Advertisment

ଆତ୍ମଘାତୀ ହମଲା କରି ପାକିସ୍ତାନର ନିଦ ହଜାଇ ସାରିଲେଣି ବେଲୁଚି ମହିଳା!

ଣିଜ ସମ୍ପଦରେ ଭରପୂର ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ମହିଳା ଆତ୍ମଘାତୀ ହମଲାରେ ସାମିଲ ହେବା ଗୋଟିଏ ବିରଳ ଘଟଣା।

author-image
Hemant Lenka
Baloch

Baloch

ପାକିସ୍ତାନର ବେଲୁଚିସ୍ତାନ ସମସ୍ୟା ଥମିବାର ନାଁ ଧରୁନି। ବେଲୁଚି ଆନ୍ଦୋଳନର ନିଆଁ ଦିନକୁ ଦିନ ତୀବ୍ର ହେଉଛି। ପାକିସ୍ତାନ ସେନାକୁ ଟାର୍ଗେଟକୁ ଗୋଟିଏ ପରେ ଗୋଟିଏ ଆକ୍ରମଣ ଚାଲିଛି। ବେଲୁଚିସ୍ତାନର କଲାଟ ଜିଲ୍ଲାରେ ମାର୍ଚ୍ଚ ୨ରେ ପ୍ରଥମେ ଆର୍ମି କନଭୟ ଉପରେ ଆତ୍ମଘାତୀ ହମଲା ହୋଇଥିଲା। ଏହାପରେ ବେଲୁଚି ବିଦ୍ରୋହୀମାନେ ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲେ।

Advertisment

କଲାଟରେ ହୋଇଥିବା ଆତ୍ମଘାତୀ ହମଲାକାରୀ ଥିଲେ ଜଣେ ମହିଳା। ଖଣିଜ ସମ୍ପଦରେ ଭରପୂର ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶରେ ମହିଳା ଆତ୍ମଘାତୀ ହମଲାରେ ସାମିଲ ହେବା ଗୋଟିଏ ବିରଳ ଘଟଣା। କିନ୍ତୁ ବେଲୁଚି ମହିଳା ଆତ୍ମଘାତୀ ଆତଙ୍କୀ ସାଜିବା ପାକିସ୍ତାନର ନିଦ ହଜାଇ ଦେଇଛି। ମହିଳମାନେ ଆତ୍ମଘାତୀ ହମଲାକାରୀ ସାଜି ପାକିସ୍ତାନର ସୁରକ୍ଷା ସ୍ୱାର୍ଥ ଓ ଉପକରଣକୁ ପୂରା ଦୋହଲାଇ ଦେଇଛନ୍ତି। ୨୦୨୨ କରାଚି ବିଶ୍ୱବିଦ୍ୟାଳୟରେ ବିସ୍ଫୋରଣ ହୋଇଥିଲା। ପ୍ରଥମଥର ପାଇଁ ଜଣେ ବେଲୁଚି ମହିଳା ଏପରି ହମଲା କରିଥିଲେ। ଏବେ ଆକ୍ରମଣ ବଢ଼ିବା ପରେ ପାକିସ୍ତାନ ସେନା ବାହିନୀ ସତେ ଯେମିତି ମୁଣ୍ଡହୀନ ଚିକେନ ଭଳି ଦୌଡ଼ିବାରେ ଲାଗିଛି।

ବେଲୁଚିସ୍ତାନ ମୁକ୍ତି ସେନା ବା ବିଏଲଏ ଚଳିତ ସପ୍ତାହରେ ଖୁଲାସା କରିଛି ଯେ ପାକିସ୍ତାନର କନଭୟକୁ ଟାର୍ଗେଟ କରି ଜଣେ ମହିଳା ଆତ୍ମଘାତୀ ବିସ୍ଫୋରଣ କରିଥିଲେ। ମହିଳା ଜଣଙ୍କ ହେଲେ ବାନୁକ ମହିକାନ ବେଲୁଚ। ସେ ଜଣେ ସାଇନ୍ସ ଗ୍ରାଜ୍ୟୁଏଟ। ବିଏଲଏର ମାଜୀଦ ବ୍ରିଗେଡର ସେ ସଦସ୍ୟ। ବିଏଲଏ ପକ୍ଷରୁ ବାନୁକଙ୍କ ଶେଷ ଅଡିଓ ବାର୍ତ୍ତାକୁ ମଧ୍ୟ ଶେୟାର କରାଯାଇଥିଲା।

