ଗୁଳି ମାଡ଼ କରିଥିବା ଆତଙ୍କୀ
ଆମେରିକାର ହ୍ୱାଇଟ ହାଉସ ନିକଟରେ ଆତଙ୍କବାଦୀ(Terrorist) ହମଲା। ହ୍ୱାଇଟ ହାଉସ ନିକଟରେ ମୁତୟନ ଥିବା ସୁରକ୍ଷାକର୍ମୀଙ୍କ ଉପରେ ହୋଇଛି ଗୁଳିମାଡ଼। ଏଥିରେ ଦୁଇ ଜଣ ସୁରକ୍ଷାକର୍ମୀ ଗୁରୁତର ଆହତ ହୋଇଥିବା ବେଳେ ଗୁଳି ମାଡ଼ କରିଥିବା ଆତଙ୍କବାଦୀକୁ ପୁଲିସ୍ ଗିରଫ କରିଛି।
ଆମେରିକା(USA) ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏପରି ଆକ୍ରମଣକୁ ଆତଙ୍କୀ କାର୍ଯ୍ୟକଳାପ ଓ ମାନବତା ବିରୋଧୀ ଅପରାଧ ବୋଲି କହିଛନ୍ତି। ଗୁଳି ମାଡ଼ ଘଟଣାରେ ଗିରଫ ହୋଇଥିବା ବ୍ୟକ୍ତି ଜଣକ ଆଫଗାନିସ୍ତାନ ନାଗରିକ। ସେ ୨୦୨୧ରେ ଆମେରିକା ଆସିଥିଲା। ଏଠାରେ ୪ ବର୍ଷ ହେଲା ଶରଣାର୍ଥୀ ଭାବେ ଜୀବନ ବିତାଉଥିବା ବେଳେ ଏବେ ସେ ଆମେରିକାର ହାର୍ଟ କୁହାଯାଉଥିବା ହ୍ୱାଇଟ ହାଉସ ନିକଟରେ ଗୁଳିମାଡ଼ କରିଛି।
ଏହି ଘଟଣା ପରେ ଆମେରିକା ପକ୍ଷରୁ ନିଆଯାଇଛି ବଡ଼ ପଦକ୍ଷେପ। ଆଫଗାନ ନାଗରିକଙ୍କ ସମସ୍ତ ଇମିଗ୍ରେସନ ଅନୁରୋଧ ଉପରେ ଆମେରିକା ପକ୍ଷରୁ ରୋକ ଲଗାଇ ଦିଆଯାଇଛି। ସ୍ପଷ୍ଟ ଦିବାଲୋକରେ ଜଣେ ଆଫଗାନ ନାଗରିକ ହ୍ୱାଇଟ ହାଉସ ନିକଟରେ ଗୁଳି ମାଡ଼ କରିଥିବାରୁ ଆମେରିକା ଏପରି ପଦକ୍ଷେପ ନେଇଛି।
ଆମେରିକା ନାଗରିକତ୍ୱ ଓ ଇମିଗ୍ରେସନ ସେବା ପକ୍ଷରୁ କୁହାଯାଇଛି ଯେ ତତ୍କାଳ ଭାବେ ଆଫଗାନ ନାଗରିକଙ୍କ ସହ ଜଡ଼ିତ ସମସ୍ତ ପ୍ରକାରର ଇମ୍ରଗେସନ ଅନୁରୋଧ ପ୍ରକ୍ରିୟାକୁ ବନ୍ଦ କରାଯାଉଛି। ଆଗାମୀ ସୁରକ୍ଷା ପ୍ରୋଟକଲର ଯାଞ୍ଚ ଶେଷ ହେବା ଯାଏ ଏପରି ନିୟମ ବଳବତ୍ତର ରହିବ। ଆମେରିକା ନାଗରିକଙ୍କ ସୁରକ୍ଷା ସର୍ବୋପରି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।
ଶରଣାର୍ଥୀମାନଙ୍କୁ ନିଜକୁ ଦେଶକୁ ପଠାଇବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ ପଦକ୍ଷେପ ନେଉଥିବା ବେଳେ ୨୦୨୧ ପରେ ଆଫଗାନ ଛାଡ଼ି ଆମେରିକା ଆସିଥିବା ଲୋକଙ୍କ ଯାଞ୍ଚ ପୁଣି କରାଯିବ ବୋଲି କହିଛନ୍ତି।
