Advertisment

ଜାଫର ଏକ୍ସପ୍ରେସ ଅପହରଣର ଭିଡିଓ ଜାରି କଲେ, ପାକିସ୍ତାନର ମୁଖା ଖୋଲିଲେ ବେଲୁଚି ବିଦ୍ରୋହୀ

ପାକିସ୍ତାନ ଠାରୁ ଅଲଗା ହେବାକୁ ଦାବି କରୁଥିବା ବିଏଲଏ ମାର୍ଚ୍ଚ ୧୧ରେ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲା।

author-image
Hemant Lenka
BLA

BLA

ପ୍ରାୟ ୨ ମାସ ତଳେ ବେଲୁଚିସ୍ତାନରେ ବେଲୁଚି ମୁକ୍ତି ସେନା ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲେ। ଏଥିରେ ଥିବା ୪୫୦ ଜଣ ଯାତ୍ରୀଙ୍କୁ ସେମାନେ ଦୁଇ ଦିନ କାଳ ପଣବନ୍ଦୀ କରି ରଖିଥିଲେ। ଘଟଣାର ଦୁଇ ମାସ ପରେ ବିଏଲଏର ମିଡିଆ ୱିଙ୍ଗ ପୂରା ଅପରେସନର ଭିଡିଓ ଜାରି କରିଛି। ୩୫ ମିନିଟର ଏହି ଭିଡିଓରେ ଅପରେସନର ସବୁ ଦୃଶ୍ୟ ରହିଥିବା ବେଳେ ପାକିସ୍ତାନ ସରକାର ଓ ସେନା କରୁଥିବା ଦାବିର ଅସଲ ମୁଖା ଖୋଲି ଯାଇଛି।

Advertisment

ପାକିସ୍ତାନ ଠାରୁ ଅଲଗା ହେବାକୁ ଦାବି କରୁଥିବା ବିଏଲଏ ମାର୍ଚ୍ଚ ୧୧ରେ ପେଶାୱର ଯାଉଥିବା ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲା। ସେମାନେ ଟ୍ରାକକୁ ବିସ୍ଫୋରଣ କରି ଉଡ଼ାଇ ଦେବା ପରେ ଟ୍ରେନକୁ ନିଜ ନିୟନ୍ତ୍ରଣକୁ ନେଇଥିଲେ। ଡାରା-ଇ-ବୋଲାନ ୨.୦ କୋଡ ନାଁରେ ଆରମ୍ଭ ହୋଇଥିବା ଅପରେସନ ଦୁଇ ଦିନ ଧରି ଚାଲିଥିଲା। ଦୁଇ ଦିନ ଧରି ପୂରା ପାକିସ୍ତାନରେ ଆତଙ୍କ ଖେଳି ଯାଇଥିଲା।

ଦୁଇ ଦିନ ପରେ ପାକିସ୍ତାନ ସରକାର ଓ ସେନା ଦାବି କରିଥିଲେ ଯେ ସେମାନେ ୩୦ରୁ ଅଧିକ ବିଏଲଏ ସଦସ୍ୟଙ୍କୁ ନିପାତ କରି ସମସ୍ତ ପଣବନ୍ଦୀଙ୍କୁ ସୁରକ୍ଷିତ ଉଦ୍ଧାର କରିଛୁ। କିନ୍ତୁ ଆଜି ବିଏଲଏ ଜାରି କରିଥିବା ୩୫ ମିନିଟର ଭିଡିଓ କିଛି ଅଲଗା କଥା କହୁଛି। ଏହି ଭିଡିଓ ପ୍ରଥମଥର ପାଇଁ ପୂରା ଅପରେସନ କେମିତି ଆରମ୍ଭ ହୋଇଥିଲା? କେମିତି ବିଏଲଏ ଯୋଜନା ବଦ୍ଧ ଭାବେ ଏହାକୁ କାର୍ଯ୍ୟକାରୀ କରିଥିଲା, ତା’ର ଦୃଶ୍ୟ ସାମ୍ନାକୁ ଆସିଛି।

Advertisment

ଭିଡିଓ ଅନୁସାରେ ବିଏଲଏ ସଦସ୍ୟମାନେ ଅପରେସନର ଯୋଜନା କରିଥିଲେ, ଲଢ଼େଇର ତଥ୍ୟ ସଂଗ୍ରହ କରିଥିଲେ ଓ ଏହାପରେ ଟ୍ରେନ ଭିତରୁ ପ୍ରବେଶ କରିଥିଲେ। ଭିଡିଓରେ ବିଦ୍ରୋହୀମାନେ କେମିତି ବିସ୍ଫୋରଣରେ ଟ୍ରାକ ଉଡ଼ାଉଛନ୍ତି, ଟ୍ରେନକୁ ହାଇଜ୍ୟାକ କରୁଛନ୍ତି ଓ ୨୦୦ରୁ ଅଧିକ ପାକିସ୍ତାନୀ ଅଧିକାରୀଙ୍କୁ ଦୁଇ ଦିନ କାଳ ପଣବନ୍ଦୀ କରି ରଖୁଛନ୍ତି, ସେକଥା ଦେଖାଯାଉଛି।

