Advertisment

କାହିଁକି ହଠାତ୍‌ ହସ୍ପିଟାଲରେ ଭର୍ତ୍ତି ହେଲା ଲସ୍କରର ସହ ପ୍ରତିଷ୍ଠାତା?

ଏହି ଘଟଣାର ୩ ଦିନ ପୂର୍ବରୁ ଲସ୍କର ଅପରେଟିଭ ଓ ପ୍ରମୁଖ ନିଯୁକ୍ତିଦାତା ଅବୁ ସୈଫୁଲ୍ଲାକୁ କିଛି ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଥିଲେ।

author-image
Hemant Lenka
amir Hamza

amir Hamza

ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତାଏବାର ଅନ୍ୟତମ ସହ ପ୍ରତିଷ୍ଠାତା ଆମୀର ହମଜାକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ୬୬ ବର୍ଷୀୟ ଲସ୍କର ମାଗାଜିନର ସଂପାଦକ ହମଜା ଘର ଭିତରେ ଗୁରୁତର ଆହତ ହୋଇଥିଲା। ତେବେ ସେ କେମିତି ଆହତ ହେଲା, ସେକଥା ଜଣାପଡ଼ିନି। କିନ୍ତୁ ତାଙ୍କୁ ଲାହୋର ସ୍ଥିତ ଗୋଟିଏ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆଇଏସଆଇ ସୁରକ୍ଷା ବଳୟ ମଧ୍ୟରେ ହମଜାର ଚିକିତ୍ସା ଚାଲିଛି।

Advertisment

ଏହି ଘଟଣାର ୩ ଦିନ ପୂର୍ବରୁ ଲସ୍କର ଅପରେଟିଭ ଓ ପ୍ରମୁଖ ନିଯୁକ୍ତିଦାତା ଅବୁ ସୈଫୁଲ୍ଲାକୁ କିଛି ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଥିଲେ। ଏହାକୁ ନେଇ ଲସ୍କର ସଂଗଠନରେ ହଇଚଇ ସୃଷ୍ଟି ହୋଇଥିବା ବେଳେ ଏବେ ହମଜା ଆହତ ହୋଇଛି। ପ୍ରଥମେ କୁହାଯାଉଥିଲା ଯେ ହାମଜା ଗୁଳି ମାଡ଼ର ଶିକାର ହୋଇଛି। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏହାକୁ ଖଣ୍ଡନ କରାଯାଇଛି।

ଲସ୍କର ସମର୍ଥିତ ଟେଲିଗ୍ରାମ ଚ୍ୟାନେଲରେ କୁହାଯାଇଛି ଯେ ଏପରି ଏକ ସଙ୍କଟମୟ ସ୍ଥିତିରେ ସମସ୍ତଙ୍କୁ ଏକାଠି ମଜବୁତ ସହ ରହିବାର ଅଛି। ଗୋଟିଏ ଦୁର୍ଘଟଣା ଯୋଗୁ ହମଜା ଆହତ ହୋଇଛି। ପାକିସ୍ତାନର ପଞ୍ଜାବ ପ୍ରଦେଶର ଗୁଜରନୱାଲା ସହରରେ ରହୁଥିବା ହମଜାକୁ ୨୦୧୨ ମସିହା ଅଗଷ୍ଟ ମାସରେ ଆମେରିକା ବିଶ୍ୱସ୍ତରୀୟ ଆତଙ୍କବାଦୀ ଘୋଷଣା କରିଥିଲା। ଲସ୍କରର ଏହି ଟପ୍‌ ନେତାକୁ ଆଫଗାନ ମୁଜାହିଦ୍ଦିନ ଭାବେ ଗଣତି କରାଯାଏ।

