Advertisment

ଆମେରିକା ଇତିହାସରେ ପ୍ରଥମ: ପୂର୍ବତନ ରାଷ୍ଟ୍ରପତିଙ୍କ ନାଁରେ ଚାଲିବ ଅପରାଧିକ ମାମଲା

୨୦୧୬ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ ଜଣେ ପର୍ଣ୍ଣ ଷ୍ଟାରଙ୍କୁ ତାଙ୍କ କଳା କାରନାମା ସମ୍ପର୍କରେ ଚୁପ ରହିବା ପାଇଁ ଟଙ୍କା ଦେଇଥିଲେ।

author-image
Hemant Lenka
stormy daniels

stormy daniels

ଆମେରିକା ଇତିହାସରେ ଗୋଟିଏ ବିରଳ ଘଟଣା ଘଟିବାକୁ ଯାଉଛି। ଦେଶର କୌଣସି କାର୍ଯ୍ୟରତ କିମ୍ବା ପୂର୍ବତନ ରାଷ୍ଟ୍ରପତିଙ୍କ ବିରୋଧରେ ଆରମ୍ଭ ହେବ ଅପରାଧିକ ମାମଲା। ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଅପରାଧିକ ମାମଲା ଆରମ୍ଭ କରିବା ପାଇଁ ମାନହାଟ୍ଟନ ଗ୍ରାଣ୍ଡ ଜୁରୀ ନିଷ୍ପତ୍ତି ନେଇଛନ୍ତି।

Advertisment

୨୦୧୬ ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ଟ୍ରମ୍ପ ଜଣେ ପର୍ଣ୍ଣ ଷ୍ଟାରଙ୍କୁ ତାଙ୍କ କଳା କାରନାମା ସମ୍ପର୍କରେ ଚୁପ ରହିବା ପାଇଁ ଟଙ୍କା ଦେଇଥିଲେ। ଏହି ଅଭିଯୋଗ ପରେ ମାନହାଟ୍ଟନ ଗ୍ରାଣ୍ଡ ଜୁରୀ ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତ ପରେ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ଅଭିଯୋଗରେ ସତ୍ୟତା ଥିବା ତଦନ୍ତକାରୀ ଟିମ ଅନୁଭବ କରିଛି। ତେଣୁ ତାଙ୍କ ବିରୋଧରେ ଅପରାଧିକ ମାମଲା ଚାଲୁ ରଖିବାକୁ ଜୁରୀ ପକ୍ଷରୁ କୁହାଯାଇଛି।

ନ୍ୟୁୟର୍କରେ ଏହି ଅପରାଧିକ ମାମଲା ଚାଲିବ। ସେହିପରି ଏହି ଘଟଣା ପରେ ଟ୍ରମ୍ପଙ୍କ ଅଡ଼ୁଆ ବଢ଼ିଛି। ଗୋଟିଏ ପଟେ ଟ୍ରମ୍ପ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରସ୍ତୁତ ହେଉଥିବା ବେଳେ ଅନ୍ୟପଟେ ତଦନ୍ତ ଆରମ୍ଭ ହୋଇଛି। ବିବାଦ ବଢ଼ୁଥିବାରୁ ଟ୍ରମ୍ପ ମଙ୍ଗଳବାର ନ୍ୟୁୟର୍କରେ ଆତ୍ମସମର୍ପଣ କରିବାର ମଧ୍ୟ ସମ୍ଭାବନା ଥିବା ରିପୋର୍ଟ ପ୍ରକାଶ ପାଇଛି।

