Advertisment

ଇସ୍ରାଏଲରେ ହମାସର ଆକ୍ରମଣ: ପ୍ରଥମଥର ସାମ୍ନାକୁ ଆସିଲା ନରସଂହାର ପୂର୍ବର ଭିଡିଓ

ଇସ୍ରାଏଲ ଉପରେ ହମାସ କରିଥିବା ଆକ୍ରମଣର ଭିଡିଓ ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ) ସାର୍ବଜନୀନ କରିଛି। ଗାଜାର ପୂର୍ବ ସୀମାନ୍ତରୁ ହମାସ ଅକ୍ଟୋବର ୭ରେ ହମଲା ଆରମ୍ଭ କରିଥିବା ଦୃଶ୍ୟ ଏଥିରେ ରହିଛି।

author-image
Hemant Lenka
ଅଦ୍ୟତନ ହୋଇଛି
Israel

Israel

ଅକ୍ଟୋବର ୭ ତାରିଖ। ପୂର୍ବ ଗାଜାରେ ସୂର୍ଯ୍ୟ ଉଦୟ ହେବାକୁ ଆଉ କିଛି ମୁହୂର୍ତ୍ତ ବାକି ରହିଥିଲା। ଭୋର ସମୟରେ ହମାସ ସଂଗଠନର କିଛି ସଦସ୍ୟ ରାସ୍ତାରେ ଅପେକ୍ଷା କରିଥିବା ବେଳେ ଆଉ କିଛି ଧଳା ରଙ୍ଗର ପିକଅପ ଟ୍ରକରେ ବସିଥିଲେ। ଆଉ କିଛି ବାଇକରେ ଥିଲେ। ସେମାନେ କିଛି ବାଟ ଯାଇ ସବୁ କିଛି ଯାଞ୍ଚ କରିଥିଲେ। ଭିଡିଓ ରେକର୍ଡିଂ ଠିକ ଭାବେ ହେଉଛି ଓ ସେମାନଙ୍କ ଅସ୍ତ୍ରଶସ୍ତ୍ର ଗର୍ଜିବା ପାଇଁ ପ୍ରସ୍ତୁତ ରହିଛି କି ନାହିଁ, ତା’କୁ ପରଖି ଥିଲେ।

Advertisment

କିଛି ଦୂରତାରେ ବିସ୍ଫୋରଣ ହେବା ମାତ୍ରେ ହମାସ ସଦସ୍ୟମାନେ ନିଜ ଲକ୍ଷ୍ୟ ସ୍ଥଳରେ ବାହାରି ପଡ଼ିଥିଲେ। ସେମାନେ ଇସ୍ରାଏଲ ସୀମାନ୍ତ ଆଡ଼କୁ ଯାଉଥିବା ବେଳେ ଆଲ୍ଲା ହୁ ଆକବର ନାରା ମଧ୍ୟ ଦେଇଥିଲେ।

ଯାତ୍ରା ଆରମ୍ଭ କରିବାର ୩ ମିନଟ ପରେ ସେମାନେ ଗାଜା ଠାରୁ ଇସ୍ରାଏଲକୁ ଅଲଗା କରୁଥିବା ପ୍ରଥମ ଚେକପୋଷ୍ଟ ଅତିକ୍ରମ କରିଥିଲେ। ସେମାନେ ତାର ବାଡ଼ ଭାଙ୍ଗି ଆଗକୁ ବଢ଼ିଥିଲେ। କିନ୍ତୁ ଏହାପୂର୍ବରୁ ସେଠାରେ ସେମାନେ ବିସ୍ଫୋରଣ କରିଥିଲେ କି, ସେକଥା ଜଣାପଡ଼ିନାହିଁ।

Advertisment

ଇସ୍ରାଏଲ ଉପରେ ହମାସ କରିଥିବା ଆକ୍ରମଣର ଭିଡିଓ ଇସ୍ରାଏଲ ଡିଫେନ୍ସ ଫୋର୍ସ(ଆଇଡିଏଫ) ସାର୍ବଜନୀନ କରିଛି। ଗାଜାର ପୂର୍ବ ସୀମାନ୍ତରୁ ହମାସ ଅକ୍ଟୋବର ୭ରେ ହମଲା ଆରମ୍ଭ କରିଥିବା ଦୃଶ୍ୟ ଏଥିରେ ରହିଛି।

ଇସ୍ରାଏଲ ବିରୋଧୀ ଆକ୍ରମଣରେ ସାମିଲ ଥିବା ଜଣେ ହମାସ ସଦସ୍ୟଙ୍କ ଶରୀରରେ ଲାଗିଥିବା କ୍ୟାମେରାରେ ପୂରା ଦୃଶ୍ୟ କଏଦ ହୋଇଥିଲା। ଅକ୍ଟୋବର ୭ରେ ପ୍ରକୃତରେ କ’ଣ ଘଟିଥିଲା, ତା’ର ବାସ୍ତବଚିତ୍ର ସମସ୍ତଙ୍କୁ ଜଣାଇବା ପାଇଁ ଇସ୍ରାଏଲ ଏପରି ଭିଡିଓ ଜାରି କରିଥିବା କହିଛି।

