/odisha-reporter/media/media_files/2025/12/11/bangladesh-2025-12-11-19-57-02.jpg)
ବାଂଲାଦେଶ
ବାଂଲାଦେଶରେ ହେବ ସାଧାରଣ ନିର୍ବାଚନ। ଦେଶର ୧୩ତମ ସାଧାରଣ ନିର୍ବାଚନ ପାଇଁ ଆଜି ଘୋଷଣା ହୋଇଛି ତାରିଖ। ଆସନ୍ତା ବର୍ଷ ଫେବଆରୀ ୧୨ ତାରିଖରେ ବାଂଲାଦେଶବାସୀ ଦେଶର ପରବର୍ତ୍ତୀ ସରକାର ପାଇଁ ମତାଧିକାର ସାବ୍ୟସ୍ତ କରିବେ। ବିକ୍ଷୋଭ ଯୋଗୁ ବାଂଲାଦେଶର ପ୍ରଧାନମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିବା ଶେଖ ହସିନା ଦେଶ ଛାଡ଼ିବା ପରେ ବାଂଲାଦେଶରେ ଏହା ପ୍ରଥମ ସାଧାରଣ ନିର୍ବାଚନ।
ବାଂଲାଦେଶ(Bangladesh)ର ମୁଖ୍ୟ ନିର୍ବାଚନ କମିଶନର ନସିରୁଦ୍ଦିନ ଆଜି ଭୋଟ ତାରିଖ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ମୁକ୍ତ ଓ ଗଣତାନ୍ତ୍ରିକ ମତଦାନ କେମିତି ହୁଏ, ସେକଥା ବାଂଲାଦେଶ ପୂରା ବିଶ୍ୱକୁ ଦେଖାଇବା ପାଇଁ ପ୍ରସ୍ତୁତ। ନିର୍ବାଚନ ପୂର୍ବରୁ ନକଲି ଖବର ଓ ଗୁଜବ ସବୁଠାରୁ ବଡ଼ ଚ୍ୟାଲେଞ୍ଜ। ଏଥିପାଇଁ ପୂରା ଦେଶବାସୀ ସତର୍କ ରହିବା ଦରକାର ବୋଲି ସେ କହିଛନ୍ତି।
ମୁଖ୍ୟ ନିର୍ବାଚନ ଆୟୋଗ ନିଶ୍ଚିତ କରିଛନ୍ତି ଯେ ସାଧାରଣ ନିର୍ବାଚନ ଓ ଜୁଲାଇ ଚାର୍ଟର ଜନମତ ସଂଗ୍ରହ ପାଇଁ ମତଦାନ ଫେବୃଆରୀ ୧୨ରେ ଏକାସଙ୍ଗେ ହେବ। ମୋଟ ୩୦୦ ସଂସଦୀୟ ଆସନରେ ମତଦାନ ହେବ ଓ ଦେଶରେ ରହୁ ନଥିବା ବାଂଲାଦେଶୀ ଏଥିପାଇଁ ଆସନ୍ତାକାଲି ଠାରୁ ଡିସେମ୍ବର ୨୫ ଯାଏ ଅନଲାଇନରେ ଆବେଦନ କରିପାରିବେ।
ସାଧାରଣ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଶେଷ ତାରିଖ ଡିସେମ୍ବର ୨୯। ଡିସେମ୍ବର ୩୦ରୁ ଜାନୁଆରୀ ୪ ଯାଏ ନାମାଙ୍କନ ପତ୍ରର ଯାଞ୍ଚ ହେବ। ରିଟର୍ଣ୍ଣିଂ ଅଫିସରଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିବା ପାଇଁ ଶେଷ ତାରିଖ ହେଉଛି ଜାନୁଆରୀ ୧୨ରୁ ଜାନୁଆରୀ ୧୮। ଜାନୁଆରୀ ୨୦ ସୁଦ୍ଧା ପ୍ରାର୍ଥୀମାନେ ସେମାନଙ୍କ ନାମାଙ୍କନ ପ୍ରତ୍ୟାହାର କରିପାରିବେ।
ଫେବୃଆରୀ ୧୨ରେ ସାରା ଦେଶରେ ମତଦାନ ହେବ। ଲୋକମାନେ ସକାଳ ୭.୩୦ରୁ ଅପରାହ୍ନ ୪.୩୦ ମଧ୍ୟରେ ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। ନିର୍ବାଚନ ପାଇଁ ପ୍ରଚାର ଜାନୁଆରୀ ୨୨ରୁ ଆରମ୍ଭ ହୋଇ ଫେବୃଆରୀ ୧୦ ତାରିଖ ସନ୍ଧ୍ୟା ୭.୩୦ ଯାଏ ଚାଲିବ।
ଫେବୃଆରୀ ୧୨ରେ ୧୨.୭୬ କୋଟି ଲୋକ ଭୋଟ ଦେବେ। ବିଦେଶରେ ରହୁଥିବା ବାଂଲାଦେଶୀଙ୍କ ପାଇଁ ନିର୍ବାଚନ କମିଶନ ପୋଷ୍ଟାଲ ବାଲଟର ବ୍ୟବସ୍ଥା କରିବେ ବୋଲି ନସିରୁଦ୍ଦିନ ସୂଚନା ଦେଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
