ ରୂପ ନେଇଥିଲା। ପୋଡ଼ାଜଳା ଓ ଭଙ୍ଗାରୁଜା ତଥା ଜେନ ଜେଡ ବିକ୍ଷୋଭକାରୀଙ୍କ ଚାପ ଯୋଗୁ ନେପାଳର ପ୍ରଧାନମନ୍ତ୍ରୀ ପଦରୁ କେପି ଶର୍ମା ଓଲି ଇସ୍ତଫା ଦେଇଥିଲେ।
ଏହାପରେ ନେପାଳରେ ଏବେ ନିର୍ବାଚନ ହୋଇଛି। ନିର୍ବାଚନରେ ନେପାଳର ପ୍ରାୟ ସବୁ ବର୍ଗର ଲୋକ ବାଲେନ ଶାହଙ୍କୁ ସମର୍ଥନ କରୁଛନ୍ତି। ସେ ଚିରାଚରିତ ଢଙ୍ଗ ବଦଳରେ ବେଶ ନାଟକୀୟ ଭାବେ ରାଜନୀତିରେ ପ୍ରବେଶ କରିଥିବାରୁ ସମସ୍ତଙ୍କ ଧ୍ୟାନ ମଧ୍ୟ ଆକର୍ଷଣ କରିପାରିଛନ୍ତି।
ବାଲେନ ଶାହ କିଏ?
ବାଲେନ ଶାହ କାଠମାଣ୍ଡୁର ମେୟର ପଦ ଦଖଲ କରିବା ବେଶ ନାଟକୀୟ ଥିଲା। ଜଣେ ରାପ୍ପର ଭାବେ ସେ ସହରର ବିଭିନ୍ନ ଛାତ ଉପରେ ଗୀତ ଗାଉଥିଲେ। ସେ ନିଜର ଗୀତ ଓ ସଂଗୀତ ମାଧ୍ୟମରେ ଦେଶର ଗରିବୀ, ବିକାଶ ଓ ରାଜନୀତିକ ଦୁର୍ନୀତି ପ୍ରସଙ୍ଗ ସମସ୍ତଙ୍କ ସାମ୍ନାକୁ ଆସୁଥିଲେ। ତାଙ୍କ ଗୀତ, ବିଶେଷ କରି ଲୋକପ୍ରିୟ ‘ବଳିଦାନ’କୁ ୟୁଟ୍ୟୁବରେ ୭ ମିଲିୟନ ଲୋକ ଦେଖିଥିଲେ। ଦେଶର ପାରମ୍ପରିକ ରାଜନୀତି ଦ୍ୱାରା ହତାଶ ହୋଇ ପଡ଼ିଥିବା ଯୁବଗୋଷ୍ଠୀ ଏହା ଦ୍ୱାରା ଅନୁପ୍ରାଣିତ ହୋଇଥିଲେ।
ଏହି କଳାତ୍ମକ ଦକ୍ଷତା ବ୍ୟତୀତ ବାଲେନ ଶାହଙ୍କ ପାଖରେ ଇଞ୍ଜିନିୟରିଂ ଡିଗ୍ରୀ ମଧ୍ୟ ରହିଛି। ୨୦୨୨ ମେୟର ନିର୍ବାଚନ ବେଳେ ସେ ଏକଥା ସମସ୍ତଙ୍କୁ ଜଣାଇ ନିଜର ପ୍ରଚାର କରିଥିଲେ। ରାଜନୀତିକ ପରିବାର କିମ୍ବା ରାଜନୀତିକ ଦଳରୁ ଆସି ନଥିବାରୁ ତାଙ୍କୁ ସମସ୍ତେ ପସନ୍ଦ କରିଥିଲେ। ସେ ଜଣେ ତୃଣମୂଳ ସ୍ତରର ନେତା ଭାବେ ନିଜରକୁ ଗଢ଼ି ପାରିଥିଲେ। ୨୦୨୨ ମେୟର ନିର୍ବାଚନରେ ସେ ସବୁ ରାଜନୀତିକ ଦଳର ପ୍ରାର୍ଥୀଙ୍କୁ ପଛରେ ପକାଇ କାଠମାଣ୍ଡୁ ମହାନଗର ପାଳିକା ନିର୍ବାଚନ ଜିତିଥିଲେ।
