Advertisment

‘ବାଂଲାଦେଶ ଆଉ ଏକ ପାକିସ୍ତାନ ହେବ, ଏହା ହିଁ ତା’ର ଭାଗ୍ୟ’

ମୋ’ ମା’ ଦେଶ ଛାଡ଼ି ଆସିବାକୁ ପ୍ରସ୍ତୁତ ନ ଥିଲେ। ମାତ୍ର ତାଙ୍କ ସୁରକ୍ଷା ଆମ ପ୍ରାଥମିକତା। ତେଣୁ ବହୁ ବୁଝାଶୁଝା ପରେ ତାଙ୍କୁ ସେଠାରୁ ଆଣିବାକୁ ସକ୍ଷମ ହୋଇ ପାରିଛୁ ବୋଲି କହିଛନ୍ତି ସଜୀବ ।

ଅଦ୍ୟତନ ହୋଇଛି
sajeeb-wazed & mother sheikh-hasina

sajeeb-wazed & mother sheikh-hasina

Advertisment

ସମଗ୍ର ବାଂଲାଦେଶରେ ସ୍ଥିତି ଅସମ୍ଭାଳ। ଚାରିଆଡ଼େ ପୋଡ଼ାଜଳା, ଅରାଜକତା। ଏପରି ସ୍ଥିତିରେ ଖୁବ୍‌ ଶୀଘ୍ର ବାଂଲାଦେଶ ଆଉ ଏକ ପାକିସ୍ତାନରେ ପରିଣତ ହେବ। ଏହାହିଁ ତା’ର ଭାଗ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ଶେଖ ହସିନାଙ୍କ ପୁଅ ସଜୀବ ୱାଜେଦ।

Advertisment

ଶେଖ ହସିନା ଗତକାଲି ବାଂଲାଦେଶ ଛାଡ଼ି ଭାରତ ଆସିଥିବା ବେଳେ ହିଣ୍ଡନ ଏୟାରବେସ୍‌ରେ ଥିବା ସେଫ୍ ହାଉସ୍‌ରେ ରହୁଛନ୍ତି। ତାଙ୍କ ସୁରକ୍ଷାକୁ କଡ଼ାକଡ଼ି କରାଯାଇଛି। ଇତି ମଧ୍ୟରେ ସାମନାକୁ ଆସିଛି ଶେଖ ହସିନାଙ୍କ ପୁଅ ସଜୀବ ୱାଜେଦଙ୍କ ପ୍ରତିକ୍ରିୟା।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ସଜୀବ ୱାଜେଦ କହିଛନ୍ତି, ମୋ’ ମା’ ବାଂଲାଦେଶକୁ ସର୍ବୋତ୍ତମ ଶାସନ ଦେଇଛନ୍ତି। ସେ କିଛି ବି ଭୁଲ୍‌ କରି ନାହାନ୍ତି। ସେ ଦେଶରେ ମୁଣ୍ଡ ଟେକୁଥିବା ଆତଙ୍କାବାଦର ଦୃଢତାର ସହ ମୁକାବିଲା କରିଛନ୍ତି। ବାଂଲାଦେଶ ନିମନ୍ତେ ସେ ଯାହା କରିବା କଥା ତାହା କରି ସାରିଛନ୍ତି।

Advertisment

ଏପରି ସ୍ଥିତିରେ ବି ମୋ’ ମା’ ଦେଶ ଛାଡ଼ି ଆସିବାକୁ ପ୍ରସ୍ତୁତ ନ ଥିଲେ। ମାତ୍ର ତାଙ୍କ ସୁରକ୍ଷା ଆମର ପ୍ରାଥମିକତା। ତେଣୁ ବହୁ ବୁଝାଶୁଝା ପରେ ତାଙ୍କୁ ସେଠାରୁ ଆଣିବାକୁ ସକ୍ଷମ ହୋଇ ପାରିଛୁ ବୋଲି କହିଛନ୍ତି ସଜୀବ ।

ବାଂଲାଦେଶର ସାମ୍ପ୍ରତିକ ସ୍ଥିତି ସମ୍ପର୍କରେ ଆଲୋଚନା କରି ସେ କହିଛନ୍ତି, ବାଂଲାଦେଶରେ ଦେଖାଦେଇଥିବା ଅରାଜକତା ପଛରେ ଜମାତ-ଏ-ଇସଲାମୀ ସଙ୍ଗଠନର ହାତ ରହିଛି। ଏଥିରେ ବାଂଲାଦେଶର ସାଧାରଣ ଜନତା ସାମିଲ ନାହାନ୍ତି। ତେଣୁ ବାଂଲାଦେଶ ଏବେ ଆଉ ଏକ ପାକିସ୍ତାନରେ ପରିଣତ ହେବ। ଏଥିରେ କୌଣସି ସନ୍ଦେହ ନାହିଁ ବୋଲି କହିଛନ୍ତି ସଜୀବ।