ଅକ୍ଟୋବର ୭ରେ ହମାସ କରିଥିବା ଆକ୍ରମଣକୁ ଇସ୍ରାଏଲ ୯/୧୧ ଆତଙ୍କବାଦୀ ହମଲା ସହ ତୁଳନା କରିଛି। ହମାସ ଆକ୍ରମଣରେ ୧୨ଶହ ଲୋକ ପ୍ରାଣ ହରାଇଥିବା ବେଳେ ସଂଗଠନ ୨୦୦ରୁ ଅଧିକ ଲୋକଙ୍କୁ ପଣବନ୍ଦୀ କରି ନିଜ ସହ ନେଇ ଯାଇଛି।

ଇସ୍ରାଏଲ ଜାରି କରିଥିବା ଭିଡିଓରେ ଗାଜାରେ ଥିବା ହମାସର ଟନେଲ ଦୃଶ୍ୟ ରହିଛି। ଆକ୍ରମଣ ଦିନ ହମାସ ଉକ୍ତ ଟନେଲର ବ୍ୟବହାର କରିଥିବା ଇସ୍ରାଏଲ ଦାବି କରିଛି। ସାମ୍ନାକୁ ଆସିଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ ଗୁପ୍ତ ଭାବେ ଏକ ବିଶାଳ ରୁମ ରହିଛି।

ଏହାକୁ ଜଙ୍କସନ ଭାବେ ହମାସ ବ୍ୟବହାର କରୁଥିଲା। ଏହି ଜଙ୍କସନରୁ ବିଭିନ୍ନ ସ୍ଥାନକୁ ଛୋଟ ଛୋଟ ଟନେଲ ସବୁ ଲମ୍ବିଛି। ତାର ସହ ପାଇପ ଟନେଲ ଭିତରେ ଦେଖାଯାଉଛି। କିନ୍ତୁ ଲାଇଟ ଲାଗି ନାହିଁ। କେବଳ ବଡି କ୍ୟାମେରାରେ ଲାଗିଥିବା ଫ୍ଲାଶ ଲାଇଟରୁ ହିଁ ରାସ୍ତା ଦେଖାଯାଉଛି। ଟନେଲ ଭିତରେ କିଛି ଲୋକ ରହିଥିବା ବେଳେ ବ୍ଲୁ ରଙ୍ଗର ବାରେଲ୍ସ ସବୁ ସେଠାରେ ରଖାଯାଇଛି।

ଗୋଟିଏ ସ୍ଥାନରେ ଟନେଲ ଭିତରେ ସବୁ କିଛିର ରେକର୍ଡିଂ କରୁଥିବା ବ୍ୟକ୍ତି ଜଣଙ୍କ ଆଗକୁ ଆହୁରି ରାସ୍ତା ଥିବା ଫ୍ଲାଶଲାଇଟ ମାରି ଦେଖାଉଛନ୍ତି। ସେଠାରେ ମଧ୍ୟ ଗୋଟିଏ ସିଢ଼ିର ବ୍ୟବସ୍ଥା କରାଯାଇଛି। ନାଲି ରଙ୍ଗର ସ୍ପ୍ରେ ଦ୍ୱାରା କିଛି ଲେଖା ମଧ୍ୟ ହୋଇଛି।

ଇସ୍ରାଏଲ ପକ୍ଷରୁ ଜାରି କରାଯାଇଥିବା ଭିଡିଓର ଅବଧି ୧୦୦ ମିନିଟ। ନିରବଚ୍ଛିନ୍ନ ଭାବେ ଆକ୍ରମଣ ଆରମ୍ଭରୁ କ୍ୟାମେରା ଅନ କରାଯାଇଥିଲା ଓ ଏହା ବନ୍ଦ ହେବା ଯାଏ ରେକର୍ଡିଂ ଚାଲିଥିଲା। ଏହି ଭିଡିଓରେ ଯେଉଁ ସୁବ ସ୍ଥାନକୁ ଦେଖାଯାଇଛି, ସେସବୁ ପୂର୍ବରୁ ହମଲା ବେଳେ ସାମ୍ନାକୁ ଆସିଥିବା ସ୍ଥାନ ସହ ମେଳ ଖାଉଛି।

