/odisha-reporter/media/media_files/2026/02/13/bnp-2026-02-13-13-17-10.jpg)
ତାରିକ ରହମନ
କ୍ଷମତା ଦଖଲ ପାଇୱ ଦୀର୍ଘ ୨୦ ବର୍ଷର ଅପେକ୍ଷାରେ ପଡ଼ିଛି ପୂର୍ଣ୍ଣଚ୍ଛେଦ। ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି ବା ବିଏନପି ଦେଶରେ ପରବର୍ତ୍ତୀ ସରକାର ଗଠନ କରିବାକୁ ଯାଉଥିବା ଏକ ପ୍ରକାରର ନିଶ୍ଚିତ ହୋଇଛି। ବାଂଲାଦେଶର ୧୩ତମ ସାଧାରଣ ନିର୍ବାଚନ(Bangladesh Election)ରେ ଐତିହାସିକ ବିଜୟ ହାସଲ କରିଛି ବିଏନପି। ରାଜନୀତିକ ଅସ୍ଥିରତା ଦେଇ ଗତବର୍ଷ ଠାରୁ ଗତି କରୁଥିବା ବାଂଲାଦେଶକୁ ବିଏନପି ରୂପରେ ମିଳିଛି ନୂଆ ଆଶା।
୨୦୦୧ରେ ତାରିକ ରହମନଙ୍କ ନେତୃତ୍ୱାଧୀନ ବିଏନପି ଶେଷଥର ବାଂଲାଦେଶରେ ସରକାର ଗଠନ କରିଥିଲା। ପ୍ରାୟ ୨ ଦଶନ୍ଧି ପରେ ଏବେ ବିଏନପି ଦେଶରେ ସରକାର ଗଠନ କରିବାକୁ ଯାଉଛି। ବିଏନପି ସାଧାରଣ ନିର୍ବାଚନରେ ବାଜିମାତ କରିଥିବାରୁ ତାରିକ ରହମନ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି।
ଦୀର୍ଘ ୧୭ ବର୍ଷ ଧରି ସେ ନିର୍ବାସନ ଦଣ୍ଡ ଭୋଗୁଥିଲେ। ଶେଖ ହସିନା ସରକାର ସମୟରେ ତାଙ୍କୁ ଲଣ୍ଡନରେ ରହିବାକୁ ପଡ଼ିଥିଲା। ୨୦୨୪ ଅଗଷ୍ଟରେ ଶେଖ ହସିନା ବିକ୍ଷୋଭ ଯୋଗୁ ଦେଶ ଛାଡ଼ିବା ପରେ ନିକଟରେ ବାଂଲାଦେଶକୁ ଫେରିଥିଲେ ରହମନ। ଏବେ ସେ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି। ୨୦୦୮ରୁ ୨୦୨୫ ଯାଏ ତାଙ୍କୁ ନିର୍ବାସନ ଦଣ୍ଡ ଭୋଗିବାକୁ ପଡ଼ିଥିଲା।
ବାଂଲାଦେଶର ୩୦୦ ଆସନ ବିଶିଷ୍ଟ ସଂସଦରେ ବିଏନପି ଓ ଏହାର ସହଯୋଗୀ ଦଳ ପ୍ରାୟ ୨୦୯ଟି ଆସନ ଜିତିବାକୁ ଯାଉଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସରକାର ଗଠନ ପାଇଁ ୧୫୧ ଆସନ ଦରକାର ଥିବା ବେଳେ ଏହା ଠାରୁ ଯଥେଷ୍ଟ ଅଧିକ ଆସନ ଜିତିଛି ବିଏନପି ମେଣ୍ଟ।
ବିଏନପି ଇତିହାସ ରଚିଥିବା ବେଳେ ଜମାତ-ଇସଲାମୀ ବଡ଼ ପରାଜୟର ସମ୍ମୁଖୀନ ହୋଇଛି। ଦଳର ଆସନ ସଂଖ୍ୟା ଦୁଇ ଅଙ୍କରେ ସୀମିତ ହୋଇଯାଇଛି। ଜମାତ-ଇ-ଇସଲାମୀ ୫୬ଟି ଆସନ ଜିତିବାକୁ ଯାଉଛି।
ବାଂଲାଦେଶ ସଂସଦର ୩୦୦ଟି ଆସନରୁ ୧୨ ଫେବୃଆରୀରେ ୨୯୯ଟିରେ ଭୋଟିଂ ହୋଇଥିଲା। ଶେରପୁର-୩ର ନିର୍ବାଚନକୁ ଜଣେ ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁ ସ୍ଥଗିତ ରଖାଯାଇଛି।
ବାଂଲାଦେଶ ନିର୍ବାଚନ କମିଶନଙ୍କ କହିବା କଥା ଯେ ପୂରା ଦେଶରେ ୬୦.୬୯% ଭୋଟିଂ ହୋଇଥିଲା। ଅଧିକାଂଶ ସ୍ଥାନରେ ବେଶ ଶାନ୍ତିପୂର୍ଣ୍ଣ ଭାବେ ମତଦାନ ଶେଷ ହୋଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
