ଭାରତ ଓ ପାକିସ୍ତାନ ମଧ୍ୟରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ଇସଲାମାବାଦକୁ ଆଉ ଏକ ଝଟକା ଲାଗିଛି। ପାକିସ୍ତାନ ଠାରୁ ଅଲଗା ହେବାକୁ ଚାହୁଁଥିବା ବାଲୁଚିସ୍ତାନ ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ସ୍ୱାଧୀନତା ପାଇଁ ବାରମ୍ବାର ଦାବି କରି ଆସୁଥିବା ବାଲୁଚିସ୍ତାନ ଏବେ ବଡ଼ ଘୋଷଣା କରିଛି। ଭାରତ ସହ ବିବାଦ ମଧ୍ୟରେ ବାଲୁଚିସ୍ତାନ ପାକିସ୍ତାନ ଠାରୁ ସ୍ୱାଧୀନ ପାଇଥିବା ଦାବି କରିଛି।
ବାଲୁଚ ଲେଖକ ମୀର ୟାର ବାଲୋଚ ଏନେଇ ଏକ୍ସରେ ପୋଷ୍ଟ କରିଛନ୍ତି। ସେ ଦାବି କରିଛନ୍ତି ଯେ ବାଲୁଚିସ୍ତାନ ଏବେ ପାକିସ୍ତାନ ଠାରୁ ସ୍ୱାଧୀନତା ପାଇଛି। ଭାରତ ସରକାର ନୂଆଦିଲ୍ଲୀରେ ବାଲୋଚ ଦୂତାବାସ ଖୋଲିବାକୁ ଅନୁମତି ଦିଅନ୍ତୁ। ସେହିପରି ମିଳିତ ଜାତିସଂଘ ମଧ୍ୟ ବାଲୁଚିସ୍ତାନକୁ ସ୍ୱତନ୍ତ୍ର ଦେଶର ମାନ୍ୟତା ଦେଉ ବୋଲି ସେ ଅନୁରୋଧ କରିଛନ୍ତି।
ମୀର ୟାର ବାଲୋଚ ସବୁବେଳେ ବାଲୁଚିସ୍ତାନ ଲୋକଙ୍କ ଅଧିକାର ଓ ସ୍ୱାଧୀନତା ପାଇଁ ଲଢ଼େଇ କରି ଚାଲିଛନ୍ତି। ଏବେ ସେ ଏକାଧିକ ପୋଷ୍ଟ ଜରିଆରେ ପାକିସ୍ତାନ ଠାରୁ ସ୍ୱାଧୀନତା ହାସଲ କରିଥିବା କଥା କହିଛନ୍ତି। ସେ ବାଲୁଚିସ୍ତାନକୁ ଶାନ୍ତି ପ୍ରତିଷ୍ଠା ଫୋର୍ସ ପଠାଇବା ପାଇଁ ମିଳିତ ଜାତିସଂଘକୁ ଅନୁରୋଧ କରିଛନ୍ତି ଓ ପାକିସ୍ତାନ ସେନାକୁ ଏଠାରୁ ଚାଲିଯିବାକୁ ଦାବି କରିଛନ୍ତି।
ଭାରତ ଓ ପାକିସ୍ତାନ ମଧ୍ୟରେ ଗୁରୁବାର ରାତିରେ ଘମାଘୋଟ ଲଢ଼େଇ ଚାଲିଥିବା ବେଳେ ମୀର ୟାରଙ୍କ ‘ସ୍ୱାଧୀନତା’ ବୟାନ ସାମ୍ନାକୁ ଆସିଛି। ମେ’ ୭ ତାରିଖରେ ଭାରତୀୟ ସେନା ପାକିସ୍ତାନ ଓ ପାକିସ୍ତାନ ଅଧିକୃତ କଶ୍ମୀରରେ ଥିବା ୯ଟି ଆତଙ୍କୀ ଆଡ୍ଡାକୁ ଅପରେଦନ ସିନ୍ଦୂର