ବିସ୍ଫୋରଣ
ଇସ୍ରାଏଲ-ଆମେରିକା ମିଳିତ ଭାବେ ଇରାନରେ କରିଥିବା ଆକ୍ରମଣରେ ଗୋଟିଏ ବାଳିକା ସ୍କୁଲ କ୍ଷତିଗ୍ରସ୍ତ ହୋଇଛି। ସ୍କୁଲରେ ମିସାଇଲ ଓ ବୋମା ମାଡ଼ ହେବାରୁ ୪୦ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଛି। ସେହିପରି ଆଉ ୪୫ ଜଣ ଆହତ ହୋଇଛନ୍ତି। ତେହରାନ ପକ୍ଷରୁ ପ୍ରଥମଥର ପାଇଁ ହମଲାରେ ଏତେ ସଂଖ୍ୟକ ପିଲାଙ୍କ ମୃତ୍ୟୁ ହୋଇଥିବା ସୂଚନା ଦିଆଯାଇଛି।
ସ୍ଥାନୀୟ ଗଣମାଧ୍ୟମର ସୂଚନା ଅନୁସାରେ, ଇସ୍ରାଏଲ ଓ ଆମେରିକା ପକ୍ଷରୁ ମିନାବ ସହରରେ ହୋଇଥିବା ଆକ୍ରମଣରେ ଏତେ ସଂଖ୍ୟକ ସ୍କୁଲ ଛାତ୍ରୀଙ୍କ ଜୀବନ ଯାଇଛି। ଇରାନର ପାରାମିଲିଟାରୀ ରେଭ୍ୟୁଲୁସନାରୀ ଗାର୍ଡର ବେସ୍ ମିନାବ ଠାରେ ରହିଛି। ସେଠାରେ ଆକ୍ରମଣ କରିବା ବେଳେ ଇସ୍ରାଏଲ ଓ ଆମେରିକା ସ୍କୁଲକୁ ମଧ୍ୟ ଟାର୍ଗେଟ କରିଥିଲେ। ସ୍କୁଲଟି ସଂପୂର୍ଣ୍ଣ ଧ୍ୱଂସ ହୋଇଯାଇଥିବା ବେଳେ ୪୦ ଜଣ ଛାତ୍ରୀଙ୍କ ମୃତ୍ୟୁ ହୋଇଥିବା ରିପୋର୍ଟ ପ୍ରକାଶ ପାଇଛି।
ଆଜିର ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନୀୟ ଲୋକଙ୍କୁ ସେମାନଙ୍କ ଭାଗ୍ୟକୁ ନିଜେ ନିୟନ୍ତ୍ରଣ କରନ୍ତୁ ବୋଲି କହିଛନ୍ତି। ଏଥିସହ ଶାସନ ପରିବର୍ତ୍ତନ ହେବା ଯାଏ ଆକ୍ରମଣ ଜାରି ରହିବ ବୋଲି ସେ ଚେତାବାନୀ ଦେଇଛନ୍ତି।
ସୁପ୍ରିମ ଲିଡର ଅୟତୋଲ୍ଲା ଅଲୀ ଖାମେନେଇଙ୍କ ଅଫିସ ପାଖରେ ପ୍ରଥମ ଏୟାର ଷ୍ଟ୍ରାଇକ କରାଯାଇଥିଲା। ଇରାନର ରାଷ୍ଟ୍ରପତିଙ୍କ ବାସଭବନ ମଧ୍ୟକୁ ଇସ୍ରାଏଲ ଓ ଆମେରିକା ଟାର୍ଗେଟ କରିଥିଲେ। ତେବେ ଆକ୍ରମଣ ସମୟରେ ଖାମେନେଇ ସେଠାରେ ନଥିଲେ ଓ ଦେଶର ରାଷ୍ଟ୍ରପତି ମଧ୍ୟ ସଂପୂର୍ଣ୍ଣ ସୁରକ୍ଷିତ ଥିବା ଇରାନ କହିଛି।
ଅନ୍ୟପକ୍ଷରେ ୟୁଏଇର ଅବୁଧାବି ଓ ଦୁବାଇ, କତରର ଦୋହା, ସାଉଦି ଆବର ରିୟାଦରେ ଇରାନ ପକ୍ଷରୁ ଘନଘନ ମିସାଇଲ ମାଡ଼ କରାଯାଇଛି। ବଡ଼ବଡ଼ ବିସ୍ଫୋରଣ ଯୋଗୁ ଏହି ସହରଗୁଡ଼ିକ ଥରିଛି। ଇସ୍ରାଏଲ ଓ ଆମେରିକା ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିବା ପରେ ତେହରାନ ଏହାର ଜବାବରେ ଏପରି ପଦକ୍ଷେପ ନେଇଛି। ଆକ୍ରମଣ ଓ ପ୍ରତି ଆକ୍ରମଣ ଯୋଗୁ ମଧ୍ୟପ୍ରାଚ୍ୟ(Middle East)ରେ ଅସମ୍ଭାଳ ଯୁଦ୍ଧ ଆରମ୍ଭ ହୋଇଯାଇଛି।
ବାହାରିନର ଜୁଫୈର ଅଞ୍ଚଳରେ ଇରାନର ମିସାଇଲ ମାଡ଼ ଯୋଗୁ ଆମେରିକାର ୫ମ ପ୍ଲିଟ ନୌସେନା ବେସ କ୍ଷତିଗ୍ରସ୍ତ ହୋଇଛି। ମିସାଇଲ ମାଡ଼ ପରେ ପୂରା ଅଞ୍ଚଳରୁ ଭୟଙ୍କର କଳା ଧୂଆଁ ଉଠୁଥିବାର ଭିଡିଓ ଓ ଫଟୋ ସାମ୍ନାକୁ ଆସିଛି।
ପ୍ରଥମେ ଇସ୍ରାଏଲକୁ ଟାର୍ଗେଟ କରି ଇରାନ ପକ୍ଷରୁ ୩୫ରୁ ୭୦ଟି ମିସାଇଲ ମାଡ଼ କରାଯାଇଥିଲା। ଏହାପରେ ଆମେରିକା ନୌସେନେ ବେସକୁ ତେହରାନ ଟାର୍ଗେଟ କରିଛି। ଇରାନର ପାଲଟା ଆକ୍ରମଣ ଯୋଗୁ ଜେରୁଜେଲମରେ ଘନଘନ ଯୁଦ୍ଧ ସାଇରନ ବାଜିଛି। ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ପରାମର୍ଶ ଦିଆଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/28/iran2-2026-02-28-17-22-45.jpg)