USA
ଇସ୍ରାଏଲ ଓ ଇରାନ ମଧ୍ୟରେ ଚାଲିଥିବା ଲଢ଼େଇ ମଧ୍ୟରେ ବଡ଼ କିଛି କରିବାର ଯୋଜନାରେ ଅଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ପୂର୍ବରୁ ଇରାନକୁ ଧମକ ଦେବା ସହ ଇସ୍ରାଏଲର ସହାୟତା ପାଇଁ ଟ୍ରମ୍ପ ମଧ୍ୟପ୍ରାଚ୍ୟକୁ ଯୁଦ୍ଧତୋପ ଠାରୁ ଆରମ୍ଭ କରି ଯୁଦ୍ଧ ବିମାନ ଓ ସୈନ୍ୟ ପଠାଇଥିଲେ। ଆସନ୍ତାକାଲି କିମ୍ବା ପରବର୍ତ୍ତୀ ସପ୍ତାହରେ ଟ୍ରମ୍ପ ଇରାନ ଉପରେ ମିସାଲଇ ମାଡ଼ କରିବାକୁ ନିର୍ଦ୍ଦେଶ ଦେଇ ପାରନ୍ତି।
ଏହି ଆଶଙ୍କାରେ ସତ୍ୟତା ଥିବା ଭଳି ମନେ ହେଉଛି। କାରଣ ଆମେରିକାର ଗୋଟିଏ ଡୁମ୍ସଡେ ପ୍ଲେନ ଏବେ ୱାଶିଂଟନରେ ପହଞ୍ଚି ଯାଇଛି। ୱାଶିଂଟନର ଜଏଣ୍ଟ ବେସ ଆଣ୍ଟ୍ର୍ୟୁଜରେ ଏହା ପହଞ୍ଚିବା ପରେ ଟ୍ରମ୍ପ କିଛି ବଡ଼ କରିବାକୁ ଯାଉଥିବା ଆଶଙ୍କା ପ୍ରକାଶ ପାଇଛି। ନ୍ୟୁୟର୍କ ପୋଷ୍ଟରେ ପ୍ରକାଶିତ ଖବର ଅନୁସାରେ, ଇ-୪ବି ନାଇଟୱାଚ୍ ବିମାନକୁ ଫ୍ଲାଇଟ ଟ୍ରାକର୍ସ ଦ୍ୱାରା ଚିହ୍ନଟ କରାଯାଇଛି।
ଆଣବିକ ଯୁଦ୍ଧ ବେଳେ ଏହି ବିମାନ ପ୍ରତିରକ୍ଷା ସଚିବ ଓ ଜାତୀୟ ସୁରକ୍ଷା ଅଧିକାରୀଙ୍କୁ ସୁରକ୍ଷା ଦେବାରେ ସକ୍ଷମ। ସେହିପରି ବିମାନ ମଧ୍ୟରୁ ଆଣବିକ ଯୁଦ୍ଧ ବେଳେ ସରକାର ମଧ୍ୟ ଚାଲି ପାରିବ। ଡୁମ୍ସଡେ ବିମାନ ଲୁଇସିଆନର ବୋସିଏର ଏୟାରପୋର୍ଟରୁ ଉଡ଼ାଣ ଭରିବାର ୪ ଘଣ୍ଟା ପରେ ମ୍ୟାରୀଲ୍ୟାଣ୍ଡ ଠାରେ ପହଞ୍ଚିଥିଲା। ଜରୁରିକାଳୀନ ସ୍ଥିତି କିମ୍ବା ଜାତୀୟ ସୁରକ୍ଷା ପ୍ରସଙ୍ଗରେ ଏହାର ବ୍ୟବହାର କରାଯାଏ। ଏବେ ଏହା ୱାଶିଂଟନରେ ପହଞ୍ଚିବାରୁ ଇରାନ ବିରୋଧରେ ଆମେରିକା କିଛି ବଡ଼ କରିବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଡୁମ୍ସଡେ ପ୍ଲେନ କ’ଣ?
ଆମେରିକା ବାୟୁ ସେନା ପକ୍ଷରୁ ପରିଚାଳନା କରାଯାଉଥିବା ଉଚ୍ଚ କ୍ଷମତାସମ୍ପନ୍ନ ବିମାନ ହେଉଛି ଡୁମ୍ସଡେ ପ୍ଲେନ। ଏହା ନ୍ୟାଶନାଲ ଏୟାରବର୍ଣ୍ଣ ଅପରେସନ ସେଣ୍ଟର(ଏନଏଓସି) ଭାବେ କାମ କରେ। ଆମେରିକା ପାଖରେ ମୋଟ ୪ଟି ଇ-୪ବି ବିମାନ ରହିଛି। ରାଷ୍ଟ୍ରପତି, ପ୍ରତିରକ୍ଷା ସଚିବ ଓ ୩ ସେନା ବାହିନୀର ଅଧ୍ୟକ୍ଷଙ୍କ ଏୟାରବର୍ଣ୍ଣ କମାଣ୍ଡ ସେଣ୍ଟର ଭାବେ ଏହା ସେବା ଯୋଗାଇ ଥାଏ। ଜରୁରୀ ସମୟରେ ଏହାକୁ ବ୍ୟବହାର କରାଯାଏ। ଶେଷଥର ପାଇଁ ୨୦୦୧ ମସିହା ୯/୧୧ ଆତଙ୍କବାଦୀ ହମଲା ବେଳେ ଡୁମ୍ସଡେ ପ୍ଲେନର ବ୍ୟବହାର କରାଯାଇଥିଲା।
ରିପୋର୍ଟ ଅନୁସାରେ, ଇ-୪ବି ନାଇଟୱାଚ୍ରେ ୧୧୨ ଜଣ ଲୋକ ରହିପାରିବେ। ଏହାର କ୍ଷମତା ୭୦୦୦ ମାଇଲ୍ସ। ଆଣବିକ ବିସ୍ଫୋରଣ, ସାଇବର ଆଟାକ, ବୈଦ୍ୟୁତିକ ଝଟକା ଓ ମିସାଇଲ ମାଡ଼ ଦ୍ୱାରା ସୃଷ୍ଟି ହେଉଥିବା ନିଆଁରୁ ଏହା ସୁରକ୍ଷା ପ୍ରଦାନ କରିପାରିବ। ଏହାବାଦ ବିମାନଟି ଥମାଆଲ ଓ ନ୍ୟୁକ୍ଲିୟର ଆକ୍ରମଣରୁ ସୁରକ୍ଷା ଦେବା ସହ ବିଶ୍ୱର ଯେକୌଣସି ସ୍ଥାନରେ ଓ ଯେକୌଣସି ଲୋକ ସହ ଏଥିରୁ ଯୋଗାଯୋଗ କରାଯାଇ ପାରିବ। କାରଣ ଏଥିରେ ୬୭ଟି ସ୍ୟାଟେଲାଇଟ ଲାଗିଛି।
ଆକାଶ ପଥରେ ରହିବା ସହ ସପ୍ତାହ ଯାଏ ଲ୍ୟାଣ୍ଡିଂ ନ କରି ସେବା ଯୋଗାଇବାରେ ଏହା ସକ୍ଷମ। ମଝି ଆକାଶରେ ରହି ଏହା ଇନ୍ଧନ ମଧ୍ୟ ଭରିପାରିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/USA_1750332616.jpg)