Advertisment

ଟ୍ରମ୍ପଙ୍କ ଶୁଳ୍କ ପରେ ଚାଇନାର ଯୁଦ୍ଧ ଧମକ, ଚିନ୍ତାରେ ପୂରା ବିଶ୍ୱ

ଚାଇନା ଓ ଆମେରିକା ମଧ୍ୟରେ ତିକ୍ତତା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି। ଟ୍ରମ୍ପଙ୍କ ପାରସ୍ପରିକ ଶୁଳ୍କ ବ୍ୟବସ୍ଥା ଯୋଗୁ ଅନେକ ଛୋଟ ଛୋଟ ରାଷ୍ଟ୍ର ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି।

author-image
Hemant Lenka
Trump

Trump

ଡୋନାଲ୍ଡ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପରେ ଏମିତି ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେଉଛନ୍ତି, ଯାହା ପୂରା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇ ଦେଉଛି। ଏସବୁ ଭିତରେ ଟ୍ରମ୍ପ ମଙ୍ଗଳବାର ଆମେରିକା ସଂସଦକୁ ନିର୍ବାଚନ ଜିତିବା ପରେ ପ୍ରଥମଥର ସମ୍ବୋଧନ କରିଛନ୍ତି। ଏହି ସମୟରେ ସେ ଭାରତ, ଚାଇନା, ମେକ୍ସିକୋ, କାନାଡା ଭଳି ଦେଶ ଉପରେ ରେରିପ୍ରୋକାଲ ଟାରିଫ ବା ପାରସ୍ପରିକ ଶୁଳ୍କ ଲାଗୁ କରାଯିବ ବୋଲି କହିଛନ୍ତି।

Advertisment

ଏହା ଏପ୍ରିଲ ମାସରୁ କାର୍ଯ୍ୟକାରୀ ହେବ। ବାସ୍‌ ଟ୍ରମ୍ପଙ୍କ ଟାରିଫ ଚାର୍ଜ ପରେ ଚାଇନା ଖୋଲାଖୋଲି ଭାବେ ଏହାର ଜବାବ ଦେଇଛି। ଦିନକୁ ପୂର୍ବରୁ ଚାଇନା, ମେକ୍ସିକୋ ଓ କାନାଡା ମଧ୍ୟ ଆମେରିକା ଦ୍ରବ୍ୟଗୁଡ଼ିକ ଉପରେ ଶୁଳ୍କ ବୃଦ୍ଧି ସମ୍ପର୍କରେ ଘୋଷଣା କରିଥିଲେ। ଟ୍ରମ୍ପଙ୍କ ପାରସ୍ପରିକ ଶୁଳ୍କ ଘୋଷଣା ପରେ ବେଜିଂ ଶେଷ ଯାଏ ଲଢ଼େଇ କରିବ ବୋଲି କହିଛି। ଆମେରିକା ଚାହୁଁଥିବା ସବୁ ପ୍ରକାରର ଯୁଦ୍ଧ ପାଇଁ ଚାଇନା ପ୍ରସ୍ତୁତ ବୋଲି ବେଜିଂ ପକ୍ଷରୁ କୁହାଯାଇଛି।

ଚାଇନିଜ ଦୂତାବାସ ପକ୍ଷରୁ କୁହାଯାଇଛି ଯେ “ଶୁଳ୍କ ଯୁଦ୍ଧ, ଶିଳ୍ପ ଯୁଦ୍ଧ କିମ୍ବା ଅନ୍ୟ ଯେକୌଣି ପ୍ରକାରର ଯୁଦ୍ଧ ଆମେରିକା କରିବା ଚାହୁଁଉଛି, ଆମେ ସେସବୁ ବିରୋଧରେ ଶେଷ ଯାଏ ଲଢ଼ିବାକୁ ପ୍ରସ୍ତୁତ। ଆମେ ପଛ ଘୁଞ୍ଚା ଦେବାର ନାହିଁ।”

