/odisha-reporter/media/media_files/2026/02/16/bla-2026-02-16-13-24-02.jpg)
୭ ପାକ ସୈନ୍ୟ ପଣବନ୍ଦୀ
ପାକିସ୍ତାନ ସେନାର ୭ ଜଣ ଯବାନଙ୍କୁ ପଣବନ୍ଦୀ କରିଛି ବାଲୋଚ ମୁକ୍ତି ସେନା ବା ବିଏଲଏ। ଅପରେସନ ହେରୋଫ ଫେଜ ୨ ଜରିଆରେ ବିଏଲଏ(BLA) ୭ ପାକିସ୍ତାନୀ ସୈନ୍ୟଙ୍କୁ ଖୁଜଦର ସ୍ଥିତ ଓରାଞ୍ଚ ଠାରେ ପଣବନ୍ଦୀ କରିଥିବା ଦାବି କରିଛି। ବିଏଲଏର ମିଡିଆ ୱିଙ୍ଗ ହକ୍କାଲ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି ଯେ ୭ ପାକିସ୍ତାନୀ ସୈନ୍ୟଙ୍କୁ ପଣବନ୍ଦୀ କରାଯାଇଛି। ଏଥିସହ ପାକିସ୍ତାନ ସେନାକୁ ସମ୍ଭାବ୍ୟ କଏଦ ଅଦଳବଦଳ ପାଇଁ ୭ ଦିନର ସମୟ ମଧ୍ୟ ଦିଆଯାଇଛି।
ବିବୃତି ସହ ବିଏଲଏ ପକ୍ଷରୁ ଗୋଟିଏ ଭିଡିଓ ମଧ୍ୟ ସାର୍ବଜନୀନ କରାଯାଇଛି। ଏଥିରେ ଦେଖିବାକୁ ମିଳୁଛି ଯେ ପାକିସ୍ତାନ ସେନା ୟୁନିଫର୍ମରେ ୭ ଜଣ ବ୍ୟକ୍ତି ଆଣ୍ଠେଇ ବସିଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ଭିଡିଓରେ ନିଜକୁ ପାକିସ୍ତାନୀ ସୈନ୍ୟ ଭାବେ ପରିଚୟ ଦେଇ କହୁଛନ୍ତି ଯେ ୨୦୨୨ ଅକ୍ଟୋବର ମାସରେ ସେ ନିଯୁକ୍ତି ପାଇଥିଲେ। ସେ ସେନା ବାହିନୀରୁ ଛୁଟି ନେଇ କରାଚି ସ୍ଥିତ ଘରକୁ ଯାଉଥିବା ବେଳେ ତାଙ୍କୁ ବିଏଲଏ ପକ୍ଷରୁ ଅପହରଣ କରାଯାଇଛି।
ଏବେ ସେ ପଣବନ୍ଦୀ ଅବସ୍ଥାରେ ରହିଛନ୍ତି ଓ ପାକିସ୍ତାନ ସେନାକୁ ବିଏଲଏ ଦାବି ମାନି ନେବାକୁ ଅନୁରୋଧ କରିଛନ୍ତି। ପାକିସ୍ତାନ ସେନା ବିଏଲଏର ଦାବିକୁ ମାନିନେଲେ ୭ ବନ୍ଧକ ସୁରକ୍ଷିତ ଭାବେ ମୁକୁଳି ପାରିବେ ବୋଲି ସେ ଆଶା କରିଛନ୍ତି।
ଭିଡିଓରେ ଆହୁରି ଦେଖିବାକୁ ମିଳୁଛି ଯେ ଅନେକ ସଂଖ୍ୟକ ବନ୍ଧୁକ ଓ ଗୁଳିଗୋଳାକୁ ବିଏଲଏ ସଦସ୍ୟମାନେ ଜବତ କରିଛନ୍ତି। ଅପରେସନ ସମୟରେ ଏତେ ପରିମାଣର ଗୁଳିଗୋଳା ଓ ବନ୍ଧୁକ ପାକିସ୍ତାନୀ ସୈନ୍ୟମାନଙ୍କ ଠାରୁ ଜବତ ହୋଇଥିବା ସଂଗଠନ ଦାବି କରିଛି। ତେବେ ବିଏଲଏ ଜାରି କରିଥିବା ଭିଡିଓରେ କେତେ ସତ୍ୟତା ରହିଛି ଓ ପଣବନ୍ଦୀ ଥିବା ୭ ବ୍ୟକ୍ତି ପାକିସ୍ତାନୀ ସୈନ୍ୟ କି ନୁହେଁ, ସେକଥା ଜଣାପଡ଼ିନି। ପାକିସ୍ତାନ ସେନା ମଧ୍ୟ ଏ ସମ୍ପର୍କରେ ଏଯାଏ କୌଣସି ବିବୃତି ଜାରି କରିନାହିଁ।
ଏହାପୂର୍ବରୁ ବିଏଲଏ ଅପରେସନରେ ପ୍ରାଣ ହରାଇଥିବା ଜଣେ ପାକିସ୍ତାନ ସେନା ଅଧିକାରୀଙ୍କ ଲାହୋର ସ୍ଥିତ ଘରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ ମାରୟମ ନୱାଜ ଶରିଫ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