ହ୍ୱାଇଟ ହାଉସ ନିକଟରେ ଦୁଇ ଜଣ ଜାତୀୟ ଗାର୍ଡଙ୍କ ଉପରେ ଗୁଳି ଚଳାଇଥିବା ବ୍ୟକ୍ତି ଜଣକ ହେଉଛି ରହମନୁଲ୍ଲା ଲକନୱାଲ। ୨୦୨୧ରେ ତାଲିବାନ ଆଫଗାନକୁ ଦଖଲ କରିବା ପରେ ସେ କାବୁଲ ଛାଡ଼ି ଦେଇଥିଲା। ଏହାପରେ ୱାଶିଂଟନର ବେଲିଙ୍ଗହାମରେ ସେଟଲ ହୋଇଯାଇଥିଲା। ବାଇଡେନ ପ୍ରଶାସନର Operation Allies Welcome କାର୍ଯ୍ୟକ୍ରମ ଜରିଆରେ ସେ ଆମେରିକାରେ ପ୍ରବେଶ କରିଥିଲା।
୨୦୨୧ରେ ଆମେରିକା ପକ୍ଷରୁ ଆଫଗାନରୁ ସେନା ପ୍ରତ୍ୟାହାର କରାଯାଇଥିଲା। ଏହାପରେ ତାଲିବାନ ଉକ୍ତ ଦେଶକୁ ଦଖଲ କରିଥିଲା। ଏହାପରେ ଅନେକ ଆଫଗାନ ନାଗରିକ ଦେଶ ଛାଡ଼ିଥିଲେ। ସେମାନଙ୍କ ପାଇଁ Operation Allies Welcome କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ ବାଇଡେନ ପ୍ରଶାସନ। ଏହି କାର୍ଯ୍ୟକ୍ରମ ଜରିଆରେ ପ୍ରାୟ ୭୬ ହଜାର ଲୋକ ଆମେରିକାରେ ପ୍ରବେଶ କରିଥିଲେ।
ଗୁଳିମାଡ଼ କରିଥିବା ରହମନୁଲ୍ଲା ମଧ୍ୟ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ଆହତ ହୋଇଛି। ହେଲେ ତା’ ଜୀବନ ପ୍ରତି କୌଣସି ବିପଦ ନଥିବା ଜଣାପଡ଼ିଛି। ଆକ୍ରମଣକୁ ଆତଙ୍କବାଦୀ କାର୍ଯ୍ୟକଳାପ ଭାବେ ଚିତ୍ରିତ କରି ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ ୨ ଜାତୀୟ ଗାର୍ଡଙ୍କ ଉପରେ ଆକ୍ରମଣ ମାନବତା ବିରୋଧୀ ଅପରାଧ।
ଜୋ ବାଇଡେନ ପ୍ରଶାସନ ପାଇଁ ଏପରି ଗୁଳିକାଣ୍ଡ ଘଟିଛି। ଆଫଗାନିସ୍ତାନକୁ ସେ ନର୍କରଚ୍ଛେଦ ବୋଲି ମଧ୍ୟ କହିବାକୁ ପଛାଇ ନାହାନ୍ତି। ସେ କହିଛନ୍ତି, “ଏହା ଗୋଟିଏ ଭୟଙ୍କର କାଣ୍ଡ ଓ ରାକ୍ଷାସର କାର୍ଯ୍ୟ। ଏହା ଗୋଟିଏ ଘୃଣା ଓ ଆତଙ୍କୀ କାର୍ଯ୍ୟକଳାପ। ଏହା ଆମ ଦେଶ ବିରୋଧରେ ଅପରାଧ। ଏହା ମାନବତା ବିରୋଧୀ ଅପରାଧ। ଅପରାଧ ଘଟାଇଥିବା ଲୋକ ଆଫଗାନିସ୍ତାନରୁ ଆମ ଦେଶରେ ପ୍ରବେଶ କରିଥିଲା। ତା’କୁ ଗିରଫ କରାଯାଇଛି।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2025/11/27/usa-2025-11-27-09-53-27.jpg)