ବାଂଲାଦେଶରେ ଛାତ୍ରଙ୍କ ଆନ୍ଦୋଳନ ପ୍ରାୟ ମାସେରୁ ଅଧିକ ଦିନ ହେବ ଚାଲିଥିବା ବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ଫୋର୍ସର ବ୍ୟବହାର କରିବା ଜରୁରୀ ହୋଇ ପଡ଼ିଥିଲା। କିନ୍ତୁ ଛାତ୍ରଙ୍କ ସ୍ୱରକୁ ଚାପିବା ପାଇଁ ସେନାର ବ୍ୟବହାର ନ କରିବା ନିମନ୍ତେ ମୋ’ ମା’ ନିଷ୍ପତ୍ତି ନେଇଥିଲେ। ତେଣୁ ସେ ଇସ୍ତଫା ଦେବାକୁ ଉଚିତ ମଣିଲେ।

ମୋ’ ମା’ ବାଂଲାଦେଶକୁ ଏକ ବିକଶିତ ରାଷ୍ଟ୍ରରେ ପରିଣତ କରିବାକୁ ଚାହୁଁଥିଲେ। ଏଥିନିମନ୍ତେ ଗତ ୧୫ ବର୍ଷ ଧରି ସେ ଖୁବ୍‌ କଠିନ ପରିଶ୍ରମ କରୁଥିଲେ। ଏପରିକି ଦେଶକୁ ଆତଙ୍କବାଦୀଙ୍କ କବଳରୁ ସୁରକ୍ଷିତ ରଖିଥିଲେ। ମାତ୍ର ଅଳ୍ପସଂଖ୍ୟକ, ବିପକ୍ଷ ଓ ଉଗ୍ରବାଦୀମାନେ ମିଳିତ ଭାବେ ମୋ’ ମା’ଙ୍କୁ ଗାଦିଚ୍ୟୁତ କରିଛନ୍ତି। ଏବେ ବାଂଲାଦେଶର ଜନତାଙ୍କ ଭବିଷ୍ୟତ ସେମାନଙ୍କ ହାତରେ। କାରଣ ସେମାନଙ୍କୁ ସୁରକ୍ଷା ଯୋଗାଇବା ନିମନ୍ତେ ମୋ’ ମା’ ଆଉ ସେଠାକୁ ଯିବେନି।

ବାଂଲାଦେଶରେ ଖୁବ୍‌ ଶୀଘ୍ର ନିର୍ବାଚନ ହେବ ବୋଲି ଆଶା କରୁଛୁ। ହେଲେ ତାହା କେତେ ନିରପେକ୍ଷ ହେବ ତାହା ଆମେ ଜାଣିନୁ। ଏଥିସହ ଆମ ଦଳର କାର୍ଯ୍ୟକର୍ତ୍ତା ଓ ସଦସ୍ୟଙ୍କୁ ସେମାନେ ଟାର୍ଗେଟ କରିବାକୁ ପଛାଉ ନାହାନ୍ତି। ଆମ ପାର୍ଟି କାର୍ଯ୍ୟକର୍ତ୍ତାଙ୍କ ଉପରେ ବିଭିନ୍ନ ସ୍ଥାନରେ ହମଲା ହେଉଛି। ଯେକୌଣସି ପରିସ୍ଥିତିରେ ବି ଆମେ ଆମ କାର୍ଯ୍ୟକର୍ତ୍ତାଙ୍କ ସୁରକ୍ଷା କରିବୁ। କିନ୍ତୁ ବାଂଲାଦେଶର ଭବିଷ୍ୟତ ପାଇଁ ଏବେ ଆମେ ଆଉ ଦାୟୀ ନୁହଁ। କି ବାଂଲାଦେଶକୁ ବଞ୍ଚାଇବାକୁ ମୋ ମା’ ଆଉ ସେଠାକୁ ଯିବେନି ବୋଲି ବି ସଫା ସଫା କହିଛନ୍ତି ସଜୀବ।

ନିଜ ମା’ଙ୍କ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରି ସଜୀବ କହିଛନ୍ତି, ସେ ଏବେ ୭୭ ବର୍ଷର ହେଲେଣି। ସେ ଏବେ ନିଜ ନାତିନାତୁଣୀଙ୍କ ସହ ବିଭିନ୍ନ ଦେଶରେ ସମୟ ଅତିବାହିତ କରିବେ। କିନ୍ତୁ ବାଂଲାଦେଶର ବର୍ତ୍ତମାନର ପରିସ୍ଥିତି ତାଙ୍କୁ ଗଭୀର ଧକ୍କା ଦେଇଥିବା ବେଳେ ସେ ମାନସିକ ରୂପେ ଭାଙ୍ଗି ପଡ଼ିଛନ୍ତି।

ଏଥିସହ ନିଜ ମା’ ବ୍ରିଟେନରେ ରହିବାକୁ ଶରଣ ମାଗିଥିବା ପ୍ରସଙ୍ଗ ଉପରେ ସାଜିଦ କହିଛନ୍ତି, ସେ ଏ ପର୍ଯ୍ୟନ୍ତ କୌଣସି ଦେଶଠୁ ଶରଣ ମାଗି ନାହାନ୍ତି। ଆମେ ଦୀର୍ଘ ଦିନ ଧରି ଭାରତ ପ୍ରଧାନମନ୍ତ୍ରୀ ମୋଦିଙ୍କର ବି ଖୁବ୍‌ ନିକଟତର ରହି ଆସିଛୁ।

Bangladesh Sheikh Hasina Bangladesh Violence
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe