Advertisment

ଆମେରିକା ରାଷ୍ଟ୍ରପତି ନିର୍ବାଚନ ରେସ୍‌ରୁ ଓହରିଲେ ବାଇଡେନ

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଆସିଛି ନାଟକୀୟ ମୋଡ। ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବାଇଡେନ୍।

author-image
Niharika Rout
 Joe biden

Joe biden

ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଆସିଛି ନାଟକୀୟ ମୋଡ। ଆଗାମୀ ରାଷ୍ଟ୍ରପତି ନିର୍ବାଚନ ଲଢିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ବାଇଡେନ୍। ଚିଠି ଲେଖି ଏହାର ଘୋଷଣା କରିବା ସହ ରାଷ୍ଟ୍ରପତି ପ୍ରାର୍ଥୀ ଦୌଡରୁ ସେ ଓହରି ଯାଇଛନ୍ତି। ଦେଶ ଓ ଦଳର ହିତ ପାଇଁ ସେ ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ବାଇଡେନ୍।

Advertisment

ଗତ ମାସ ୨୭ ତାରିଖରେ ଅନୁଷ୍ଠିତ ଲାଇଭ୍ ଡିବେଟରେ ଟ୍ରମ୍ପଙ୍କଠାରୁ ବାଇଡେନ୍ ଅତି ଦୁର୍ବଳ ପ୍ରଦର୍ଶନ କରିଥିଲେ। ଏହାପରେ ତାଙ୍କୁ ସମାଲୋଚନା ଶିକାର ହେବାକୁ ପଡିଥିଲା। ଏପରିକି ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ସମେତ ଅନେକ ଡେମୋକ୍ରାଟିକ ସାଂସଦ ବାଇଡେନଙ୍କୁ ନିର୍ବାଚନରୁ ଓହରିଯିବାକୁ ପରାମର୍ଶ ଦେଇଥିଲେ। ଏପରିକି ତାଙ୍କ ବୟସ ଓ ସାମର୍ଥ୍ୟ ଉପରେ ଉଠିଥିଲା ପ୍ରଶ୍ନ। ଏହାପରେ ସେ ନିର୍ବାଚନ ରେସରୁ ଓହରିଯିବା ନେଇ ଚର୍ଚ୍ଚା ହେଉଥିଲା।

ଗତକାଲି ରାତିରେ ଏ ନେଇ ବାଇଡେନ ଘୋଷଣା କରିବା ସହ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଏକ ଚିଠି ଲେଖିଥିଲେ। ଉକ୍ତ ଚିଠିରେ ସେ ନିଜ କାର୍ଯ୍ୟକାଳ ସମୟରେ ହୋଇଥିବା ଉଲ୍ଲେଖନୀୟ କାର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ।

Advertisment

ଏଥିସହ ସେ କହିଛନ୍ତି, ଯେଉଁମାନେ ମୋତେ ପୁନର୍ବାର ରାଷ୍ଟ୍ରପତି ଭାବେ ଦେଖିବାକୁ ଖୁବ୍‌ ଚେଷ୍ଟା ଜାରି ରଖିଥିଲେ, ମୁଁ ସେମାନଙ୍କ ପ୍ରତି ଖୁବ୍‌ କୃତଜ୍ଞତା ଜ୍ଞାପନ କରୁଛି। ଏପରିକି ମୋର କାର୍ଯ୍ୟକାଳ ସମୟରେ ଭାଗିଦାରୀ ହୋଇଥିବା ଉପରାଷ୍ଟ୍ରପତି କମଳା ହାରିସଙ୍କୁ ମୁଁ ଧନ୍ୟବାଦ ଦେବାକୁ ଚାହୁଁଛି।  ଆମେରିକାବାସୀ ମୋ’ ଉପରେ ବିଶ୍ୱାସ ପ୍ରକଟ କରିବା ସହ ବହୁ ମାତ୍ରାରେ ଭଲ ପାଇବା ଦେଇଥିବାରୁ ସେମାନଙ୍କ ନିକଟରେ ମୁଁ ଚିର ଋଣୀ।

ଏଥିସହ ସେ କହିଛନ୍ତି, ଆଜି ଆମେରିକା ବିଶ୍ୱର ସବୁଠୁ ମଜଭୁତ ଅର୍ଥ ବ୍ୟବସ୍ଥା ପାଲଟିଛି। ଗତ ୩ ବର୍ଷରେ ଏକ ରାଷ୍ଟ୍ର ରୂପେ ଆମେ ଖୁବ୍‌ ପ୍ରଗତି କରିଛୁ । ଆମେ ରାଷ୍ଟ୍ରର ପୁନଃନିର୍ମାଣ କରିବା ସହ ମେଡିକାଲ ସେବାକୁ ଦେଶବାସୀଙ୍କ ପାଇଁ ଖୁବ୍‌ ଶସ୍ତା କରିଛୁ।

ଏଥିସହ ସେ କହିଛନ୍ତି, ମହାମାରୀ ଓ ମହାମାନ୍ଦାବସ୍ଥା ପରି ଆର୍ଥିକ ସଙ୍କଟ ଉପରେ ବି ଆମେ କାବୁ ପାଇବା ସହ  ଆମ ଲୋକତନ୍ତ୍ରକୁ ରକ୍ଷା କରି ପାରିଛୁ। ରାଷ୍ଟ୍ରପତି ଭାବେ ଦେଶବାସୀଙ୍କୁ ସେବା ଯୋଗାଇବା ମୋ’ ପାଇଁ ସବୁଠୁ ବଡ଼ ସମ୍ମାନ । ପୁଣି ଥରେ ରାଷ୍ଟ୍ରପତି ନିର୍ବାଚନ ଲଢ଼ିବାକୁ ମୋର ଇଚ୍ଛା ଥିଲେ ବି ଦେଶର ସର୍ବୋତ୍ତମ ସ୍ୱାର୍ଥ ଦୃଷ୍ଟିରୁ ଏହା ମୋର ଶେଷ କାର୍ଯ୍ୟକାଳ ହେବାକୁ ଯାଉଛି। ତେଣୁ ବର୍ତ୍ତମାନର ରାଷ୍ଟ୍ରପତି ହିସାବରେ ମୁଁ କର୍ତ୍ତବ୍ୟ ସମ୍ପାଦନ କରିବାକୁ ପ୍ରଥମ ପ୍ରାଥମିକତା ଦେବି ।

 ବାଇଡେନ୍ ଓହରିଯିବା ପରେ ଡେମୋକ୍ରାଟିକ୍ ଦଳ କାହାକୁ ପ୍ରାର୍ଥୀ କରିବ ତା’ ଉପରେ ସମସ୍ତଙ୍କ ନଜର ରହିଛି। ରେସ୍‌ରେ ଭାରତୀୟ ବଂଶୋଦ୍ଭବ କମଳା ହାରିସଙ୍କ ସମେତ ୭ରୁ ୮ ଜଣ ଅଛନ୍ତି। ତେବେ ସବୁଠୁ ଆଗରେ ରହିଛନ୍ତି କମଳା ରେସ୍। ଆସନ୍ତା ନଭେମ୍ବର ୫ ତାରିଖରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ହେବ।

Joe Biden USA USA Election