Advertisment

ମଙ୍ଗଳବାର ଟ୍ରମ୍ପ କହିଥିଲେ ଯେ ଦୀର୍ଘ ଦଶନ୍ଧି ଧରି ଅନ୍ୟ ରାଷ୍ଟ୍ରଗୁଡ଼ିକ ଆମେରିକା ବିରୋଧରେ ଶୁଳ୍କ ଲଗାଇ ଚାଲିଛନ୍ତି। ଏବେ ଆମ ପାଳି। ଆମେ ଏବେ ସେଗୁଡ଼ିକ ଅନ୍ୟ ଦେଶଗୁଡ଼ିକ ବିରୋଧରେ ବ୍ୟବହାର କରିବୁ। ୟୁରୋପୀୟ ୟୁନିୟନ, ଚାଇନା, ବ୍ରାଜିଲ, ମେକ୍ସିକୋ, ଭାରତ ଓ କାନାଡା ଭଳି ଦେଶ ଶୁଳ୍କ ଲଗାଉଛନ୍ତି। କେବେ ଆପଣମାନେ ସେମାନଙ୍କୁ ଶୁଣିଛନ୍ତି? ଏଭଳି ଅନେକ ଅସଂଖ୍ୟ ଦେଶ ରହିଛନ୍ତି, ଯେଉଁମାନେ ଆମେରିକା ଉପରେ ଆମ ତୁଳନାରେ ଅତ୍ୟନ୍ତ ଅଧିକ ଟାରିଫ ଲଗାଉଛନ୍ତି। ଏହା ଅତ୍ୟନ୍ତ ପକ୍ଷପାତିତା।

ଭାରତ ଆମ ଉପରେ ୧୦୦%ରୁ ଅଧିକ ଅଟୋ ଟାରିଫ ଲାଗୁ କରୁଛି। ଚାଇନା ଆମ ଦ୍ରବ୍ୟ ଗୁଡ଼ିକ ଉପରେ ଆମେ ଲଗାଉଥିବା ଟାରିଫର ପ୍ରାୟ ୨ ଗୁଣ ଲାଗୁ କରୁଛି। ଦକ୍ଷିଣ କୋରିଆରର ହାରାହାରି ଟାରିଫ ଆମ ଠାରୁ ୪ ଗୁଣ ଅଧିକ। ଏସବୁ ବନ୍ଧୁ ଓ ଶତ୍ରୁଙ୍କ ପକ୍ଷରୁ କରାଯାଉଛି। ଏପରି ବ୍ୟବସ୍ଥା ଆମେରିକା ପାଇଁ ଆଦୌ ଠିକ ନୁହେଁ। ତେଣୁ ପାରସ୍ପରିକ ଶୁଳ୍କ ଫେରିଛି ଓ ଏହାକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ। ସେମାନେ ଯେତିକି ଟିକସ ଆମ ଉପରେ ଲଗାଇବେ, ଆମେ ମଧ୍ୟ ସେତିକି ଲାଗୁ କରିବୁ ବୋଲି ଟ୍ରମ୍ପ କହିଛନ୍ତି।

ଟ୍ରମ୍ପ ଚାଇନିଜ ଦ୍ରବ୍ୟଗୁଡ଼ିକ ଉପରେ ଲାଗୁ ହେଉଥିବା ୧୦ % ଶୁଳ୍କକୁ ୨୦%କୁ ବୃଦ୍ଧି କରିଛନ୍ତି। ଏଥିପାଇଁ ଚାଇନା ପକ୍ଷରୁ ଆମେରିକା ବିରୋଧରେ ବିଶ୍ୱ ବାଣିଜ୍ୟ ସଂଗଠନ ନିକଟରେ ଅଭିଯୋଗ ଦାଖଲ କରାଯାଇଛି। ଚାଇନାର କହିବା କଥା ଯେ ଆମେରିକାର ଏକତରଫା ଟିକସ ଲାଗୁ ବ୍ୟବସ୍ଥା WTOର ନିୟମକୁ ଉଲ୍ଲଙ୍ଘନ କରୁଛି।

ଚାଇନା ଓ ଆମେରିକା ମଧ୍ୟରେ ତିକ୍ତତା ବିଶ୍ୱବାସୀଙ୍କୁ ଚିନ୍ତାରେ ପକାଇଛି। ଟ୍ରମ୍ପଙ୍କ ପାରସ୍ପରିକ ଶୁଳ୍କ ବ୍ୟବସ୍ଥା ଯୋଗୁ ଅନେକ ଛୋଟ ଛୋଟ ରାଷ୍ଟ୍ର ଘୋର ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇପାରନ୍ତି। ସେମାନଙ୍କର ଆମଦାନୀ ଓ ରପ୍ତାନୀ ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ପ୍ରକାଶ ପାଇଛି। 

Illegal Tariff Tariffs On US Goods Xi Jinping India China Donald Trump USA Tariff Rules