Advertisment

କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଯେ ଅଧିକରୁ ଅଧିକ ବେଲୁଚି ମହିଳା କାହିଁକି ଆତ୍ମଘାତୀ ହମଲା କରିବାକୁ ଆଗେଇ ଆସୁଛନ୍ତି? ପାରମ୍ପରିକ ବେଲୁଚି ପ୍ରତିରୋଧର ଚେହେରା ଓ ବ୍ୟବସ୍ଥା ବଦଳିବାରେ ଲାଗିଛି କି? ବିଶେଷଜ୍ଞଙ୍କ କହିବା କଥା ଯେ ସମୟ ଅନୁସାରେ ଏହା ଏକ ପରିବର୍ତ୍ତନ। ପାକିସ୍ତାନର ସବୁଠାରୁ ବଡ଼ ପ୍ରଦେଶ ହେଉଛି ବେଲୁଚିସ୍ତାନ। କିନ୍ତୁ ପାକିସ୍ତାନ ଏହା ସହ ଠିକ ଭାବେ ବ୍ୟବହାର କରୁ ନାହିଁ। ସେଠାରେ ମନମାନୀ କରୁଛି ଓ ନିଜ ଅନୁସାରେ ଦମନଲୀଳା କରୁଛି। ପାକିସ୍ତାନ ସେନା ଦ୍ୱାରା ବେଲୁଚି ପୁରୁଷମାନଙ୍କୁ ଅପହରଣ କରାଯାଉଥିବା ବେଳେ ସେମାନଙ୍କୁ ହତ୍ୟା କରାଯାଉଛି। ବାସ୍‌ ଏହି କାରଣ ପାଇଁ ମହିଳାମାନେ ବାଧ୍ୟ ହୋଇ ପାକିସ୍ତାନ ସେନା ବିରୋଧରେ ଛିଡ଼ା ହେବାକୁ ଆଗେଇ ଆସୁଥିବା କୁହାଯାଉଛି।

ବେଲୁଚ ପ୍ରତିରୋଧ ଓ ମୁକ୍ତି ଆନ୍ଦୋଳନର ମୁଖ୍ୟ କାରଣ କ’ଣ?

ବେଲୁଚିସ୍ତାନ ହେଉଛି ପାକିସ୍ତାନର ସୁବଠାରୁ ବଡ଼ ପ୍ରଦେଶ। ଏଠାରେ ତୈଳ ଓ ଖଣିଜ ପଦାର୍ଥ ଭରପୂର। କିନ୍ତୁ ଏବେ ବି ବେଲୁଚିସ୍ତାନ ଦେଶର ସବୁଠାରୁ ପଛରେ ରହିଥିବା ପ୍ରଦେଶ। ଅଣବିକଶିତ ହୋଇ ରହିଥିବା ବେଲୁଚିସ୍ତାନ ସବୁବେଳେ ସରକାର ନିର୍ଯାତିତ କରି ଆସିଛନ୍ତି। ଏଠାରେ ଥିବା ସମ୍ପଦକୁ ସରକାର ଲୁଟ କରି ଅନ୍ୟତ୍ର ପଠାଇ ଦେଉଛନ୍ତି। ଅନ୍ୟ ଦେଶ ହାତରେ ଏହାକୁ ଟେକି ଦେଉଛନ୍ତି। ବେଲୁଚିସ୍ତାନ ଓ କଲାଟକୁ ସ୍ୱାଧୀନତା ପରେ ବେଆଇନ ଭାବେ ପାକିସ୍ତାନରେ ମିଶାଇ ଦେବା ଘଟଣାକୁ ବେଲୁଚି ବିଦ୍ରୋହୀମାନେ ଭୁଲି ପାରୁନାହାନ୍ତି।