ଅପହରଣ ସ୍ଥଳରୁ ଟ୍ରେନରେ ଥିବା ମହିଳା, ଛୋଟ ପିଲା ଓ ବୟସ୍କ ଲୋକଙ୍କୁ କେମିତି ସୁରକ୍ଷିତ ଭାବେ ବିଏଲଏ ସଦସ୍ୟମାନେ ଅନ୍ୟତ୍ର ପଠାଉଛନ୍ତି, ତା’ର ଦୃଶ୍ୟ ଭିଡିଓରେ ରହିଛି। ଭିଡିଓ ପୂର୍ବରୁ ପାକିସ୍ତାନ ସେନା କହିଥିଲା ଯେ ବିଏଲଏ ସଦସ୍ୟମାନେ ଅତ୍ୟନ୍ତ ବର୍ବର ଓ ଭୟଙ୍କର ଢଙ୍ଗରେ ଗୁଳି ମାରି ମହିଳାଙ୍କ ଠାରୁ ଆରମ୍ଭ କରି ଛୋଟ ପିଲାଙ୍କୁ ନିଜର ଶିକାର ବନାଇଥିଲେ। ହେଲେ ଭିଡିଓ ସେନାର ମିଛକୁ ଧରାଇ ଦେଇଛି।

ଭିଡିଓ ଆରମ୍ଭରେ ଜଣେ ବିଏଲଏ ଯୋଦ୍ଧା ଆକ୍ରମଣ ପଛର କାରଣ ସମ୍ପର୍କରେ କହୁଛନ୍ତି। ସେ କହିଛନ୍ତି, “ଆମ ସଂଘର୍ଷ ଓ ଯୁଦ୍ଧ ଏମିତି ଏକ ସ୍ଥିତିରେ ପହଞ୍ଚିଛି ଯେଉଁଠି ଆମେ ଏପରି ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛୁ। ଆମର ଯୁବକମାନେ ଏପରି ଅଭିଯାନରେ ସାମିଲ ହେଉଛନ୍ତି। କାରଣ ସେମାନେ ଜାଣିଛନ୍ତି ଯେ ଏହା ଛଡ଼ା ଆଉ କୌଣସି ଅନ୍ୟ ବିକଳ୍ପ ନାହିଁ। ବନ୍ଧୁକକୁ ରୋକିବା ପାଇଁ ଗୋଟିଏ ବନ୍ଧୁକ ଦରକାର। ବେଲୁଚିସ୍ତାନର ଯୁବଗୋଷ୍ଠୀ ଆଜି ବିନା କୌଣସି ଦ୍ୱଧା ଓ ନିଜ ଜୀବନକୁ ଖାତିର ନ କରି ଶତ୍ରୁ ପକ୍ଷ ଉପରେ ଆକ୍ରମଣ କରିବାକୁ ଯାଉଛନ୍ତି। ଆଜି ଜଣେ ପୁଅ ତା’ ବାପାକୁ ଛାଡ଼ି ବଳିଦାନ ଦେବାକୁ ଆଗେଇ ଆସି ଥିବା ବେଳେ ଜଣେ ବାପା ତା’ ପୁଅକୁ ଛାଡ଼ି ଆସିଛି।”

ଭିଡିଓରେ ଆତ୍ମଘାତୀ ୟୁନିଟର ତାଲିମ ଚାଲିଥିବା ବେଳେ ଜଣେ ବ୍ୟକ୍ତି ପ୍ରତିଟି ବିଦ୍ରୋହଙ୍କ ପୋଜିସନ କେମିତି ରହିବ, ସେକଥା ବୁଝାଉଛନ୍ତି। ସଂଗଠନ ପକ୍ଷରୁ ନିଜର ଆତ୍ମଘାତୀ ୟୁନିଟ ମାଜୀଦ ବ୍ରିଗେଡର ସଦସ୍ୟଙ୍କ ନାଁ, ଫଟୋ ଓ ସେମାନଙ୍କ ବିଦାୟ ବାର୍ତ୍ତାକୁ ଭିଡିଓରେ ପ୍ରଦର୍ଶିତ କରାଯାଇଛି।

ଜାଫର ଏକ୍ସପ୍ରେସ ଅପହରଣ କାଣ୍ଡ ପ୍ରାୟ ୩୦ ଘଣ୍ଟା ପରେ ଶେଷ ହୋଇଥିଲା। ପାକିସ୍ତାନ ଆର୍ମି ଦାବି କରିଥିଲା ଯେ ସେମାନେ ୩୩ ଜଣ ବିଦ୍ରୋହୀଙ୍କୁ ହତ୍ୟା କରିଛନ୍ତି। ଅପରେସନରେ ୨୩ ଜଣ ସୈନ୍ୟ, ୩ ଜଣ ରେଳ କର୍ମଚାରୀ ଓ ୫ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ସେନା ପକ୍ଷରୁ କୁହାଯାଇଥିଲା। କିନ୍ତୁ ବିଏଲଏ ଦାବି କରିଥିଲା ଯେ ଟ୍ରେନ ଅପହରଣ ଘଟଣାରେ ସେମାନେ ୨୧୪ ଜଣ ପାକିସ୍ତାନୀ ମିଲିଟାରୀ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି।

Pakistan Balochistan BLA