Advertisment

ରାଷ୍ଟ୍ରପତିଙ୍କ ବଦଳରେ ଜି-୨୦ ପାଇଁ ଭାରତ ଆସିବେ ଚାଇନା ପ୍ରଧାନମନ୍ତ୍ରୀ

ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଜି-୨୦ ବୈଠକ ପାଇଁ ଦିଲ୍ଲୀ ଆସିବେ ନାହିଁ।

author-image
Hemant Lenka
China

China

ଭାରତର ରାଜଧାନୀ ନୂଆଦିଲ୍ଲୀରେ ଆସନ୍ତା ୯ ଓ ୧୦ ତାରିଖ ଦୁଇ ଦିନ ଧରି ୧୮ତମ ଜି-୨୦ର ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ଯୋଗ ଦେବା ପାଇଁ ଭାରତ ଗସ୍ତରେ ଆସିବେ ଚାଇନା ପ୍ରଧାନମନ୍ତ୍ରୀ ଲି କ୍ୟୁଆଙ୍ଗ। ଚାଇନାର ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଜି ଏହି ସୂଚନା ଦିଆଯାଇଛି।

Advertisment

ଏହାର ଅର୍ଥ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଜି-୨୦ ବୈଠକ ପାଇଁ ଦିଲ୍ଲୀ ଆସିବେ ନାହିଁ। ପୂର୍ବରୁ ଜିନପିଙ୍ଗ ଭାରତ ଆସିବେ ବୋଲି ଚର୍ଚ୍ଚା ହେଉଥିଲା। ନିକଟରେ ସେ ଦକ୍ଷିଣ ଆଫ୍ରିକା ଯାଇ ବ୍ରିକ୍ସ ସମ୍ମିଳନୀରେ ମଧ୍ୟ ଯୋଗ ଦେଇଥିଲେ। ତେଣୁ ସେ କ’ଣ ପାଇଁ ଭାରତ ଗସ୍ତ ବାତିଲ କଲେ, ତା’କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଭାରତ ସହ ସୀମା ବିବାଦ ଚାଲିଥିବାରୁ ଜିନପିଙ୍ଗ ଭାରତ ଆସୁ ନଥିବା କୁହାଯାଉଛି।

ଚାଇନା ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ମାଓ ନିଙ୍ଗ କହିଛନ୍ତି, ଭାରତର ନିମନ୍ତ୍ରଣକ୍ରମେ ନୂଆଦିଲ୍ଲୀରେ ଆୟୋଜିତ ହେବାକୁ ଥିବା ୧୮ତମ ଜି-୨୦ ବୈଠକରେ ଦେଶର ପ୍ରଧାନମନ୍ତ୍ରୀ ଲି କ୍ୟୁଆଙ୍ଗ ଯୋଗଦେବେ। ସେପ୍ଟେମ୍ବର ୯ ଓ ୧୦ ଦୁଇ ଦିନ ଧରି ଭାରତରେ ଜି-୨୦ ବୈଠକ ଚାଲିବ।

Advertisment

ଚାଇନାର ଆଶା ଯେ ଉକ୍ତ ସମ୍ମିଳନୀରେ ସମସ୍ତେ ଏକମତ ହେବେ, ପରସ୍ପରକୁ ବିଶ୍ୱାସକୁ ନେବେ ଓ ବିକାଶକୁ ଆଗକୁ ନେବା ପାଇଁ ଚେଷ୍ଟା କରିବେ। ଚାଇନା ସବୁବେଳେ ବିଭିନ୍ନ କାର୍ଯ୍ୟକ୍ରମକୁ ସର୍ବାଧିକ ଗୁରୁତ୍ୱ ଦିଏ ଓ ସକ୍ରିୟ ଭାବେ ସବୁଥିରେ ଭାଗ ନିଏ। ଦିଲ୍ଲୀ କାର୍ଯ୍ୟକ୍ରମରେ ଯୋଗଦେଇ ଲି କ୍ୟୁଆଙ୍ଗ ଜି-୨୦ ସହଭାଗିତା, ଜି-୨୦ର ଶକ୍ତି ଓ ଏକତା ବୃଦ୍ଧି ସମ୍ପର୍କରେ ନିଜର ମତ ରଖିବେ ବୋଲି ମୁଖପାତ୍ର ନିଙ୍ଗ କହିଛନ୍ତି।

ତେବେ ଜିନପିଙ୍ଗ ଦିଲ୍ଲୀ ନ ଆସିବା ପଛର କାରଣ ସମ୍ପର୍କରେ ସେ କିଛି ବି କହିନାହାନ୍ତି। ଜାକାର୍ତ୍ତାରେ ଅନୁଷ୍ଠିତ ହେବାକୁ ଥିବା Association of Southeast Asian Nations and East Asia summitରେ ମଧ୍ୟ ଜିନପିଙ୍ଗ ଯୋଗଦେବେ ନାହିଁ। ତାଙ୍କ ବଦଳରେ କ୍ୟୁଆଙ୍ଗ ହିଁ ଉକ୍ତ ବୈଠକରେ ସାମିଲ ହେବେ।

G20 Meet China India G20 Summit