ଚାଇନା ଦ୍ୱାରା କରାଯାଉଥିବା ଚାଇନା-ପାକିସ୍ତାନ ଇକୋନୋମିକ କରିଡର ବା ସିପିଇସି ବେଲୁଚି ଅସନ୍ତୋଷର ପ୍ରମୁଖ ଟାର୍ଗେଟ ରହିଛି। ସ୍ଥାନୀୟ ଲୋକଙ୍କ କହିବା କଥା ଯେ ବେଜିଂ ଓ ଇସଲାମାବାଦ ବେଲୁଚି ଲୋକଙ୍କ କଥା ଚିନ୍ତା ନ କରି ଏଠାକାର ସମ୍ପଦକୁ ଲୁଟ କରିବାରେ ଲାଗିଛନ୍ତି। ଏହି କାରଣ ପାଇଁ ପାକିସ୍ତାନୀ ଓ ଚାଇନିଜ ସ୍ୱାର୍ଥ ବିରୋଧରେ ବିଦ୍ରୋହ ଦେଖାଯାଉଛି। ମହରାଙ୍ଗ ବେଲୁଚିଙ୍କ ବେଲୁଚ ୟାକଜେଠୀ କମିଟି ବିକ୍ଷୋଭ ଦ୍ୱାରା ଓ ବେଲୁଚିସ୍ତାନ ମୁକ୍ତି ସେନା ବା ବିଏଲଏ ଅସ୍ତ୍ର ଦ୍ୱାରା ପାକିସ୍ତାନ-ଚାଇନା ସ୍ୱାର୍ଥକୁ ବିରୋଧ କରି ଆସୁଛନ୍ତି।

Mahrang Balochମହରଙ୍ଗ ବେଲୁଚ(ଫାଇଲ ଫଟୋ)

ଏହାକୁ ସମାଧାନ କରିବା ବଦଳରେ ପାକିସ୍ତାନ ସେନା ସ୍ୱର ଉଠାଉଥିବା ଲୋକଙ୍କ ଗାଏବ କରି ଦେଉଛି। ଏଥିଯୋଗୁ ବେଲୁଚି ଲୋକଙ୍କ ମଧ୍ୟରେ ଅସନ୍ତୋଷ ଚରମସୀମାରେ ପହଞ୍ଚିଛି। ୨୦୦୦ ମସିହା ଠାରୁ ବେଲୁଚିର ସ୍ୱର ପାଲଟିଥିବା ପ୍ରାୟ ୫ ହଜାର ଲୋକଙ୍କୁ ଗାଏବ କରାଯାଇଛି। ଏତେ ସଂଖ୍ୟକ ପୁରୁଷ ଗାଏବ ହୋଇଯାଇଥିବାରୁ ସେମାନଙ୍କ ପରିବାର ପୂରା ଛିନଛତ୍ର ହୋଇ ଯାଇଛନ୍ତି।

ପାକିସ୍ତାନ ଓ ଚାଇନା ବିପକ୍ଷରେ ସାମ୍ନାକୁ ଆସୁଛନ୍ତି ବେଲୁଚ ମହିଳା

ସବୁ କିଛି ହରାଇ ସାରିଥିବା ମହିଳାମାନେ ଏବେ ଆନ୍ଦୋଳନର ନେତୃତ୍ୱ ନେଉଛନ୍ତି। ଏହା ପାକିସ୍ତାନ ତଥା ବେଲୁଚିସ୍ତାନରେ ଗୋଟିଏ ବିରଳ ଘଟଣା। କିନ୍ତୁ ପୁରୁଷମାନଙ୍କୁ ଦମନ କରାଯାଉଥିବା ବେଳେ ମହିଳାମାନେ ବେଲୁଚି ପ୍ରତିରୋଧର କମାଣ ସମ୍ଭାଳିବାକୁ ଆଗକୁ ଆସିଛନ୍ତି। ସେମାନେ ଶିକ୍ଷିତ ଓ ପ୍ରଫେସନାଲ। କିନ୍ତୁ ବ୍ୟକ୍ତିଗତ କ୍ଷତି ଯୋଗୁ ପୂରା ଦୋହଲି ଯାଇଥିବା କାରଣରୁ ସେମାନେ ବାଧ୍ୟ ହୋଇ ଉଭୟ ହିଂସା ଓ ଅହିଂସା ମାଧ୍ୟମରେ ସେମାନଙ୍କୁ ବିରୋଧ କରିବାକୁ ପଡ଼ୁଛି।