Advertisment

ଡେମୋକ୍ରାଟିକ ମାନହାଟ୍ଟନ ଡିଷ୍ଟ୍ରିକ୍ଟ ଆଟର୍ଣ୍ଣି ଅଲଭିନ ବ୍ରାଗ ହିଁ ଟ୍ରମ୍ପଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି। ତେବେ କେଉଁ ସବୁ ଚାର୍ଜ ଲାଗିଛି, ସେ ବିଷୟରେ ଜଣାପଡ଼ିନି। ବ୍ରାଗଙ୍କ ଅଫିସ ନିଶ୍ଚିତ କରିଛି ଯେ ସେମାନେ ଟ୍ରମ୍ପଙ୍କ ଓକିଲଙ୍କ ସହ ଗୁରୁବାର ସନ୍ଧ୍ୟାରେ ଯୋଗାଯୋଗ କରି ଆତ୍ମସମର୍ପଣ ପାଇଁ ବ୍ୟବସ୍ଥା କରିବାର ପ୍ରସ୍ତାବ ଦେଇଥିଲେ। ସେ ଆତ୍ମସମର୍ପଣ କରିବା ପରେ ପୂରା ଚାର୍ଜଗୁଡ଼ିକର ଖୁଲାସା କରାଯିବ। ତେବେ ଟ୍ରମ୍ପ ତାଙ୍କ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ ଏହା ପଛରେ ରାଜନୀତିକ ଅଭିସନ୍ଧି ଥିବା ମଧ୍ୟ କହିଛନ୍ତି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଡୋନାଲ୍ଡ ଟ୍ରମ୍ପଙ୍କ ବ୍ୟକ୍ତିଗତ ଓକିଲ ପର୍ଣ୍ଣ ଷ୍ଟାର ଷ୍ଟର୍ମୀ ଡାନିଏଲ୍ସଙ୍କୁ ୧ ଲକ୍ଷ ୩ ହଜାର ଡଲାର ଦେଇଥିଲେ। ଟ୍ରମ୍ପଙ୍କ ସହ ସେ ଶାରୀରିକ ସମ୍ପର୍କ ରଖିଥିଲେ। ନିର୍ବାଚନ ପୂର୍ବରୁ ସେ ଯେମିତି ଏ ସମ୍ପର୍କରେ ମୁହଁ ଖୋଲି କୌଣସି ପ୍ରକାରର ଅଡ଼ୁଆ ପରିସ୍ଥିତି ସୃଷ୍ଟି ନ କରିବେ, ସେଥିପାଇଁ ଟ୍ରମ୍ପଙ୍କ ପକ୍ଷରୁ ତାଙ୍କୁ ଚୁପ କରିବା ପାଇଁ ବେଆଇନ ଭାବେ ଟଙ୍କା ଦିଆଯାଇଥିଲା।

ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍ ରିପୋର୍ଟ ଅନୁଯାୟୀ, ଡାନିଏଲ୍ସ ୨୦୧୬ରେ ଏବିସି ନ୍ୟୁଜ୍ ସହିତ ସାକ୍ଷାତକାର ବେଳେ ସେ ଟ୍ରମ୍ପଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିବା ଆରମ୍ଭ କରିଥିଲେ। କାଳେ ସେ ସବୁ ଗୁମର ଖୋଲି ଦେବେ, ସେହି ଭୟରେ ତାଙ୍କୁ ଚୁପ ରହିବାକୁ ଏହି ଟଙ୍କା ଦିଆଯାଇଥିଲା।

ପର୍ଣ୍ଣ ଷ୍ଟାର ଡାନିଏଲ୍ସଙ୍କ ପ୍ରକୃତ ନାମ ହେଉଛି ଷ୍ଟେଫାନି କ୍ଲିଫୋର୍ଡ। ସେ ଆମେରିକା ପର୍ଣ୍ଣ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ଜଣାଶୁଣା ଚେହେରା। ୧୯୭୯ ମସିହା ମାର୍ଚ୍ଚ ୧୭ ତାରିଖରେ ଆମେରିକାରେ ଜନ୍ମିତ ଡାନିଏଲ୍ସ ତାଙ୍କ ସମୟରେ ବହୁ ପର୍ଣ୍ଣ ଫିଲ୍ମରେ ଅଭିନୟ କରିଥିଲେ। ୨୦୦୬ରେ ଗୋଟିଏ ଗଲ୍ଫ ଟୁର୍ଣ୍ଣାମେଣ୍ଟରେ ଟ୍ରମ୍ପ ଓ ଡାନିଏଲ୍ସଙ୍କ ଭେଟଘାଟ ହୋଇଥିଲା। ଏହାପରେ ଟ୍ରମ୍ପ ତାଙ୍କୁ ପ୍ରେମ ନିବେଦନ କରିଥିଲେ। ଏଥିସହ ତାଙ୍କ ସହ ବହୁଥର ଶାରୀରିକ ସମ୍ପର୍କ ମଧ୍ୟ ରଖିଥିଲେ ବୋଲି ରିପୋର୍ଟ ପ୍ରକାଶ ପାଇଛି।

USA Donald Trump