Advertisment

ରୁଷରେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ

ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମଥର ପାଇଁ ରୁଷରେ ପହଞ୍ଚିଛନ୍ତି ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ।

Moscow

Moscow

Advertisment

ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ପରେ ପ୍ରଥମଥର ପାଇଁ ରୁଷରେ ପହଞ୍ଚିଛନ୍ତି ଚାଇନାର ରାଷ୍ଟ୍ରପତି ସି ଜିନପିଙ୍ଗ। ସେ ଆଜି ଠାରୁ ୩ ଦିନିଆ ରୁଷ ଗସ୍ତରେ ଯାଇ ମସ୍କୋରେ ପହଞ୍ଚିଛନ୍ତି। ଏହି ଗସ୍ତ ସମୟରେ ସେ ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ମଧ୍ୟ ଆଲୋଚନା କରିବେ। ଏଥିସହ ଦୁଇ ଦେଶ ମଧ୍ୟରେ ଥିବା ସୁସମ୍ପର୍କକୁ ଅଧିକ ସୁଦୃଢ଼ କରିବାକୁ ପ୍ରୟାସ କରିବେ। 

Advertisment

କିନ୍ତୁ ୟୁକ୍ରେନ ସହ ଯୁଦ୍ଧ ମଧ୍ୟରେ ଜିନପିଙ୍ଗଙ୍କ ଏପରି ରୁଷ ଗସ୍ତ ବେଶ ଗୁରୁତ୍ୱ ବହନ କରୁଛି। ଚାଇନା ଶାନ୍ତି ପ୍ରତିଷ୍ଠା ଦିଗରେ ପଦକ୍ଷେପ ନେବାକୁ ଚାହୁଁଥିବାରୁ ଜିନପିଙ୍ଗ ରୁଷ ଯାଇଥିବା ବେଜିଂ କହିଛି। ହେଲେ ଆମେରିକା ଏହାକୁ ଗ୍ରହଣ କରିନି। ୟୁକ୍ରେନ ସହ ଯୁଦ୍ଧ ଆରମ୍ଭ ହେବା ଦିନଠାରୁ ଚାଇନା ପକ୍ଷରୁ ରୁଷକୁ ଅସ୍ତ୍ରଶସ୍ତ୍ର ଯୋଗାଇ ଦେବାକୁ ପ୍ରୟାସ କରାଯାଉଥିବା ଆମେରିକା ପୂର୍ବରୁ ଅଭିଯୋଗ କରି ସାରିଛି। ତେଣୁ ଏ ଦିଗରେ ଆଲୋଚନା ପାଇଁ ଜିନପିଙ୍ଗ ସେଠାକୁ ଯାଇଛନ୍ତି। ଜିନପିଙ୍ଗଙ୍କ ଶାନ୍ତି ଆଳରେ ପଶ୍ଚିମ ଦେଶଗୁଡ଼ିକୁ ଚ୍ୟାଲେଞ୍ଜ ଦେବାକୁ ଚାହୁଁଥିବା ମଧ୍ୟ ଆମେରିକା ପରୋକ୍ଷରେ କହିଛି। 

ତେବେ ଚାଇନା ଓ ରୁଷ ଜିନପିଙ୍ଗଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ଥିବା ‘ସୀମାହୀନ ଦୋସ୍ତି’କୁ ଆହୁରି ମଜବୁତ କରିବ ବୋଲି କହିଛନ୍ତି। ରୁଷରେ ବିପୁଳ ପରିମାଣର ତୈଳ ଓ ଗ୍ୟାସ ରହିଛି। ବର୍ତ୍ତମାନ ଅର୍ଥନୀତିକ ସଙ୍କଟ ଦେଇ ଗତି କରୁଥିବା ଚାଇନା ଏହାର ଫାଇଦା ହାସଲ କରିବା ମୁଡରେ ରହିଛି। ଯୁଦ୍ଧ ଯୋଗୁ ପଶ୍ଚିମ ଦେଶଗୁଡ଼ିକ ରୁଷ ସହ ସୀମିତ କାରବାର କରୁଛନ୍ତି। ଚାଇନା ଓ ଆମେରିକାର ସମ୍ପର୍କ ମଧ୍ୟ ଭଲ ନାହିଁ। ତେଣୁ ଏପରି ସ୍ଥିତିରେ ଜିନପିଙ୍ଗ ରୁଷ ସହ ତୈଳ ଓ ଗ୍ୟାସ ଆମଦାନୀ ସମ୍ପର୍କରେ କଥା ହୋଇପାରନ୍ତି।

Advertisment

କ୍ରେମଲିନ ମୁଖପାତ୍ର ଡିମିତ୍ରୀ ପେସ୍କୋଭ କହିଛନ୍ତି, ସୋମବାର ଜିନପିଙ୍ଗ ଓ ପୁଟିନ ଏକାଠି ଡିନର କରିବେ। ଏହି ସମୟରେ ଉଭୟ କିଛି ସମୟ ପାଇଁ ୟୁକ୍ରେନ ପ୍ରସଙ୍ଗରେ ଆଲୋଚନା କରିବେ। ବର୍ତ୍ତମାନ ସମୟରେ ରୁଷର ଆଭିମୁଖ୍ୟ କ’ଣ, ସେ ବିଷୟରେ ପୁଟିନ ବିସ୍ତୃତ ଭାବେ ତଥ୍ୟ ଜିନପିଙ୍ଗଙ୍କୁ ଦେବେ। ଦୁଇ ଦେଶର ଅଧିକାରୀମାନେ ମଙ୍ଗଳବାର ଅନ୍ୟ ପ୍ରସଙ୍ଗଗୁଡ଼ିକ ବିଷୟରେ ବିସ୍ତୃତ ଭାବେ କଥା ହେବେ ବୋଲି ସେ କହିଛନ୍ତି।

ପୁଟିନଙ୍କ ପାଇଁ ଜିନପିଙ୍ଗଙ୍କ ରୁଷ ଗସ୍ତ ସମ୍ମାନର ବିଷୟ। କାରଣ କୂଟନୀତିକ ଦୃଷ୍ଟିରୁ ରୁଷ ଏବେ ଏକଘରକିଆ ହୋଇ ରହିଛି। ଏପରି ସ୍ଥିତିରେ ଜିନପିଙ୍ଗ ରୁଷ ଗସ୍ତ କରିଥିବାରୁ ଏହାର ମହତ୍ତ୍ୱ ଅଧିକ ରହିଛି। ସେହିପରି ୟୁକ୍ରେନ ସହ ଯୁଦ୍ଧ କରୁଥିବାରୁ ଅନ୍ତର୍ଜାତୀୟ କ୍ରିମିନାଲ କୋର୍ଟ ପୁଟିନଙ୍କ ନାଁରେ ୱାରେଣ୍ଟ ଜାରି କରିଥିଲା। ତାଙ୍କୁ ଟ୍ରାଏଲରେ ସାମିଲ ହେବାକୁ ମଧ୍ୟ କୁହାଯାଇଛି।

Russia-Ukraine War Ukraine Xi Jinping China Vladimir Putin
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe