Protest by Teachers
ବାଂଲାଦେଶରେ ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଉପରେ ସେନା ଓ ରାଜନୀତିକ ଦଳଗୁଡ଼ିକର ଚାପ ବଢୁଥିବା ବେଳେ ଏବେ ଏହା ନୂଆ ସଙ୍କଟର ସମ୍ମୁଖୀନ ହୋଇଛି। ପୂରା ବାଂଲାଦେଶରେ ବିକ୍ଷୋଭ ହେଉଛି। ଶନିବାରଠାରୁ ପ୍ରଶାସନିକ ଅଧିକାରୀ ବିକ୍ଷୋଭ କରୁଥିବା ବେଳେ ଆଜି ହଜାର ହଜାର ସଂଖ୍ୟାରେ ପ୍ରାଥମିକ ସ୍କୁଲ ଶିକ୍ଷକ ଆନ୍ଦୋଳନକ ଓହ୍ଲାଇଛନ୍ତି। ‘ପ୍ରାଇମେରୀ ଆସିଷ୍ଟାଣ୍ଟ ଟିଚର୍ସ ୟୁନିଟି କାଉନ୍ସିଲ’ ବ୍ୟାନରରେ ଏହି ଶିକ୍ଷକମାନେ ସାରା ଦେଶରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି।
ଏହି ଶିକ୍ଷକମାନେ ସେମାନଙ୍କ ଦରମା ବଢ଼ାଇବା ପାଇଁ ଦାବି କରିଛନ୍ତି। ଏକାଦଶ ଗ୍ରେଡରେ ଜାତୀୟ ପେ’ ସ୍କେଲ ଅନୁସାରେ ସେମାନଙ୍କ ପ୍ରାରମ୍ଭିକ ଦରମାକୁ ବୃଦ୍ଧି କରିବାକୁ ସେମାନେ ଦାବି କରିଛନ୍ତି। ୧୦ ଓ ୧୬ ବର୍ଷର ଚାକିରି ପରେ ଉଚ୍ଚ ଗ୍ରେଡ୍ ପାଇବା ନେଇ ରହିଥିବା ବିବାଦର ସମାଧାନ କରିବା ଓ ସମୟ ଅନୁସାରେ ପଦୋନ୍ନତିକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବାକୁ ସେମାନେ ଦାବି କରିଛନ୍ତି।
ଏହି ସବୁ ଦାବିରେ ଶିକ୍ଷକମାନେ ମେ’ ୫ ତାରିଖରୁ ଆଂଶିକ ଭାବେ ସେମାନଙ୍କ କାର୍ଯ୍ୟରୁ ବିରତ ହୋଇଥିଲେ। କିନ୍ତୁ ଆଜିଠାରୁ ସଂପୂର୍ଣ୍ଣ କାର୍ଯ୍ୟ ବନ୍ଦ କରିଛନ୍ତି ବୋଲି ‘ଡେଲି ଷ୍ଟାର’ ଲେଖିଛି। ସାରା ଦେଶରେ ଶିକ୍ଷକମାନେ ଆନ୍ଦୋଳନକୁ ଓହ୍ଲାଇଥିବା ବେଳେ ଢାକାର ସୂତାରପୁର, ଡେମରା ଓ ଗୁଲଶନରେ ଏହାର ପ୍ରଭାବ ଆଂଶିକ ରହିଛି। ଏହି ସବୁ ଅଞ୍ଚଳରେ ଅନେକ ଶିକ୍ଷକ ଆଜି ଶିକ୍ଷାଦାନ କରିଥିବା ଦେଖିବାକୁ ମିଳିଛି। ତେବେ ସେମାନେ କୌଣସି ପ୍ରକାର ପ୍ରଶାସନିକ କାର୍ଯ୍ୟ କରି ନାହାନ୍ତି। ଚଟ୍ଟଗାଁ ଓ ରଙ୍ଗମାଟି ଭଳି ସହରଗୁଡ଼ିକରେ ସମସ୍ତ ଶିକ୍ଷକ ଆନ୍ଦୋଳନକୁ ଓହ୍ଲାଇଥିଲେ। ସେମାନେ ଆଜି ଆଦୌ ପାଠପଢ଼ାଇ ନାହାନ୍ତି। ରାଜଶାହି ଓ ରଙ୍ଗପୁର ଅଞ୍ଚଳରେ ମିଶ୍ରିତ ସ୍ଥିତି ଦେଖିବାକୁ ମିଳିଥିଲା।
ଅନ୍ୟପଟେ ଦାବି ପୂରଣ ନହେଲେ ଶନିବାରଠାରୁ ବିକ୍ଷୋଭ କରୁଥିବା ପ୍ରଶାସନିକ ଅଧିକାରୀମାନେ ଦେଶବ୍ୟାପୀ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ଏକ ଅଧ୍ୟାଦେଶ ଆଣିଛନ୍ତି, ଯେଉଁଥିରେ ବିଶୃଙ୍ଖଳିତ ଆଚରଣ ପାଇଁ ପ୍ରଶାସନିକ ଅଧିକାରୀମାନଙ୍କୁ ବିନା କୌଣସି ପ୍ରକ୍ରିୟାରେ ୧୪ ଦିନ ମଧ୍ୟରେ ପଦଚ୍ୟୁତ କରିବା ପାଇଁ ବ୍ୟବସ୍ଥା କରାଯାଇଛି। ଏହାକୁ ଏକ ପ୍ରକାର ‘ଦମନ’ ବ୍ୟବସ୍ଥା କହି ତୀବ୍ର ସମାଲୋଚନା କରିଛନ୍ତି ପ୍ରଶାସନିକ ଅଧିକାରୀ। ତୁରନ୍ତ ଏହାକୁ ପ୍ରତ୍ୟାହାର କରି ନେବାକୁ ସେମାନେ ଦାବି କରିଛନ୍ତି।
ଗତ ରବିବାର ପର୍ଯ୍ୟନ୍ତ ବାଂଲାଦେଶର ନ୍ୟାଶନାଲ ବୋର୍ଡ ଅଫ୍ ରେଭିନ୍ୟୁର କର୍ମଚାରୀମାନେ ଆନ୍ଦୋଳନରେ ବସିଥିଲେ। ଏହି ଅନୁଷ୍ଠାନକୁ ଭାଙ୍ଗି ଅର୍ଥ ମନ୍ତ୍ରାଳୟ ଅଧୀନରେ ଦୁଇଟି ଡିଭିଜନ ଗଠନ କରିବାକୁ ଅନ୍ତରୀଣ ସରକାର ନିର୍ଦ୍ଦେଶ ଦେଇଥବା ବେଳେ ଏହାକୁ ବିରୋଧ କରିଥିଲେ କର୍ମଚାରୀ। ରବିବାର ଅନ୍ତରୀଣ ସରକାର ତାଙ୍କ ନିର୍ଦ୍ଦେଶ ପ୍ରତ୍ୟାହାର କରି ନେବା ପରେ କର୍ମଚାରୀମାନେ ଆନ୍ଦୋଳନ ପ୍ରତ୍ୟାହାର କରିଥିଲେ।
ଗତ କିଛି ସପ୍ତାହ ହେଲା ମହମ୍ମଦ ୟୁନୁସଙ୍କ ନେତୃତ୍ୱାଧୀନ ଅନ୍ତରୀଣ ସରକାର ବିଭିନ୍ନ ସମସ୍ୟା ମଧ୍ୟରେ ବୁଡ଼ି ଯାଇଛନ୍ତି। ସେନା, ରାଜନେତା ଓ ସାଧାରଣ ଜନତା- ବିଭିନ୍ନ ଆଡୁ ବିଭିନ୍ନ ପ୍ରସଙ୍ଗରେ ଚାପି ହୋଇଯିବା ପରେ ଗତ ୨୩ ତାରିଖରେ ମହମ୍ମଦ ୟୁନୁସ ତାଙ୍କ ପଦରୁ ଇସ୍ତଫା ଦେବା ପାଇଁ ଧମକ ଦେଇଥିଲେ। ସେ କହିଥିଲେ ଅତିଗୁରୁତ୍ୱପୂର୍ଣ୍ଣ ସଂସ୍କାରମୂଳକ କାର୍ଯ୍ୟଗୁଡ଼ିକୁ କରିବାକୁ ଆବଶ୍ୟକ ସମର୍ଥନ ମିଳୁ ନଥିବା ଦର୍ଶାଇ ସେ ଇସ୍ତଫା ଦେବାକୁ ଚେତାବନୀ ଦେଇଥିଲେ।
ଆସନ୍ତା ଡିସେମ୍ବର ୨୫ ତାରିଖ ସୁଦ୍ଧା ଦେଶରେ ନିର୍ବାଚନ ଶେଷ କରିବାକୁ ସେନା ମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନ ଅନ୍ତରୀଣ ସରକାରକୁ ଏକ ପ୍ରକାର ଚେତାବନୀ ଦେଇଥିଲେ। ସେହିପରି ଖାଲିଦା ଜିଆଙ୍କ ନେତୃତ୍ୱାଧୀନ ବିଏନ୍ପି ମଧ୍ୟ ଦେଶରେ ନିର୍ବାଚନ ନେଇ ଅତିଶୀଘ୍ର ସ୍ପଷ୍ଟ ଚିତ୍ର ରଖିବାକୁ ଚାପ ପକାଉଛି। କ୍ଷମତାରେ ରହିବା ପାଇଁ ଅନ୍ତରୀଣ ସରକାର ଜାଣିଶୁଣି ନିର୍ବାଚନକୁ ବିଳମ୍ବ କରୁଛନ୍ତି ବୋଲି ତାଙ୍କ ଦଳ ଅଭିଯୋଗ କରିବା ସହିତ ଏନେଇ ଢାକାରେ ବଡ଼ ଆକାରର ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବିବାଦୀୟ ରାଖିନ କରିଡର ଯୋଜନା ସମେତ ଅନ୍ତରୀଣ ସରକାରଙ୍କ ଆଉ କିଛି ନିଷ୍ପତ୍ତିକୁ ସେନା ମୁଖ୍ୟ ଜେନେରାଲ ୱାକର-ଉଜ୍-ଜମାନ ଖୋଲାଖୋଲି ସମାଲୋଚନା କରିବା ପରେ ସ୍ଥିତି ଗମ୍ଭୀର ହୋଇଯାଇଥିଲା। ସ୍ଥିତିକୁ ଦୃଷ୍ଟି ରଖି ମହମ୍ମଦ ୟୁନୁସଙ୍କ ସମର୍ଥକମାନେ ଶିକ୍ଷାର୍ଥୀଙ୍କ ନେତୃତ୍ୱାଧୀନ ନ୍ୟାଶନାଲ ସିଟିଜେନ୍ସ ପାର୍ଟିର ସମର୍ଥନରେ ମେ’ ୨୪ ତାରିଖରେ ‘ୟୁନୁସ ସମର୍ଥନରେ ଶୋଭାଯାତ୍ରା’ ଯୋଜନା କରିଥିଲେ। ସେହିପରି ମହମ୍ମଦ ୟୁନୁସ ବିଭିନ୍ନ ଗୋଷ୍ଠୀ ସହିତ ଆଲୋଚନା ଜାରି ରଖିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1748354183.jpg)