Advertisment

ପୁଣି ଜି-୨୦ ସମ୍ମିଳନୀର ଆୟୋଜନ କରିବ ଆମେରିକା! ଆପତ୍ତି ଉଠାଇଲା ଚାଇନା

ନିୟମ ଅନୁସାରେ, ଜି-୨୦ର ସଦସ୍ୟ ରାଷ୍ଟ୍ରମାନେ ପର୍ଯ୍ୟାୟକ୍ରମେ ଏହାର ଅଧ୍ୟକ୍ଷତା କରନ୍ତି। ଭାରତ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରି ସାରିବା ପରେ ପୁଣି ଆମେରିକା ଏହାର ଆୟୋଜନ କରିବାକୁ ଆଗ୍ରହ ଦେଖାଇଛି।

author-image
Hemant Lenka
G20

G20

ଆସନ୍ତା ୨୦୨୬ ଜି-୨୦ ଶିଖର ସମ୍ମିଳନୀର ଆୟୋଜନ କରିବ ଆମେରିକା। ଏ ସମ୍ପର୍କରେ ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ପୂର୍ବରୁ ହିଁ ଘୋଷଣା କରି ସାରିଛି। ତେବେ ଏହା ଉପରେ ଆପତ୍ତି ଉଠାଇଛି ଚାଇନା।

Advertisment

ନିୟମ ଅନୁସାରେ, ଜି-୨୦ର ସଦସ୍ୟ ରାଷ୍ଟ୍ରମାନେ ପର୍ଯ୍ୟାୟକ୍ରମେ ଏହାର ଅଧ୍ୟକ୍ଷତା କରନ୍ତି। ଭାରତ, ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକା ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରି ସାରିବା ପରେ ପୁଣି ଆମେରିକା ଏହାର ଆୟୋଜନ କରିବାକୁ ଆଗ୍ରହ ଦେଖାଇଛି।

କିନ୍ତୁ ଚାଇନା ଏହା ଉପରେ ଆପତ୍ତି ଉଠାଇଥିବା ବେଳେ ଏହାକୁ ରୁଷ ମଧ୍ୟ ସମର୍ଥନ କରିଥିବା ଜଣାପଡ଼ିଛି। ବର୍ତ୍ତମାନ ଭାରତ ଅଧ୍ୟକ୍ଷତାରେ ଦିଲ୍ଲୀରେ ଜି-୨୦ ବୈଠକ ଚାଲିଛି। ଏହି ସମୟରେ ହିଁ ଏ ସମ୍ପର୍କରେ ଆଲୋଚନା ହୋଇଛି। କିନ୍ତୁ ଚାଇନାର ଆଭିମୁଖ୍ୟ ସମସ୍ତଙ୍କୁ ଚକିତ କରିଛି।

Advertisment

ବେଜିଂ ନିଜର ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଏହା ପଛର ନିର୍ଦ୍ଦିଷ୍ଟ କାରଣ କିଛି କହି ନାହିଁ। ସମ୍ଭବତଃ ଦିଲ୍ଲୀ ବୈଠକ ବେଳେ ଚାଇନା ନିଜର ପକ୍ଷ ସ୍ପଷ୍ଟ କରିପାରେ। ତଥାପି ୨୦୨୫ ଶେଷ ସୁଦ୍ଧା ଜି-୨୦ରେ ଥିବା ରାଷ୍ଟ୍ରଗୁଡ଼ିକ ଥରେ ଲେଖାଏ ସମ୍ମିଳନୀର ଅଧ୍ୟକ୍ଷତା କରି ସାରିଥିବେ। 

ଏହାପରେ ପୁଣି ରୋଟେସନ ଆରମ୍ଭ ହେବା କଥା। ଏହିକ୍ରମରେ ଆମେରିକା ଭାଗରେ ଅଧ୍ୟକ୍ଷତା କରିବାର ଅଧିକାର ପଡ଼ିବ। କାରଣ ୨୦୦୮ରେ ୱାଶିଂଟନରେ ଜି୨୦ ଦେଶମାନଙ୍କର ପ୍ରଥମ ବୈଠକ ଅନୁଷ୍ଠିତ ହୋଇଥିଲା। ଏହାପରେ ପର୍ଯ୍ୟାକ୍ରମେ ବିଭିନ୍ନ ରାଷ୍ଟ୍ର ଶିଖର ସମ୍ମିଳନୀର ଅଧ୍ୟକ୍ଷତା କରିଛନ୍ତି। 

ଆମେରିକା ସହ ଚାଇନା ଓ ରୁଷର ତିକ୍ତତା ଜାରି ରହିଛି। ଦୁଇ ଦେଶ ପରସ୍ପରକୁ ଖୋଲା ଚ୍ୟାଲେଞ୍ଜ ମଧ୍ୟ କରୁଛନ୍ତି। ସମ୍ଭବତଃ ଏହି କାରଣ ପାଇଁ ଦୁଇ ଦେଶ ଆମେରିକାକୁ ବିରୋଧ କରୁଥିବା କୁହାଯାଉଛି। ସେହିପରି ଦିଲ୍ଲୀ ବୈଠକରେ ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ କିମ୍ବା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ମଧ୍ୟ ଆସି ନାହାନ୍ତି।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଜି-୨୦ ରାଷ୍ଟ୍ରଗୁଡ଼ିକ ସବ ଗ୍ରୁପରେ ବିଭକ୍ତ ହୋଇଛନ୍ତି। ସବ ଗ୍ରୁପରେ ଥିବା ଦେଶ ଗୁଡ଼ିକ ହିଁ ସେମାନଙ୍କ ମଧ୍ୟରୁ କିଏ ଅଧ୍ୟକ୍ଷତା କରିବେ, ତା’ର ନିଷ୍ପତ୍ତି ନେବେ। ଆମେରିକା ଗ୍ରୁପରେ କାନାଡା, ଅଷ୍ଟ୍ରେଲିଆ ଓ ସାଉଦି ଆରବ ରହିଛି। ତେଣୁ ଏହି ୩ ଦେଶ ମିଳିତ ଭାବେ ଆମେରିକା ପରବର୍ତ୍ତୀ ଜି୨୦ ବୈଠକର ଅଧ୍ୟକ୍ଷତା କରିବ କି ନାହିଁ, ତା’ର ନିଷ୍ପତ୍ତି ନେବେ।

G20 Meet G20 Summit G20