ପେଶାରେ ଡାକ୍ତର ଭାବେ କାମ କରୁଥିବା ମହରାଙ୍ଗ ବେଲୁଚ ଓ ସାମ୍ବାଦିକ ଶାମି ଡୀନ ବେଲୁଚଙ୍କ ଭଳି ମହିଳାମାନେ ଗୋଟିଏ ସିଭିଲ ସୋସାଇଟୀ ଅଭିଯାନ ଦ୍ୱାରା ଆଲୋଚନା ପାଇଁ ଆଗେଇ ଆସିଛନ୍ତି। ସେହିପରି ଶତାଧିକ ବେଲୁଚିସ୍ତାନ ମହିଳା ବିଏଲଏରେ ସାମିଲ ହୋଇଛନ୍ତି ଓ ନିଜର ହକ ପାଇଁ ସେମାନେ ଅସ୍ତ୍ର ଉଠାଇବା ସହ ସୁଇସାଇଡ ବମର୍ସ ପାଲଟି ଯାଉଛନ୍ତି। ଅଧିକାଂଶ ମହିଳା ବିଏଲଏର ସୁଇସାଇଡ ସ୍କ୍ୱାଡ ବା ଆତ୍ମଘାତୀ ସ୍କ୍ୱାଡ ମାଜୀଦ ବ୍ରିଗେଡକୁ ଚୟନ କରୁଛନ୍ତି।

ପୂର୍ବରୁ ଯେମିତି କୁହାଯାଇଛି ଯେ ଏହି ମହିଳା ଆତ୍ମଘାତୀ ବିସ୍ଫୋରଣ ଟ୍ରେଣ୍ଡ ୨୦୨୨ କରାଚି ବିଶ୍ୱବିଦ୍ୟାଳୟରୁ ଆରମ୍ଭ ହୋଇଛି। ସେହି ବର୍ଷ ଏପ୍ରିଲ ମାସରେ ୩୦ ବର୍ଷୀୟ ଶାରି ବେଲୁଚ କରାଚି ବିଶ୍ୱବିଦ୍ୟାଳୟର ଗୋଟିଏ ଇନଷ୍ଟିଚ୍ୟୁଟ ବାହାରେ ନିଜକୁ ବିସ୍ଫୋରଣ କରି ଉଡ଼ାଇ ଦେଇଥିଲେ। ଏଥିରେ ୩ ଜଣ ଚାଇନିଜ ନାଗରିକ ଓ ଜଣେ ପାକିସ୍ତାନୀ ଡ୍ରାଇଭରଙ୍କ ମୃତ୍ୟୁ ହୋଇଥିଲା। ସେହିପରି ଆଉ ୪ ଜଣ ଆହତ ହୋଇଥିଲେ। ୩୦ ବର୍ଷୀୟ ଶାରି ହେଉଛି ଦୁଇ ପିଲାଙ୍କ ମା’ ଓ ତାଙ୍କ ପାଖରେ ୨ଟି ମାଷ୍ଟର ଡିଗ୍ରୀ ରହିଥିଲା। ସେ ଜଣେ ଡାକ୍ତରଙ୍କୁ ବିବାହ କରିଥିଲେ। 