ନିଜର ବିରଳ ପ୍ରଚାର ଓ ଲୁକ ପାଇଁ ସେ ସମସ୍ତଙ୍କ ଠାରୁ ଅଲଗା ଦିଶୁଥିଲେ। ଗୋଟିଏ କଳା ରଙ୍ଗର ବ୍ଲେଜର, ଜିନ୍ସ, ଚାରି କୋଣିଆ ସନଗ୍ଲାସ ଓ କାନ୍ଧରେ ନେପାଳୀ ପତାକା ପକାଇ ସେ ପ୍ରଚାର ଆରମ୍ଭ କରିଥିଲେ। ଦେଶର ପତାକାକୁ ସେ ଅପମାନିତ କରୁଥିବା ଯେତେବେଳେ ବି ଅଭିଯୋଗ କରାଯାଉଥିଲା ସେତେବେଳେ ତାଙ୍କ ଲୋକପ୍ରିୟତା ଆହୁରି ବଢ଼ୁଥିଲା।
ତାଙ୍କ ସପକ୍ଷରେ କାଠମାଣ୍ତୁର ଯୁବଗୋଷ୍ଠୀ ଦୃଢ଼ ଭାବେ ଛିଡ଼ା ହୋଇଥିଲେ। ଯୁବଗୋଷ୍ଠୀଙ୍କ ସମର୍ଥନ ହାସଲ କରିଥିବା ବାଲେନ ଶାହ ସ୍ୱାଧୀନ ପ୍ରାର୍ଥୀ ହୋଇଥିଲେ। ସେ କୌଣସି ରାଜନୀତିକ ଦଳ ସହ ମେଣ୍ଟ କରି ନଥିଲେ।
ମାତ୍ର ୩୩ ବର୍ଷ ବୟସରେ ସେ ନୂଆ ରାଜନୀତିକ ସ୍ୱର ଓ ସମ୍ଭାବନା ସାଜି ମେୟର ନିର୍ବାଚନକୁ ଏକତରଫା ଭାବେ ବିଜୟ ହାସଲ କରିଥିଲେ। ତାଙ୍କ ବିଜୟ ନେପାଳ ରାଜନୀତିରେ ନୂଆ ପରିବର୍ତ୍ତନର ସଙ୍କେତ ଦେଇଥିଲା। ୨୦୨୨ରେ ବାଲେନ ଶାହ ଜିତିବା ପରେ ମଧ୍ୟ ତୃଣମୂଳ ସ୍ତରକୁ ଯାଉଛନ୍ତି। ତାଙ୍କୁ ଦେଖି ଯୁବଗୋଷ୍ଠୀ ରାଜନୀତିକୁ ଆସିବାକୁ ମନବାଳାଇଛନ୍ତି। ୩୩ ବର୍ଷ ବୟସରେ ସେ ଯୁବଗୋଷ୍ଠୀଙ୍କ ଆଦର୍ଶ ପାଲଟି ଯାଇଛନ୍ତି।
ସେ ସାବିନା କାଫ୍ଲେଙ୍କୁ ବିବାହ କରିବା ସହ ସୋଶାଲ ମିଡିଆରେ ବେଶ ସକ୍ରିୟ। ସବୁବେଳେ ସେ ସମାଜିତକ ଓ ରାଜନୀତିକ ପ୍ରସଙ୍ଗରେ ଯୁବଗୋଷ୍ଠୀଙ୍କ ସହ ଆଲୋଚନା ଜାରି ରଖିଛନ୍ତି। ଏବେ ଓଲି ସରକାରର ପତନ ପରେ ସମସ୍ତେ ବାଲେନ ଶାହଙ୍କୁ ଦେଶର ନେତୃତ୍ୱ ନେବାକୁ କହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/06/balen-shah-2026-03-06-17-10-52.jpg)