ପ୍ରଥମ ତାର ବାଡ଼ ଡେଇଁବା ପରେ ବନ୍ଧୁକ ଓ କ୍ୟାମେରାଧାରୀ ବ୍ୟକ୍ତି ଜଣଙ୍କ ଡାହାଣକୁ ଯିବା ପାଇଁ ସମସ୍ତଙ୍କୁ କହୁଛନ୍ତି। ଏହାର ଅର୍ଥ ସେ ହିଁ ଘଟଣା ଦିନ ହମାସର ଗୋଟିଏ ଗ୍ରୁପର ନେତୃତ୍ୱ ନେଉଥିଲେ।

ଏହାର ୨ ମିନିଟ ପରେ ହମାସ ସଦସ୍ୟମାନେ ଦ୍ୱିତୀୟ ତାର ବାଡ଼ ଡେଇଁଥିଲେ। ସେମାନେ ଇସ୍ରାଏଲରେ ପହଞ୍ଚି ଯାଇଥିଲେ ଓ କିବୁଟଜ ଆଡ଼େ ଯାଇଥିଲେ। ବିଲ୍‌ ଭଳି ଦେଖାଯାଉଥିବା ରାସ୍ତାରେ ସମସ୍ତେ ବାଇକ ଧରି ଆଗକୁ ବଢ଼ିଥିଲେ। କିଛି ହମାସ ସଦସ୍ୟ ଏକେ ୪୭ ଧରିଥିବା ବେଳେ ଆଉ କିଛି କାନ୍ଧରେ ରକେଟ ଲଞ୍ଚର ଧରିଥିଲା।

ଭିଡିଓର ୧୭ତମ ମିନିଟରେ ପିକଅପ ଟ୍ରକ ରହିଥିଲା ଓ ଏହା ମଧ୍ୟରେ ଥିବା ବନ୍ଧୁକଧାରୀମାନେ କିଛି ବିଲଡିଂକୁ ଟାର୍ଗେଟ କରି ପ୍ରଥମଥର ଗୁଳିମାଡ଼ କରିଥିଲେ। କିଛି ମିନିଟ ପରେ ଗୁଳିମାଡ଼ ବନ୍ଦ ହୋଇଥିଲା। ସମସ୍ତେ ପୁଣି ଏକାଠି ହୋଇଥିଲେ। ଏତିକି ବେଳେ ଜଣେ ବ୍ୟକ୍ତି ଅଯଥା ଫାଙ୍କା ଗୁଳି ନ ଚଳାଇବାକୁ କହିଥିଲେ।

ଗୋଟିଏ ସମୟରେ ହମାସ ସଦ୍ୟମାନେ ଭଗବାନଙ୍କୁ ଧନ୍ୟବାଦ ଦେବା ସହ ଏତେ ବାଟ ଆସିଥିବାରୁ ନିଜକୁ ଭାଗ୍ୟବାନ ମନେକରିଥିଲେ। ସେହିପରି ଇସ୍ରାଏଲର ଏତେ ଭିତରକୁ ସେମାନେ ପଶି ସାରିଥିଲେ ମଧ୍ୟ ଦେଶର ସେନା କୁଆଡ଼େ ଗଲେ ମଧ୍ୟ ତାଚ୍ଛଲ୍ୟ କରି ପ୍ରଶ୍ନ କରୁଥିବା ଶୁଣିବାକୁ ମିଳୁଛି।

ଇସ୍ରାଏଲର କିସୁଫିମ ସହରର ଉପକଣ୍ଠ ଅଞ୍ଚଳରେ ସେମାନେ ପହଞ୍ଚିବା ପରେ ହଠାତ୍‌ ଶରୀରରେ କ୍ୟାମେରା ଲଗାଇଥିବା ବ୍ୟକ୍ତି ଜଣଙ୍କ କାରରୁ ବାହାରିଥିଲେ। ସେ ଅନ୍ୟମାନଙ୍କ ସହ ଗୋଟିଏ ପଡ଼ିଆ ଆଡ଼କୁ ଯାଇଥିଲେ। ସେମାନେ ପରସ୍ପରକୁ କଭର ଦେବା ସହ ଆକ୍ରମଣ ମୁଦ୍ରାକୁ ଚାଲି ଆସିଥିଲେ। ଗୁଳି ଓ ଗ୍ରେନେଡେ ମାଡ଼ ଆରମ୍ଭ ହୋଇଥିଲା। କ୍ୟାମେରା ଲଗାଇଥିବା ବ୍ୟକ୍ତି ତଳେ ପଡ଼ିଥିବା ଜଣେ ଇସ୍ରାଏଲ ସୈନ୍ୟଙ୍କ ପାଖକୁ ଯାଇଥିଲେ। ଅତ୍ୟନ୍ତ ପାଖରୁ ସେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ।