Shariବିଏଲଏର ପ୍ରଥମ ଆତ୍ମଘାତୀ ମହିଳା ବିସ୍ଫୋରଣକାରୀ

୨୦୨୨ ଜୁନ ମାସରେ ସାମ୍ବାଦିକ ସୁମୈୟା କଲାନଡ୍ରାନି ବେଲୁଚ ବେଲୁଚିସ୍ତାନର ତୁରବାଟ ଅଞ୍ଚଳରେ ପାକିସ୍ତାନ ସେନାର କନଭୟକୁ ଟାର୍ଗେଟ କରି ଆତ୍ମଘାତୀ ହମଲା କରିଥିଲେ। ସୁମୈୟାଙ୍କ ଭାବୀ ସ୍ୱାମୀ ରେହାନ ବେଲୁଚ ବି ବିଏଲଏ ପାଇଁ କାମ କରୁଥିଲେ। ସେ ୨୦୧୮ରେ ଗୋଟିଏ ଆତ୍ମଘାତୀ ହମଲାରେ ପ୍ରାଣ ହରାଇଥିଲେ। ରେହାନ ବିଏଲଏର ପ୍ରଥମ ପୁରୁଷ ଆତ୍ମଘାତୀ ବିସ୍ଫୋରକ ବନିଥିଲେ। ରେହାନଙ୍କ ମୃତ୍ୟୁ ପରେ ସୁମୈୟା ପୂରା ଭାଙ୍ଗି ପଡ଼ିଥିଲେ। ଭାବୀ ସ୍ୱାମୀଙ୍କ ଭଳି ସେ ବିଏଲଏର ମାଜୀଦ ବ୍ରିଗେଟରେ ଯୋଗ ଦେଇ ଆନ୍ଦୋଳନକୁ ଆଗକୁ ନେଇଥିଲେ। ସେ ବିଏଲଏର ଦ୍ୱିତୀୟ ମହିଳା ଆତ୍ମଘାତୀ ହମଲାକାରୀ ବନି ଯାଇଥିଲେ।

ଜାଫର ଏକ୍ସପ୍ରେସ ଅପହରଣ ପୂର୍ବରୁ ମଧ୍ୟ ଜଣେ ମହିଳାଙ୍କ ଦ୍ୱାରା ବିଏଲଏ ପାକ ସେନା ଗାଡ଼ିକୁ ଟାର୍ଗେଟ କରି ଆତ୍ମଘାତୀ ବିସ୍ଫୋରଣ କରିଥିଲା। ଗ୍ୱାଦର ଅଞ୍ଚଳର ବାନୁକ ବେଲୁଚିସ୍ତାନର କଲାଟ ଠାରେ ପାକ ସେନାର ଗୋଟିଏ ପ୍ୟାଟ୍ରୋଲିଂ ଗାଡ଼ିକୁ ଟାର୍ଗେଟ କରି ବିସ୍ଫୋରଣ କରିଥିଲେ। ଏଥିରେ ଜଣେ ପ୍ରାଣ ହରାଇଥିବେ ବେଳେ ୩ ଜଣ ଆହତ ହୋଇଥିଲେ। ବିଜ୍ଞାନ ପାଠ୍ୟକ୍ରମରେ ଡିଗ୍ରୀ ହାସଲ କରିଥିବା ବାନୁକ ବେଲୁଚ ମୁକ୍ତି ଆନ୍ଦୋଳନକୁ ଆଗକୁ ନେବା ପାଇଁ ୪ ବର୍ଷ ତଳେ ମାଜୀଦ ବ୍ରିଗେଡରେ ଯୋଗ ଦେଇଥିଲେ।

ବିଏଲଏ ପକ୍ଷରୁ ବାନୁକଙ୍କ ଶେଷ ଅଡିଓ ବାର୍ତ୍ତା ଜାରି କରାଯାଇଛି। ଏଥିରେ ସେ କହିଛନ୍ତି ଯେ “ମୋ ବଳିଦାନ ନିଶ୍ଚିତ ଭାବେ ହଜାର ହଜାର ବେଲୁଚଙ୍କୁ ଅନୁପ୍ରାଣିତ କରିବ। ଆମ ମାଟି ମା’କୁ ମୁକ୍ତି ଦେବା ଓ ସ୍ୱାଧୀନତା ପାଇଁ ମୁଁ ଜୀବନ ଦେବାକୁ ନିଷ୍ପତ୍ତି ନେଇଛି।”

ବେଲୁଚି ମହିଳାଙ୍କ ଆତ୍ମଘାତୀ ହମଲା କେମିତି ପାକିସ୍ତାନ ସେନାର ନିଦ ହଜାଇ ଦେଇଛି?

