Advertisment

ବାଂଲାଦେଶରେ ବିଗୁଡ଼ୁଛି ସ୍ଥିତି, ପରିବାର ସହ ଫେରିଲେ ୧୯୦ ଦୂତାବାସ କର୍ମଚାରୀ

ଅଶାନ୍ତ ବାଂଲାଦେଶରେ କାର୍ଯ୍ୟରତ ଭାରତୀୟ ଦୂତାବାସର ୧୯୦ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ସ୍ୱଦେଶ ଫେରିଛନ୍ତି। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ସେମାନେ ଭାରତ ଫେରିଛନ୍ତି।

author-image
Niharika Rout
Violence

Violence

ସଂରକ୍ଷଣ ବ୍ୟବସ୍ଥାକୁ ନେଇ ବାଂଲାଦେଶରେ ଆରମ୍ଭ ହୋଇଥିବା ହିଂସା ଥମିବା ନାଁ ଧରୁନି। ପ୍ରଧାନମନ୍ତ୍ରୀ ଶେଖ ହସିନା ଦେଶ ଛାଡି ପଳାଇ ଯାଇଥିବା ବେଳେ ମହମ୍ମଦ ୟୁନୁସଙ୍କ ନେତୃତ୍ୱରେ ଅନ୍ତରୀଣ ସରକାର ଗଠନ ପାଇଁ ଆରମ୍ଭ ହେଲାଣି ପ୍ରସ୍ତୁତି। ଏହାପରେ ବି ସେଠାରେ ହିଂସାକାଣ୍ଡ, ପୋଡ଼ାଜଳା ଥମିବା ନାଁ ଧରୁନି।

Advertisment

ଏପରି ସ୍ଥିତିରେ ଅଶାନ୍ତ ବାଂଲାଦେଶରେ କାର୍ଯ୍ୟରତ ଭାରତୀୟ ଦୂତାବାସର ୧୯୦ କର୍ମଚାରୀ ଓ ସେମାନଙ୍କ ପରିବାର ସଦସ୍ୟ ସ୍ୱଦେଶ ଫେରିଛନ୍ତି। ଏୟାର ଇଣ୍ଡିଆର ସ୍ୱତନ୍ତ୍ର ବିମାନରେ ସେମାନେ ଭାରତ ଫେରିଛନ୍ତି। ଏବେ ବି ପ୍ରାୟ ୩୦ ବରିଷ୍ଠ ଅଧିକାରୀ ଓ କୂଟନୈତିଜ୍ଞ ବାଂଲାଦେଶସ୍ଥିତି ଭାରତୀୟ ଦୂତାବାସରେ କାର୍ଯ୍ୟରତ ଅଛନ୍ତି।

ଢାକାସ୍ଥିତି ଭାରତୀୟ ଦୂତାବାସ କାର୍ଯ୍ୟକ୍ଷମ ଥିବା ବେଳେ ଦେଶର ଅନ୍ୟ ସ୍ଥାନରେ ଥିବା ଭାରତୀୟ ଦୂତାବାସ ବି କାର୍ଯ୍ୟକ୍ଷମ ରହିଛି। ସେଠାରେ ରହୁଥିବା ଭାରତୀୟଙ୍କ ସହ ସେମାନେ ଯୋଗାଯୋଗରେ ରହିଥିବା ଜଣାଯାଇଛି।

Advertisment

ଗତକାଲି ସର୍ବଦଳ ବୈଠକ ସମ୍ବୋଧନ କରି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌. ଜୟଶଙ୍କର କହିଥିଲେ ଏବେ ବି ୧୦ ହଜାର ଭାରତୀୟ ବାଂଲାଦେଶରେ ଫସି ରହିଛନ୍ତି। ପରିସ୍ଥିତି ଏତେ ଚିନ୍ତାଜନକ ନୁହେଁ ଯେ ସେମାନଙ୍କୁ ଏୟାରଲିଫ୍ଟ କରିବାର ଆବଶ୍ୟକତା ଅଛି। ଭାରତ ସରକାର ସେଠାକାର ସ୍ଥିତି ଉପରେ ତୀକ୍ଷଣ ନଜର ରଖିଥିବା ବେଳେ ନିଜ ନାଗରିକଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛି। ଆମ ଦୂତାବାସ ସେଠାରେ କାର୍ଯ୍ୟକ୍ଷମ ଥିବା ବେଳେ ତାହା ଦ୍ୱାରା ଆମେ ଆମ ନାଗରିକଙ୍କ ସହ ଯୋଗାଯୋଗରେ ଅଛୁ ବୋଲି କହିଥିଲେ ଜୟଶଙ୍କର ।

ବାଂଲାଦେଶରେ ଗତ କିଛି ଦିନ ହେବ ରାଜନୈତିକ ଅସ୍ଥିରତା ମଧ୍ୟରେ ଅନ୍ତରୀଣ ସରକାର ଗଠନକୁ ମିଳିଛି ଅନୁମତି। ଆଉ ଏହାର ନେତୃତ୍ୱ ନେବେ ନୋବେଲ୍ ବିଜେତା ମହମ୍ମଦ ୟୁନୁସ। ଗତକାଲି ତାଙ୍କୁ ବାଂଲାଦେଶର ଅନ୍ତରୀଣ ସରକାର ଚଳାଇବା ପାଇଁ ନେତା ମନୋନୀତ କରାଯାଇଛି।

ମହମ୍ମଦ ୟୁନୁସ ଜଣେ ନୋବେଲ ପୁରସ୍କାର ବିଜେତା। ବାଂଲାଦେଶରେ ଗରିବଙ୍କ ବନ୍ଧୁ ଭାବେ ଜଣାଶୁଣା ମହମ୍ମଦ ୟୁନୁସ ଦେଶରେ ଗରିବି ହଟାଇବା ପାଇଁ ବେଶ୍ କାମ କରିଛନ୍ତି। ତେବେ ହସିନା ସରକାର କିନ୍ତୁ ତାଙ୍କ ବିରୋଧରେ ଆର୍ଥିକ ହେରଫେର୍ ମାମଲାରେ ଅନେକ ମାମଲା ରୁଜୁ କରିଥିଲେ ।

ସେ ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ୧୦୦ଡଲାରରୁ କମ୍ ଋଣ ଯୋଗାଇ ଲକ୍ଷ ଲକ୍ଷ ଲୋକଙ୍କୁ ଦାରିଦ୍ର୍ୟରୁ ମୁକ୍ତ କରିବାରେ ସାହାଯ୍ୟ କରିଥିଲେ। ଯେଉଁଥି ପାଇଁ ତାଙ୍କୁ ୨୦୦୬ରେ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯାଇଥିଲା।

ୟୁନୁସ ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଅନ୍ୟାନ୍ୟ ପୁରସ୍କାର ଜିତିଛନ୍ତି। ୨୦୦୯ରେ ତାଙ୍କୁ ୟୁଏସ ପ୍ରେସିଡେନସିଆଲ ମେଡାଲ ଅଫ ଫ୍ରିଡମରେ ସମ୍ମାନିତ କରାଯାଇଥିଲା। ୨୦୧୦ରେ ତାଙ୍କୁ କଂଗ୍ରେସର ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଥିଲା।

Bangladesh Bangladesh Violence