Advertisment

ରାଷ୍ଟ୍ରପତି ଆଶାୟୀଙ୍କୁ ଗୁଳିମାଡ଼, ଅବସ୍ଥା ସଂକଟାପନ୍ନ

ଏହି ଗୁଳିମାଡ଼ ଘଟଣାରେ ସିନେଟର ମିଗୁଏଲ ଉରୀବ ତୁର୍ବେଙ୍କୁ ମିଶାଇ ମୋଟ ୪ ଜଣ ଆହତ ହୋଇଛନ୍ତି।

author-image
Jitendra Garnayak
Miguel Uribe Turbay

Miguel Uribe Turbay

କଲମ୍ବିଆର ସିନେଟର ଓ ରାଷ୍ଟ୍ରପତି ଆଶାୟୀ ମିଗୁଏଲ ଉରୀବ ତୁର୍ବେଙ୍କୁ ଶନିବାର ଅପରାହ୍ନରେ ବୋଗୋଟର ଫୋଣ୍ଟିବୋନରେ ଗୁଳି ମାଡ଼ ହୋଇଛି। ତାଙ୍କ ମୁଣ୍ଡରେ ଦୁଇଟି ଗୁଳି ବାଜିଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ସେ ମରଣ ସହିତ ସଂଘର୍ଷ କରୁଛନ୍ତି।

Advertisment

ଫୋଣ୍ଟିବୋନରେ ଏକ ରାଜନୀତିକ ରାଲି ବେଳେ କଲମ୍ବିଆର ଡେମୋକ୍ରାଟିକ ସେଣ୍ଟର ପାର୍ଟିର ୩୭ ବର୍ଷୀୟ ନେତା ମିଗୁଏଲ ଉରୀବ ତୁର୍ବେଙ୍କୁ ଜଣେ ୧୫ ବର୍ଷର ବାଳକ ଗୁଳି କରିଥିଲେ।

ଏହି ଗୁଳିମାଡ଼ ଘଟଣାରେ ସିନେଟର ମିଗୁଏଲ ଉରୀବ ତୁର୍ବେଙ୍କୁ ମିଶାଇ ମୋଟ ୪ ଜଣ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ନିଜେ ଅଭିଯୁକ୍ତ ମଧ୍ୟ ଅଛନ୍ତି। ତାଙ୍କ ଅବସ୍ଥା ସ୍ଥିର ଥିବା ବେଳେ ତାଙ୍କୁ ପୁଲିସ ନିଜ ହେପାଜତକୁ ନେଇଛି। ସେହିଭଳି ଅନ୍ୟ ଦୁଇ ଆହତଙ୍କ ମଧ୍ୟରୁ ଜଣେ ହେଉଛନ୍ତି ୨୦ ବର୍ଷୀୟ ଯୁବକ। ଚିକିତ୍ସା ପରେ ତାଙ୍କୁ ଡିସଚାର୍ଜ କରି ଦିଆଯାଇଛି। ସେହିପରି ଅନ୍ୟ ଜଣେ ୩୬ ବର୍ଷୀୟା ମହିଳାଙ୍କ ଜଙ୍ଘରେ ଗୁଳି ବାଜିଛି। ଚିକିତ୍ସା ପରେ ତାଙ୍କ ଅବସ୍ଥା ମଧ୍ୟ ସ୍ଥିର ରହିଛି। ଗୁଳିମାଡ଼ ବେଳେ ଏହି ମହିଳା ଜଣଙ୍କ ସେହି ବାଟ ଦେଇ ଯାଉଥିଲେ ଓ ତାଙ୍କ ଦେହରେ ଗୁଳି ବାଜିଥିଲା।

Advertisment

ମିଗୁଏଲ ଉରୀବ ତୁର୍ବେଙ୍କ ଜେଜେ ବାପା କଲମ୍ବିଆର ରାଷ୍ଟ୍ରପତି ଥିଲେ। ମିଗୁଏଲଙ୍କ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ସଂକଟାପନ୍ନ ରହିଛି। ତାଙ୍କ ପତ୍ନୀ ମାରିଆ କ୍ଲାଉଡିଆ ତାରାଜୋନା ତାଙ୍କ ‘ଏକ୍ସ’ରେ ଲେଖିଛନ୍ତି, ମିଗୁଏଲ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ଆସନ୍ତୁ, ସମସ୍ତେ ମିଶି ଭଗବାନଙ୍କୁ ପ୍ରାର୍ଥନା କରିବା ଯେମିତି ଡାକ୍ତରମାନେ ତାଙ୍କୁ ଚିକିତ୍ସା କରି ସୁସ୍ଥ କରିପାରିବେ। ମୋର ଭଗବାନଙ୍କ ଉପରେ ବିଶ୍ୱାସ ଅଛି।

ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଏହି ଘଟଣାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆମେରିକା ଏହି ଘଟଣାକୁ ନିନ୍ଦା କରୁଛି। ଏହା ସିଧାସଳଖ ଗଣତନ୍ତ୍ର ପ୍ରତି ବିପଦ।

କଲମ୍ବିଆ ରାଷ୍ଟ୍ରପତି ମଧ୍ୟ ଏହି ଘଟଣାକୁ ନିନ୍ଦା କରି ଏକ ମନ୍ତବ୍ୟ ଜାରି କରିଛନ୍ତି। ସେ କହିଛନ୍ତି, ସରକାର ସଂପୂର୍ଣ୍ଣ ଭାବେ ଏହି ଘଟଣାକୁ ନିନ୍ଦା କରୁଛନ୍ତି। ଏହି ଘଟଣାର ତଦନ୍ତ କରାଯିବ।

ମିଗୁଏଲ ଉରୀବ ଡେମୋକ୍ରାଟିକ୍ ସେଣ୍ଟର ପାର୍ଟିର ସିନେଟର ଅଛନ୍ତି, ଯାହାକୁ ପୂର୍ବତନ ରାଷ୍ଟ୍ରପତି ଇବାରୋ ଉରୀବ ପ୍ରତିଷ୍ଠା କରିଥିଲେ। ତେବେ ମିଗୁଏଲ ଓ ଇବାରୋ ସଂପର୍କୀୟ ନୁହନ୍ତି। ୨୦୨୬ ନିର୍ବାଚନରେ ରାଷ୍ଟ୍ରପତି ପ୍ରାର୍ଥୀ ହେବାକୁ ମିଗୁଏଲ ଘୋଷଣା କରି ସାରିଥିଲେ।