ମାଧ୍ୟମରେ ଟାର୍ଗଟ କରିଥିଲେ। ପାକିସ୍ତାନର ସାଧାରଣ ଲୋକ କିମ୍ବା ସାମରିକ ପ୍ରତିଷ୍ଠାନକୁ ଭାରତ ଆଦୌ ସ୍ପର୍ଶ କରି ନଥିଲା। କିନ୍ତୁ ପାକିସ୍ତାନ ଅପରେସନ ସିନ୍ଦୂରର ବଦଲା ନେବାକୁ ଗୁରୁବାର ରାତିରେ ଉଦ୍ୟମ କରିଥିଲା। ପାକିସ୍ତାନ ପକ୍ଷରୁ ଭାରତର ସେନା ପ୍ରତିଷ୍ଠାନ ଓ ସାଧାରଣ ଜନବସତିକୁ ଟାର୍ଗେଟ କରି ଡ୍ରୋନ, ମିସାଇଲ ଓ ଗୁଳି ମାଡ଼ କରାଯାଇଥିଲା।
ଏହାର ଜବାବରେ ଭାରତ ସୀମା ସେପଟୁ ଆସୁଥିବା ଡ୍ରୋନ ଓ ମିସାଇଲଗୁଡ଼ିକ ଖସାଇ ଦେଇଥିଲା। ପାକିସ୍ତାନର ଦୁଇଟି ଯୁଦ୍ଧ ବିମାନ ଓ ଏୟାରବର୍ଣ୍ଣ ୱାର୍ଣ୍ଣିଂ କଣ୍ଟ୍ରୋଲ ସିଷ୍ଟମ ବା ଆବାସକ ଏୟାର କ୍ରାପ୍ଟକୁ ଧ୍ୱଂସ କରିଥିଲା। ଏହାକୁ ନେଇ ବିବାଦ ତୀବ୍ର ହୋଇଥିବା ବେଳେ ମୀର ୟାର ବାଲୋଚ ବଡ଼ ଦାବି କରିଛନ୍ତି।
ସେ କହିଛନ୍ତି, ବାଲୁଚ ସ୍ୱାଧୀନତା ସଂଗ୍ରାମୀ ଡେରା ବୁଗଟିରେ ଥିବା ପାକିସ୍ତାନର ଗ୍ୟାସ ଫିଲ୍ଡ ଉପରେ ଆକ୍ରମଣ କରିଛନ୍ତି। ଏଠାରେ ପାକିସ୍ତାନର ୧୦୦ଟି ଗ୍ୟାସ କୂଅ ରହିଛି। ଏଠାରେ ଆକ୍ରମଣ କରି ସେମାନେ ପାକିସ୍ତାନ ସେନାକୁ ବନ୍ଦୀ କରିଛନ୍ତି।
ଗୋଟିଏ ପୋଷ୍ଟରେ ମୀର ୟାର କହିଛନ୍ତି, “ଆତଙ୍କବାଦୀ ପାକିସ୍ତାନ ଭୁଶୁଡ଼ିବାର ଅତି ନିକଟରେ ପହଞ୍ଚି ସାରିଥିବାରୁ ସମ୍ଭବତଃ ଗୋଟିଏ ଘୋଷଣା ହେବା ଦରକାର। ଆମେ ଆମର ସ୍ୱାଧୀନତା ଦାବି କରିଛୁ। ଆମେ ଭାରତକୁ ନୂଆଦିଲ୍ଲୀରେ ବାଲୁଚିସ୍ତାନ ଅଧିକାରୀଙ୍କ ଅଫିସ ଓ ଦୂତାବାସ ଖୋଲିବାକୁ ଅନୁମତି ମାଗୁଛି।”
ସେ ନିଜ ପୋଷ୍ଟରେ ଅନ୍ତର୍ଜାତୀୟ ସମୂହର ସମର୍ଥନ ମଧ୍ୟ ମାଗିଛନ୍ତି। ସେ କହିଛନ୍ତି, “ଆମେ ମିଳିତ ଜାତିସଂଘକୁ ମଧ୍ୟ ଡେମୋକ୍ରାଟିକ ରିପବ୍ଲିକ ଅଫ ବାଲୁଚିସ୍ତାନର ସ୍ୱାଧୀନତାକୁ ଅନୁମତି ଦେବା ପାଇଁ ଅନୁରୋଧ କରୁଛି। ମିଳିତ ଜାତିସଂଘର ସମସ୍ତ ସଦସ୍ୟମାନେ ବୈଠକ କରି ଆମ ସ୍ୱାଧୀନତା ଉପରେ ମୋହର ମାରନ୍ତୁ। ମୁଦ୍ରା ଓ ପାସପୋର୍ଟ ପ୍ରିଣ୍ଟିଂ ପାଇଁ ଯେମିତି ହେଲେ ପାଣ୍ଠି ଯୋଗାଣ ହେବା ଉଚିତ।”