ଅନ୍ୟ ହମାସ ସଦସ୍ୟମାନେ ଇସ୍ରାଏଲ ଯବାନଙ୍କ ପାଖରେ ଥିବା ତାଭୋର ରାଇଫଲ ନେଇ ଯାଇଥିଲେ। ସେଲଫି ଭିଡିଧ ପାଇଁ ଆକ୍ରମଣକାରୀ ଜଣଙ୍କ କ୍ୟାମେରାକୁ ବୁଲାଇଥିଲେ। ପ୍ରଣ୍ଟ କ୍ୟାମେରାରେ ସମସ୍ତେ ଆକ୍ରମଣର ସେଲିବ୍ରେସନ କରିଥିଲେ।

ମୁଣ୍ଡରେ ଲାଗିଥିବା କ୍ୟାମେରା ଆଗରେ ସେ ନିଜର ପରିଚୟ ସାର୍ବଜନୀନ କରିବା ସହ ଦୁଇ ଜଣ ଇସ୍ରାଏଲ ଯବାନଙ୍କୁ ହତ୍ୟା କରିଥିବା କହୁଛନ୍ତି। ଏଠାରେ ସମସ୍ତେ ବାଇକ ଯୋଗେ ଫାଙ୍କା ଥିବା ଇସ୍ରାଏଲ ରାସ୍ତାରେ ଆଗକୁ ବଢ଼ିଥିଲେ। ସେମାନେ ରାସ୍ତା ଅତିକ୍ରମ କରୁଥିବା ବେଳେ କିଛି ମୃତଦେହ ପଡ଼ିଥିବା ଦେଖିବାକୁ ମିଳୁଛି। ଏହାର ଅର୍ଥ ଏମାନଙ୍କ ପୂର୍ବରୁ ହମାସର ଅନ୍ୟମାନେ ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରି ସାରିଥିଲେ।

ଗାଜା ଡେଇଁବାର ୬୫ ମିନିଟ ମଧ୍ୟରେ ସେମାନେ ବିନା କୌଣସି ବାଧା ଓ ଭୟରେ ଆଗକୁ ବଢ଼ିଥିଲେ। ବିଭିନ୍ନ ସ୍ଥାନରେ ମଧ୍ୟ ଆକ୍ରମଣ କରିଥିଲେ। ସେମାନେ ପ୍ରାୟ ୧୦ କିମି ରାସ୍ତା ଅତିକ୍ରମ କରି ଇସ୍ରାଏଲର ଇନ ହାଶୋଶା ଓ କିସୁଫିମ ସହରରେ ତାଣ୍ଡବ ରଚିଥିଲେ।

ଶେଷରେ କ୍ୟାମେରାଧାରୀ ଓ ଅନ୍ୟ ହମାସ ସଦସ୍ରମାନେ କିବୁଟଜରେ ଥିବା ଗୋଟିଏ ମିଲିଟାରୀ ବେସ୍‌ ନିକଟରେ ପହଞ୍ଚିଥିଲେ। ବେସ ନିକଟରେ ପହଞ୍ଚିବା ପରେ ପୂରା ଘଟଣାର ଶୁଟିଂ କରୁଥିବା ବ୍ୟକ୍ତି ଜଣଙ୍କ ଇସ୍ରାଏଲ ଯବାନଙ୍କ ଠାରୁ ଆଣିଥିବା ବନ୍ଧୁକରୁ ଗୁଳିମାଡ଼ କରିଥିଲେ। ସେ ଗୁଳି ମାଡ଼ କରି ଗେଟ୍‌ ନିକଟରେ ପହଞ୍ଚିବା କ୍ଷଣି ଭିତରୁ ପାଲଟା ଆକ୍ରମଣ ହୋଇଥିଲା।

ଗୁଳି ତାଙ୍କ ଦେହରେ ମାଡ଼ ହେବାରୁ ସେ ଚିତ୍କାର କରି ତଳେ ପଡ଼ି ଯାଇଥିଲେ। କ୍ୟାମେରାର ରେକର୍ଡିଂ ମଧ୍ୟ ବନ୍ଦ ହୋଇଯାଇଥିଲା। ଏହି ବ୍ୟକ୍ତିଙ୍କ ଆକ୍ରମଣ ସିନା ଉକ୍ତ ସ୍ଥାନରେ ବନ୍ଦ ହୋଇଥିଲା। କିନ୍ତୁ ହମାସର ଅନ୍ୟ ସଦସ୍ୟମାନେ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ହମଲା ବନ୍ଦ କରି ନଥିଲେ। ହମାସର ଏପରି ଆକ୍ରମଣ ପରେ ଇସ୍ରାଏଲ ଯୁଦ୍ଧ ଘୋଷଣା କରିଥିଲେ। ଏବେ ଇସ୍ରାଏଲର ପାଲଟା ଆକ୍ରମଣେ ଗାଜା ଷ୍ଟ୍ରିପ ଚିନଛତ୍ର ହୋଇଯାଇଛି।

Israel-Palestine Conflict War Israel-Palestine War