Advertisment

ଭାରତ-ପାକିସ୍ତାନ ଯୁଦ୍ଧ ବିରତି ଦାବିକୁ ୨୫ ଥର ପାଇଁ ଦୋହରାଇଲେ ଟ୍ରମ୍ପ, କଂଗ୍ରେସ କହିଲା- ରୌପ୍ୟ ଜୟନ୍ତୀ

ଟ୍ରମ୍ପ ୨୫ ଥର ପାଇଁ ଭାରତ-ପାକିସ୍ତାନ ଯୁଦ୍ଧ ବିରତିକୁ ନେଇ ନିଜର ଦାବି ପୂରା ବିଶ୍ୱକୁ ଜଣାଇଛନ୍ତି।

author-image
Hemant Lenka
Donald Trump

Donald Trump

ଭାରତ-ପାକିସ୍ତାନ ଯୁଦ୍ଧ ବିରତିରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ନେଇ ପୁଣିଥରେ ଦାବି କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ତାଙ୍କ ଯୋଗୁ ଭାରତ-ପାକିସ୍ତାନ ଆଣବିକ ଲଢ଼େଇ ବନ୍ଦ ହୋଇପାରିଥିଲା ବୋଲି ଟ୍ରମ୍ପ ଦୋହରାଇଛନ୍ତି। ଏହାକୁ ମିଶାଇ ଟ୍ରମ୍ପ ୨୫ ଥର ପାଇଁ ଭାରତ-ପାକିସ୍ତାନ ଯୁଦ୍ଧ ବିରତିକୁ ନେଇ ନିଜର ଦାବି ପୂରା ବିଶ୍ୱକୁ ଜଣାଇଛନ୍ତି।

Advertisment

ହ୍ୱାଇଟ ହାଉସରେ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଟ୍ରମ୍ପ କହିଛନ୍ତି, “ଆମେ ଭାରତ-ପାକିସ୍ତାନ, କଙ୍ଗୋ ଓ ରୱାଣ୍ଡା ମଧ୍ୟରେ ଯୁଦ୍ଧକୁ ବନ୍ଦ କରିଥିଲୁ। ଭାରତ-ପାକିସ୍ତାନ ଯୁଦ୍ଧ ବେଳେ ସେମାନେ ୫ଟି ଯୁଦ୍ଧ ବିମାନ ଖସାଇ ଦେଇଥିଲେ। ସେମାନେ ପଛକୁ ଯାଉଥିଲେ ପୁଣି ଆକ୍ରମଣ କରୁଥିଲେ। ମୁଁ ସେମାନଙ୍କୁ ଫୋନ କରିଥିଲି ଓ କହିଥିଲି ଯେ ଶୁଣ ଆଉ ବାଣିଜ୍ୟ ହେବନି। ଯଦି ତୁମେମାନେ ଏମିତି କରିବ, ତା’ହେଲେ ଆମେ ଆଦୌ ତୁମମାନଙ୍କ ପ୍ରତି ଭଲ ବ୍ୟବହାର କରିବୁ ନାହିଁ। ଉଭୟ ଶକ୍ତିଶାଳୀ ଆଣବିକ ଶକ୍ତି ସମ୍ପନ୍ନ ଦେଶ। ଆଣବିକ ଯୁଦ୍ଧ ମଧ୍ୟ ହେବାର ଥିଲା। ଆପଣମାନେ ଜାଣିଛନ୍ତି, ଏହାର ଶେଷ କେଉଁଠି। ଏହାପରେ ମୁଁ ଏହାକୁ ବନ୍ଦ କରିଥିଲି।”

ଟ୍ରମ୍ପ ବାରମ୍ବାର ଭାରତ-ପାକିସ୍ତାନ ଯୁଦ୍ଧ ବିରତିର ଶ୍ରେୟ ନେଇ ଦାବି କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୀରବତା ଉପରେ ପ୍ରଶ୍ନ ଉଠାଇଛି କଂଗ୍ରେସ। ଦଳ କହିଛି ଯେ ପ୍ରଧାନମନ୍ତ୍ରୀ ମୋଦି କେବଳ ବିଦେଶ ଗସ୍ତ କରିବାକୁ ଓ ଦେଶରେ ଗଣତାନ୍ତ୍ରିକ ପ୍ରତିଷ୍ଠାନକୁ ଅସ୍ଥିର କରିବାକୁ ସମୟ ପାଉଛନ୍ତି।

Advertisment

କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ ଏକ୍ସରେ କହିଛନ୍ତି, “ପହଲଗାମ-ସିନ୍ଦୂର ପ୍ରସଙ୍ଗରେ ସଂସଦରେ ଆଲୋଚନା ପାଇଁ ମୋଦି ସରକାର ନିର୍ଦ୍ଦିଷ୍ଟ ତାରିଖ ଦେବାକୁ ମନା କରି ଚାଲିଛନ୍ତି। ମୋଦି ସରକାର ବିତର୍କରେ ପ୍ରଧାନମନ୍ତ୍ରୀଙ୍କ ଜବାବ ଦେବା ସପକ୍ଷରେ ନଥିବା ବେଳେ ରାଷ୍ଟ୍ରପତି ଟ୍ରମ୍ପ ରୌପ୍ୟ ଜୟନ୍ତୀରେ ପହଞ୍ଚି ଗଲେଣି। ସେ ନିଜ ଦାବିକୁ କ୍ୱାର୍ଟର ସେଞ୍ଚୁରୀରେ ପହଞ୍ଚାଇ ଦେଇଛନ୍ତି। ଟ୍ରମ୍ପ ୭୩ ଦିନ ଭିତରେ ୨୫ଥର ପାଇଁ ନିଜର ଦାବି ଦୋହରାଇଛନ୍ତି। କିନ୍ତୁ ଭାରତର ପ୍ରଧାନମନ୍ତ୍ରୀ ସଂପୂର୍ଣ୍ଣ ଭାବେ ନୀରବ।”

ଏହାପୂର୍ବରୁ ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ମଧ୍ୟ ଆମେରିକା ପକ୍ଷରୁ କୁହାଯାଇଥିଲା ଯେ ସେମାନେ ଭାରତ-ପାକିସ୍ତାନ ଉତ୍ତେଜନା ହ୍ରାସରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

Donald Trump Operation Sindoor