ମିଳିତ ଜାତିସଂଘ ଶାନ୍ତିଦୂତଙ୍କୁ ତୁରନ୍ତ ପଠାଉ ବୋଲି ମଧ୍ୟ ବାଲୋଚ କହିଛନ୍ତି। ସେ କହିଛନ୍ତି, “ଆମେ ମିଳିତ ଜାତିସଂଘକୁ ତୁରନ୍ତ ତା’ର ଶାନ୍ତିଦୂତ ମିଶନକୁ ଏଠାକୁ ପଠାଇବାକୁ ଅନୁରୋଧ କରୁଛି। ପାକିସ୍ତାନର ଆର୍ମି ତୁରନ୍ତ ସ୍ଥଳ, ଆକାଶ ଓ ବାଲୁଚିସ୍ତାନର ଜଳ ପଥ ଛାଡ଼ନ୍ତୁ। ବାଲୁଚିସ୍ତାନରେ ଥିବା ସମସ୍ତ ପ୍ରକାରର ଅସ୍ତ୍ରଶସ୍ତ୍ର ଓ ସମ୍ପତ୍ତିକୁ ସେମାନେ ପରିତ୍ୟାଗ କରନ୍ତୁ।”
ସେ ଆହୁରି କହିଛନ୍ତି ଯେ “ଆର୍ମି, ଫ୍ରଣ୍ଟିୟର କ୍ରପ୍ସ, ପୁଲିସ୍, ସାମରିକ ଗୁଇନ୍ଦା, ଆଇଏଆଇ ଓ ସାଧାରଣ ପ୍ରଶାସନରେ ଥିବା ସମସ୍ତ ଅଣ ବାଲୋଚ ତୁରନ୍ତ ବାଲୁଚିସ୍ତାନ ଛାଡ଼ି ଚାଲି ଯାଆନ୍ତୁ। ବାଲୁଚିସ୍ତାନର ଦାୟିତ୍ୱ ଖୁବଶୀଘ୍ର ନୂଆ ସରକାରଙ୍କୁ ଦିଆଯିବ। ଖୁବଶୀଘ୍ର ଅନ୍ତରୀଣ ସରକାର ମଧ୍ୟ ଘୋଷଣା ହେବ। ବାଲୋଚ ମହିଳା କ୍ୟାବିନେଟରେ ରହିବା ନେଇ ଆମେ ଦେଇଥିବା ପ୍ରତିଶ୍ରୁତି ଆମେ ପୂରଣ କରିବୁ। ବାଲୁଚିସ୍ତାନର ସ୍ୱାଧୀନ ସରକାରର ଶପଥ ସମାରୋହ ହେବ। ଆମେ ଆମର ସମସ୍ତ ବନ୍ଧୁ ରାଷ୍ଟ୍ରର ମୁଖ୍ୟମାନଙ୍କୁ ଶପଥ ସମାରୋହକୁ ନିମନ୍ତ୍ରଣ କରୁଛୁ।”
ଏହା ପୂର୍ବରୁ ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳିଥିଲା ଯେ ପାକିସ୍ତାନ ସେନା ଗାଡ଼ି ଉପରେ ବାଲୁଚିସ୍ତାନ ବିଦ୍ରୋହୀ ଆକ୍ରମଣ କରୁଛନ୍ତି। ବିଏଲଏ ପକ୍ଷରୁ ୧୪ ଜଣ ପାକିସ୍ତାନ ସୈନ୍ୟଙ୍କ ମୃତ୍ୟୁ ହୋଇଥିବା ଦାବି କରାଯାଇଥିଲା।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।