Advertisment

ସେ ଲସ୍କର ମୁଖ୍ୟ ହାଫିଜ ସୟିଦ ଓ ଅବଦୁଲ ରେହମାନ ମକ୍କିର ଘନିଷ୍ଠ ସହଯୋଗୀ। ହାଫିଜ ଓ ମକ୍କିକୁ ମିଳିତ ଜାତିସଂଘ ପକ୍ଷରୁ ଆତଙ୍କବାଦୀ ଘୋଷଣା କରାଯାଇ ସାରିଛି। ଏହି ଦୁଇ ଜଣ ମିଳିତ ଭାବେ ହମଜାକୁ ଲସ୍କର ସଂଗଠନର କେନ୍ଦ୍ରୀୟ କମିଟିରେ ନିଯୁକ୍ତି କରିଥିଲେ। ଲସ୍କର ସମ୍ପର୍କରେ ପ୍ରଚାର କରିବା ଦାୟିତ୍ୱ ନେବା ପୂର୍ବରୁ ହମଜା ଜଣେ ସକ୍ରିୟ ଆତଙ୍କବାଦୀ ରହିଥିଲା। ୨୦୦୦ ମସିହା ଆରମ୍ଭରେ ସେ ଭାରତରେ ରହି ଲସ୍କର ପାଇଁ କାମ କରୁଥିଲା। ୨୦୦୫ରେ ବେଙ୍ଗାଲୁରୁର ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ସାଇନ୍ସରେ ହୋଇଥିବା ଆତଙ୍କବାଦୀ ହମଲା ପଛରେ ସେ ଓ ସୈଫୁଲ୍ଲା ରହିଥିଲେ।

ପରବର୍ତ୍ତୀ ଅବସ୍ଥାରେ ହମଜା ହିଂସାମତ୍କ କାର୍ଯ୍ୟକଳାପରୁ ଦୂରେଇ ଯାଇ ଲସ୍କରର ପ୍ରଚାର ଡିଭିଜନ ପାଇଁ କାମ ଆରମ୍ଭ କରିଥିଲା। ଲସ୍କରର ପ୍ରଚାର ମାଗାଜିନର ମୁଖ୍ୟ ଭାବେ ହାମଜା କାମ କରୁଛି। କ୍ୱାଫିଲା ଦାୱତ ଅର ଶାହାଦତ ଭଳି ଏକାଧିକ ବହି ସେ ଲେଖିଛି। ୨୦୧୮ରେ ହାଫିଜର ଲସ୍କର ଓ ଜାମାତ ଉଦ ଦାୱା ବ୍ୟାନ ହେବାରୁ ହମଜା ନେତୃତ୍ୱରେ ଜୈଶ-ଇ-ମାନକାଫା ନାମକ ସଂଗଠନ ହୋଇଥିଲା। ହମଜା ନୂଆ ସଂଗଠନ ଗଢ଼ିବାରୁ ଲସ୍କରର ଟପ ଲିଡରମାନଙ୍କ ମଧ୍ୟରେ ବିଭ୍ରାଟ ସୃଷ୍ଟି ହୋଇଥିବା ଚର୍ଚ୍ଚା ହୋଇଥିଲା। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ଏଥିରେ ସତ୍ୟତା ନଥିବା ଜଣାପଡ଼ିଥିଲା।

ଆମେରିକାର ରିପୋର୍ଟ ଅନୁସାରେ, ହମଜା ହେଉଛି ଲସ୍କରର କେନ୍ଦ୍ରୀୟ ପରାମର୍ଶଦାତା କମିଟିର ସଦସ୍ୟ। ହାଫିଜ ମହମ୍ମଦ ସୟିଦ ନିର୍ଦ୍ଦେଶରେ ସେ ଅନ୍ୟ ଆତଙ୍କବାଦୀ ସଂଗଠନଗୁଡ଼ିକ ସହ ଲସ୍କରର ସମ୍ପର୍କ କେମିତି ଭଲ ରହିପାରିବ, ସେକଥା ବୁଝୁଥିଲା।

ହମଜା ଲସ୍କର ସହ ଜଡ଼ିତ ଗୋଟିଏ ଚ୍ୟାରେଟୀର ନେତୃତ୍ୱ ନେବା ସହ ଲସ୍କର ବିଶ୍ୱବିଦ୍ୟାଳୟ ଟ୍ରଷ୍ଟର ସଦସ୍ୟ। ଲସ୍କର ତରଫରୁ ପ୍ରଚାର ଦାୟିତ୍ୱ ହମଜା ଉପରେ ରହିଥିଲେ। ଲସ୍କର ତରଫରୁ ପ୍ରକାଶ ପାଉଥିବା ସାପ୍ତାହିକ ନ୍ୟୁଜପେପର ସେ ସଂପାଦକ। ଏଥିରେ ସେ ଲସ୍କର ସମ୍ପର୍କରେ ସ୍ତମ୍ଭ ମଧ୍ୟ ଲେଖିଥାଏ।

Pakistan Lashkar-e-Taiba Amir Hamza