ବିଏଲଏ ଘୋଷଣା କରିଛି ଯେ ବେଲୁଚ ମହିଳାମାନେ ସ୍ୱେଚ୍ଛାକୃତ ଭାବେ ଆତ୍ମଘାତୀ ହମଲା ମିଶନରେ ସାମିଲ ହେଉଛନ୍ତି। କିନ୍ତୁ କେଉଁ କାରଣ ପାଇଁ ମହିଳାମାନେ ଏହି ମିଶନରେ ସାମିଲ ଆକ୍ରମଣକୁ ଆହୁରି ତୀବ୍ର କରୁଛନ୍ତି? ବେଲୁଚ ମୁକ୍ତି ଆନ୍ଦୋଳନ ବର୍ଷ ବର୍ଷ ଧରି ଚାଲିଥିବା ବେଳେ ପ୍ରଥମେ ଏହାର ନେତୃତ୍ୱ ଆଦିବାସୀମାନେ ନେଉଥିଲେ। ଏହାପରେ ଏହା ଶିକ୍ଷିତ ମଧ୍ୟବିତ୍ତଙ୍କ ଆନ୍ଦୋଳନ ପାଲଟିଛି। ଶିକ୍ଷିତ ମଧ୍ୟବିତ୍ତମାନେ ଆନ୍ଦୋଳନକୁ ଆଗକୁ ନେବା ସହ ବିଭିନ୍ନ ପେଶାରେ ଥିବା ଲୋକ ଓ ମହିଳାମାନେ ମଧ୍ୟ ଏଥିରେ ସମୟକ୍ରମେ ନିଜକୁ ସାମିଲ କରିବାରେ ଲାଗିଛନ୍ତି।

ମାଜୀଦ ବ୍ରିଗେଟର ପ୍ରତିଷ୍ଠାତା ଅସଲମ ବେଲୁଚଙ୍କ ପତ୍ନୀ ଯସ୍ମୀନ ମହିଳାମାନଙ୍କୁ ୨୦୧୯ରେ ଏହି ଆନ୍ଦୋଳନରେ ସାମିଲ ହେବାକୁ ଆହ୍ୱାନ ଦେଇଥିଲେ। ବେଲୁଚିସ୍ତାନର ପାରମ୍ପରିକ ସାମାଜିକ ନିୟମ ହଟିବା ଦରକାର ଓ ମହିଳାଙ୍କ ବିନା ସହଯୋଗରେ ସ୍ୱାଧୀନତା କେବେ ହେଲେ ମିଳିବ ନାହିଁ ବୋଲି ଯସ୍ମୀନ କହିଥିଲେ। ବେଲୁଚିସ୍ତାନର ଲୋକଙ୍କ ମଧ୍ୟରେ ଥିବା ହତାଶା ଓ ନିରାଶା ଭାବ ଯୋଗୁ ମହିଳାମାନେ ଆତ୍ମଘାତୀ ବିସ୍ଫୋରଣ ପାଇଁ ଆଗେଇ ଆସୁଥିବା କୁହାଯାଉଛି। ପାକିସ୍ତାନ ସେନା ସବୁବେଳେ ଆନ୍ଦୋଳନକୁ ପ୍ରଶମିତ କରିବା ପାଇଁ ବେଲୁଚର ଯୁବ ପୁରୁଷମାନଙ୍କୁ ଟାର୍ଗେଟ କରୁଛି। ଏହା ମଧ୍ୟ ମହିଳାଙ୍କ ଭାଗିଦାରୀ ବୃଦ୍ଧି କରିବାର ଗୋଟିଏ କାରଣ ହୋଇପାରେ।

ବିଶେଷଜ୍ଞଙ୍କ କହିବା କଥା ଯେ ଏବେ ମହିଳା ଆତ୍ମଘାତୀ ହମଲାକାରୀଙ୍କ ଗୁରୁତ୍ୱ ବଢ଼ିବାରେ ଲାଗିଛି। ବିଶେଷ କରି ଅଧିକ କ୍ଷତି କରିବା ଓ ଭୟର ବାତାବରଣ ସୃଷ୍ଟି କରିବାରେ ଏହା ସହାୟକ ହେଉଛି। କାରଣ ଜଣେ ମହିଳା ଆତ୍ମଘାତୀ ହମଲାକାରୀଙ୍କୁ ରୋକିବା ବା ଚିହ୍ନଟ କରିବା ବେଶ କଷ୍ଟକର। ମହିଳାମାନଙ୍କ ଦ୍ୱାରା ହିଁ ବେଲୁଚି ମୁକ୍ତି ସେନା ଓ ଅନ୍ୟ ବିଦ୍ରୋହୀ ସଂଗଠନ ଗୁଡ଼ିକ ଚାଇନିଜ ସ୍ୱାର୍ଥ ସହ ଜଡ଼ିତ ପ୍ରତିଷ୍ଠାନକୁ ସହଜରେ ଟାର୍ଗେଟ କରିପାରିବେ। ଚାଇନିଜ ପ୍ରକଳ୍ପ ଓ ନାଗରିକଙ୍କୁ ୪ରୁ ୫ ସ୍ତରୀୟ ସୁରକ୍ଷା ଯୋଗାଇ ଦିଆଯାଉଛି। ଏହାକୁ ମାତ ଦେବାକୁ ବେଲୁଚ ଗ୍ରୁପ ଆକ୍ରମଣର ନୂଆ ତରିକା ଆପଣାଇଛନ୍ତି।

