/odisha-reporter/media/post_attachments/uploadimage/library/16_9/16_9_0/Dhaka_1726221472.jpg)
Dhaka
ବାଂଲାଦେଶୀ ଆତଙ୍କବାଦୀ ଜଶିମୁଦ୍ଦିନ ରହମାଣି ହଫି ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ବଡ଼ ଆହ୍ୱାନ ଦେଇଛି। ବାଂଲାଦେଶରେ ଶେଖ ହସିନା ସରକାରଙ୍କ ପତନରେ ଜଶିମୁଦ୍ଦିନ ଜେଲରୁ ଖଲାସ ହୋଇଥିଲା। ଏବେ ସେ ବେଙ୍ଗଲକୁ ମୋଦିଙ୍କ ଶାସନରୁ ମୁକ୍ତ କରିବା ସହ ଏହାର ସ୍ୱାଧୀନତା ଘୋଷଣା କରିବା ପାଇଁ ମମତା ବାନାର୍ଜୀଙ୍କୁ କହିଛି।
ଆତଙ୍କବାଦୀ ସଂଗଠନ ଅଲକାଏଦା ସହ ଲିଙ୍କ ରଖିଥିବା ଅନସାରୁଲ୍ଲା ବଙ୍ଗଳା ଟିମ(ଏବିଟି) ମୁଖ୍ୟ ଜଶିମୁଦ୍ଦିନ ଧମକ ଦେଇ କହିଛି ଯେ ଭାରତକୁ ଭଙ୍ଗା ଯିବ ଓ ଦିଲ୍ଲୀରେ ନିଶ୍ଚିତ ଭାବେ ଇସଲାମିକ ପତାକା ଉଡ଼ିବ।
ମିଳିଥିବା ସୂଚନା ଅନୁସାରେ, ଜଶିମୁଦ୍ଦିନ ଗୋଟିଏ ଭିଡିଓ ରିଲିଜ କରି ଏପରି ଚେତାବନୀ ଦେଇଛି। ଏହି ଭିଡିଓଟି ଗୋଟିଏ ହସ୍ପିଠାଲର ୱାର୍ଡରେ ରେକର୍ଡ ହୋଇଛି। କୁହାଯାଉଛି ଯେ ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଜଶିମୁଦ୍ଦିନ ଭିଡିଓ ଶୁଟ ହୋଇଛି। କାରଣ ସେ ଶେଖ ହସିନାଙ୍କ ସରକାର ପତନ ହେବାର ମାସେ ପୂରିବା କଥା କହୁଛି।
ଜଣେ ବ୍ଲଗରଙ୍କୁ ହତ୍ୟା କରିବା ଘଟଣାରେ ଜଶିମୁଦ୍ଦିନ ୫ ବର୍ଷ ହେଲା ଜେଲରେ ରହିଥିଲା। ଅଗଷ୍ଟ ମାସରେ ସେ ପାରୋଲରେ ମୁକ୍ତ ହୋଇଛି। ବିଦ୍ରୋହୀ ମତାମତ ଓ ପାକିସ୍ତାନର ବିଭିନ୍ନ ଆତଙ୍କୀ ସଂଗଠନ ସହ ଲିଙ୍କ ରଖିଥିବା ଜଶିମୁଦ୍ଦିନ ପଶ୍ଚିମବଙ୍ଗକୁ ଭାରତରୁ ଅଲଗା କରିବା ଆହ୍ୱାନ ଦେବା ସହ ସମଗ୍ର ଭାରତରେ ବିଚ୍ଛିନ୍ନତାବାଦୀ ଆନ୍ଦୋଳନ ହେବ ବୋଲି କହିଛି।
ସେ କହିଛି ଯେ “ମୋଦିଙ୍କ ଶାସନରୁ ପଶ୍ଚିମବଙ୍ଗକୁ ମୁକ୍ତ କରିବା ପାଇଁ ଆମେ ମମତା ବାନାର୍ଜୀଙ୍କୁ କହିବୁ। ବେଙ୍ଗଲକୁ ସ୍ୱାଧୀନ ରାଷ୍ଟ୍ର ଭାବେ ଘୋଷଣା କରାଯାଉ।”
ବାଂଲାଦେଶ ବିପକ୍ଷରେ କୌଣସି ପ୍ରକାରର କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମଧ୍ୟ ସେ ଭାରତକୁ ଚେତାବନୀ ଦେଇଛି। ସେ କହିଛି, “ବାଂଲାଦେଶ କେବେ ହେଲେ ସିକ୍କିମ କିମ୍ବା ଭୁଟାନ ନୁହେଁ। ଏହା ୧୮ କୋଟି ମୁସଲିମଙ୍କ ଦେଶ।
ଯଦି ତୁମେ ବାଂଲାଦେଶ ବିପକ୍ଷରେ ପଦକ୍ଷେପ ନେବ, ତା’ହେଲେ ଆମେ ଚାଇନାକୁ ଚିକେନ ନେକ(ସିଲିଗୁଡ଼ି କରିଡର)କୁ ବନ୍ଦ କରିବାକୁ କହିବୁ। ଆମେ ୭ ଭଉଣୀକୁ(ଉତ୍ତରପୂର୍ବ ରାଜ୍ୟ) ସ୍ୱାଧୀନତା ସଂଗ୍ରାମରେ ସାମିଲ ହେବାକୁ କହିବୁ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
