/odisha-reporter/media/post_attachments/uploadimage/library/16_9/16_9_0/IMAGE_1723039898.jpg)
Nobel Winner
ଅଶାନ୍ତ ବାଂଲାଦେଶରେ ଗଠନ ହେବାକୁ ଯାଉଛି ଗୋଟିଏ ଅନ୍ତରୀଣ ସରକାର। ଏହି ସରକାରର ମୁଖିଆ ଭାବେ ଆସନ୍ତାକାଲି ଶପଥ ନେବେ ନୋବେଲ ପୁରସ୍କାର ବିଜେତା ମହମ୍ମଦ ୟୁନୁସ। ତାଙ୍କ ନେତୃତ୍ୱାଧୀନ ୧୫ ଜଣିଆ ପରାମର୍ଶଦାତା କମିଟିର ସଦସ୍ୟମାନେ ମଧ୍ୟ ଶପଥ ନେବେ ବୋଲି ଆଜି ବାଂଲାଦେଶର ସେନା ମୁଖ୍ୟ ଜେନେରାଲ ୱାକେର ଉଜ ଜମାନ ସୂଚନା ଦେଇଛନ୍ତି। ଶପଥ ପାଠ ସମାରୋହ ରାତି ୮ଟାରେ ଅନୁଷ୍ଠିତ ହେବ।
ସେନା ମୁଖ୍ୟ ଜମାନ କହିଛନ୍ତି, ୟୁନୁସଙ୍କ ନେତୃତ୍ୱରେ ପରାମର୍ଶଦାତା ପରିଷଦରେ ୧୫ ଜଣ ସଦସ୍ୟ ରହିବେ। ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହବୁଦ୍ଦିନ ମଙ୍ଗଳବାର ୮୪ ବର୍ଷୀୟ ୟୁନୁସଙ୍କୁ ଅନ୍ତରୀଣ ସରକାରର ମୁଖିଆ ଭାବେ ନିଯୁକ୍ତ କରିଥିଲେ। ୟୁନୁସ ଗୋଟିଏ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆଗକୁ ନେବେ ବୋଲି ଜେନେରାଲ ଜମାନ ଆଶା ରଖିଛନ୍ତି।
ଦେଶକୁ ସମ୍ବୋଧନ କରି ଜେନେରାଲ ଜମାନ କହିଛନ୍ତି, “ସେ ଦେଶକୁ ଆଗକୁ ନେବାକୁ ବେଶ ଉତ୍ସାହିତ। ମୁଁ ନିଶ୍ଚିତ ଯେ ୟୁନୁସ ଆମକୁ ଗୋଟିଏ ସୁନ୍ଦର ଗଣତାନ୍ତ୍ରିକ ପ୍ରକ୍ରିୟା ଦ୍ୱାରା ଆଗକୁ ନେବେ। ଆମେ ନିଶ୍ଚିତ ଏହି ପ୍ରକ୍ରିୟାରୁ ଲାଭବାନ ହେବା।”
ପ୍ୟାରିସରୁ ଦୁବାଇ ଦେଇ ଢାକା ଆସିବାକୁ ଥିବା ୟୁନୁସ ଅନ୍ତରୀଣ ସରକାରର ମୁଖ୍ୟ ହେବା ପରେ ପରେ କହିଛନ୍ତି, “ମୁଁ ଘରକୁ ଫେରିବାକୁ ବେଶ ଉତ୍ସାହିତ। କ’ଣ ସବୁ ଘଟୁଛି ଓ ଆମେ କେମିତି ଏକାଠି ସମସ୍ୟାରୁ ମୁକୁଳିବା, ତା’ ହିଁ ମୁଖ୍ୟ ପ୍ରସଙ୍ଗ।”
ବାଂଲାଦେଶରେ ହିଂସା ଜାରି ରହିଥିବାରୁ ସେ ସମସ୍ତଙ୍କୁ ଶାନ୍ତି ବଜାୟୀ ରଖିବାକୁ କହିଛନ୍ତି। ସେ କହିଛନ୍ତି, “ଯଦି ଆପଣମାନେ ହିଂସାର ରାସ୍ତା ବାଛିବେ, ତା’ହେଲେ ସବୁ କିଛି ଧ୍ୱଂସ ହୋଇଯିବ।”
ବାଂଲାଦେଶରେ ଜାରି ରହିଥିବା ହିଂସା ଭିତରେ ସୋମବାର ଶେଖ ହସିନା ଦେଶ ଛାଡ଼ି ଭାରତ ଚାଲି ଆସିଛନ୍ତି। ଏହାପରେ ସେଠାକାର ଆନ୍ଦୋଳନକାରୀ ୟୁନୁସଙ୍କୁ ମୁଖିଆ ଭାବେ ଦାୟିତ୍ୱ ନେବାକୁ କହିଥିଲେ। ସେ ଲକ୍ଷାଧିକ ଲୋକଙ୍କୁ ଗରିବୀ ସୀମା ରେଖା ତଳୁ ବାହାର କରିଥିବା ବିକ୍ଷୋଭକାରୀମାନେ କହିଛନ୍ତି।
ଏହାକୁ ନେଇ ରାଷ୍ଟ୍ରପତି ଶାହବୁଦ୍ଦିନଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ଏହି ବୈଠକରେ ୩ ସେନା ବାହିନୀର ମୁଖ୍ୟ ଓ ଛାତ୍ର ନେତାମାନେ ଯୋଗ ଦେଇଥିଲେ। ସର୍ବସମ୍ମତିକ୍ରମେ ୟୁନୁସ ବାଂଲାଦେଶର ନେତୃତ୍ୱ ନିଅନ୍ତୁ ବୋଲି ନିଷ୍ପତ୍ତି ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
