ବାହାଘରର ୩ ମିନିଟ୍‌ ପରେ ହେଲା ଛାଡ଼ପତ୍ର

ବର ସର୍ବସମ୍ମୁଖରେ କନ୍ୟାକୁ କଟାକ୍ଷ କରିବାରୁ ସେ ରାଗି ଯାଇ ସିଧା ଛାଡ଼ପତ୍ର ଦେଇଛନ୍ତି।

representational image

  • Published: Monday, 22 July 2024
  • , Updated: 22 July 2024, 09:22 PM IST

ବେଶ ଖୁସିରେ ପରସ୍ପରକୁ ବାହାହେଲେ। ଜଜଙ୍କ ଆଗରେ ପରସ୍ପରକୁ ସ୍ୱାମୀ-ସ୍ତ୍ରୀ ଭାବେ ଗ୍ରହଣ କଲେ। ମାତ୍ର ସ୍ୱାମୀ-ସ୍ତ୍ରୀ ହେବାର ମାତ୍ର ୩ ମିନିଟ ପରେ ସେମାନଙ୍କର ହୋଇଯାଇଛି ଛାଡ଼ପତ୍ର। ବାହାଘର ସରିବା ପରେ ବରକନ୍ୟା ଘରକୁ ବାହାରୁଥିଲେ। ମାତ୍ର ବର ସର୍ବସମ୍ମୁଖରେ କନ୍ୟାକୁ କଟାକ୍ଷ କରିବାରୁ ସେ ରାଗି ଯାଇ ସିଧା ଛାଡ଼ପତ୍ର ଦେଇଛନ୍ତି।

କୁଏତରେ ଏପରି ଘଟଣା ଦେଖିବାକୁ ମିଳିଛି। ସମ୍ଭବତଃ ଏହା ବିଶ୍ୱର ସବୁଠାରୁ ଛୋଟିଆ ସମୟ ପାଇଁ ବାହାଘର। ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ କୋର୍ଟ ହାଉସରେ ଉଭୟ ପରସ୍ପରକୁ ବିବାହ କରିଥିଲେ। ସେଠାରେ ଉଭୟଙ୍କ ପରବାର ଲୋକ ଓ ବନ୍ଧୁବାନ୍ଧବ ମଧ୍ୟ ଉପସ୍ଥିତ ରହିଥିଲେ। ବାହାଘରର ସମସ୍ତ କାମ ସରିବା ପରେ ଉଭୟ ଏକାଠି କୋର୍ଟ ରୁମରୁ ବାହାରୁଥିଲେ।

ଏତିକି ବେଳେ କନ୍ୟା ଜଣଙ୍କ ଝୁଣ୍ଟି ପଡ଼ିଥିଲେ। ଏହା ଦେଖି ବର ହସିବା ସହ ତାଙ୍କୁ କଟାକ୍ଷ କରି ନିର୍ବୋଧ କହିଥିଲେ। ସମସ୍ତଙ୍କ ଆଗରେ ସେ ତାଙ୍କୁ ନିର୍ବୋଧ କହିବାରୁ ଏହା କନ୍ୟାକୁ ବେଶ ବାଧିଥିଲା। ସେ ରାଗି ଯାଇ ପୁଣି ବାହାଘର କରିଥିବା ଜଜଙ୍କ ପାଖରେ ପହଞ୍ଚିଥିଲେ। ଏଥିସହ ଛାଡ଼ପତ୍ରର ବ୍ୟବସ୍ଥା କରିବାକୁ କହିଥିଲେ।

ପ୍ରଥମେ ତାଙ୍କୁ ସମସ୍ତେ ବୁଝାସୁଝା କରିଥିଲେ। ହେଲେ କନ୍ୟା ନିଜ ଜିଦରୁ ଓହରି ନଥିଲେ। ଶେଷରେ ବିଚାରପତି ଜଣଙ୍କ ମଧ୍ୟ ଉଭୟଙ୍କ ଛାଡ଼ପତ୍ରକୁ ତୁରନ୍ତ କରାଇ ଦେଇଥିଲେ। ବାହାଘରର ୩ ମିନିଟ ପରେ ଏପରି ଛାଡ଼ପତ୍ର ଘଟଣା ସମ୍ଭବତଃ ବିଶ୍ୱରେ ପ୍ରଥମ ଘଟଣା।

ପ୍ରକୃତରେ ଘଟଣାଟି ୨୦୧୯ରେ ଘଟିଥିଲା। ଏବେ ପୁଣି ଏହା ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ୨୦୦୪ରେ ବ୍ରିଟେନର ଗୋଟିଏ ଦମ୍ପତି ବାହାଘରର ୯୦ ମିନିଟ ପରେ ପରସ୍ପରକୁ ଛାଡ଼ପତ୍ର ଦେଇଥିଲେ। ସ୍କଟ ଓ ଭିକ୍ଟୋରିଆ ବାହାଘରର ୯୦ ମିନିଟ ପରେ ଗ୍ରେଟର ମାଞ୍ଚେଷ୍ଟର ସ୍ଥିତ ଷ୍ଟକପୋର୍ଟ ରେଜିଷ୍ଟର ଅଫିସକୁ ଯାଇଥିଲା। ସେଠାରେ ସେମାନଙ୍କ ବିବାହ ବିଚ୍ଛେଦ ହୋଇଥିଲା।

Related story