୨୦୧୧ରୁ ଇତି ମଧ୍ୟରେ ବେଲୁଚି ବିଦ୍ରୋହୀ କରିଥିବା ଆତ୍ମଘାତୀ ହମଲା ଯୋଗୁ ୩୫୦ ଜଣ ପାକିସ୍ତାନୀ ପ୍ରାଣ ହରାଇଛନ୍ତି। ଏହା ମଧ୍ୟରୁ ପ୍ରାୟ ୧୫ଟି ଆକ୍ରମଣ ବେଲୁଚି ମହିଳାଙ୍କ ଦ୍ୱାରା ହୋଇଛି। ପାକିସ୍ତାନ ସେନା ଏବେ ଏକାଧିକ ସ୍ତରରେ ଲଢ଼େଇ କରୁଛି। ଦକ୍ଷିଣ-ପଶ୍ଚିମ ସୀମାନ୍ତରେ ଥିବା ବେଲୁଚିସ୍ତାନର ଏକ ଶକ୍ତିଶାଳୀ ଗୋଷ୍ଠୀ ପାକିସ୍ତାନ ବିରୋଧରେ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି କରିଥିବା ବେଳେ ଉତ୍ତର-ପଶ୍ଚିମ ସୀମାନ୍ତରେ ଥିବା ଖାୟବର ପାଖ୍‌ତୁନ୍‌ଖାୱାରେ ମଧ୍ୟ ଆତଙ୍କବାଦୀ କାର୍ଯ୍ୟକଳାପ ବୃଦ୍ଧି ପାଇବାରେ ଲାଗିଛି। ସେଠାରେ ପାକିସ୍ତାନକୁ ତାଲିବାନ ସହ ମଧ୍ୟ ଲଢ଼ିବାକୁ ପଢ଼ୁଛି। ଏଥିଯୋଗୁ ପାକିସ୍ତାନର କ୍ଷମତା ଭାଗଭାଗ ହେଉ ଯାଉଛି।

୨୦୨୪ରେ ପାକିସ୍ତାନ ୬୮୫ ଜଣ ସୁରକ୍ଷାକର୍ମୀଙ୍କୁ ହରାଇଛି। ଏହା ମଧ୍ୟରୁ ଅଧିକାଂଶ ସୁରକ୍ଷାକର୍ମୀ ବେଲୁଚି ବିଦ୍ରୋହୀଙ୍କ ଆକ୍ରମଣ ଯୋଗୁ ପ୍ରାଣ ହରାଇଛନ୍ତି। ବିଏଲଏ ପକ୍ଷରୁ ଚାଇନିଜ ନାଗରିକ ଓ ଏହାର ପ୍ରତିଷ୍ଠାନକୁ ମଧ୍ୟ ଟାର୍ଗେଟ କରାଯାଇଛି। ପାକିସ୍ତାନକୁ ଗୋଟିଏ ପରେ ଗୋଟିଏ ଝଟକା ଲାଗି ଚାଲିଥିବା ବେଳେ ଏବେ ଅଧିକରୁ ଅଧିକ ମହିଳା ଆତ୍ମଘାତୀ ହମଲା କରିବା ଇସଲାମାବାଦର ନିଜ ହଜାଇ ଦେଇଛି।

Pakistan Balochistan