Advertisment

ବିସ୍ଥାପିତଙ୍କ ଟେଣ୍ଟ ଉପରେ ରକେଟ ମାଡ଼, ଚାଲିଗଲା ୭୧ ଜଣଙ୍କ ଜୀବନ

ଯୁଦ୍ଧ ଯୋଗୁ ବିସ୍ଥାପିତ ହୋଇଥିବା ଟେଣ୍ଟରେ ରହୁଥିବା ଲୋକଙ୍କ ଉପରେ ଆକ୍ରମଣ କରିଛି ଇସ୍ରାଏଲ। ଆଜି ଇସ୍ରାଏଲର ରକେଟ ମାଡ଼ ଯୋଗୁ ଗାଜାର ଖାନ ୟୁନିସରେ ଥିବା ହାଉସିଂ ଟେଣ୍ଟଗୁଡ଼ିକ ଧ୍ୱଂସ ହୋଇଯାଇଛି।

author-image
Hemant Lenka
Hamas

Hamas

ଇସ୍ରାଏଲ ଓ ହମାସ ଯୁଦ୍ଧ ମଧ୍ୟରେ ବଳିପଡ଼ିବାରେ ଲାଗିଛନ୍ତି ପାଲେଷ୍ଟାଇନର ନିରୀହ ସାଧାରଣ ଲୋକ। ଅକ୍ଟବୋର ୭ରୁ ଆରମ୍ଭ ହୋଇଥିବା ଆକ୍ରମଣ ଓ ପ୍ରତିଆକ୍ରମଣ ଯୋଗୁ ଲକ୍ଷାଧିକ ଲୋକ ଏବେ ବିସ୍ଥାପିତ ଜୀବନ କାଟୁଛନ୍ତି।

Advertisment

ଯୁଦ୍ଧ ଯୋଗୁ ବିସ୍ଥାପିତ ହୋଇଥିବା ଟେଣ୍ଟରେ ରହୁଥିବା ଲୋକଙ୍କ ଉପରେ ଆକ୍ରମଣ କରିଛି ଇସ୍ରାଏଲ। ଆଜି ଇସ୍ରାଏଲର ରକେଟ ମାଡ଼ ଯୋଗୁ ଗାଜାର ଖାନ ୟୁନିସରେ ଥିବା ହାଉସିଂ ଟେଣ୍ଟଗୁଡ଼ିକ ଧ୍ୱଂସବିଧ୍ୱଂସ ହୋଇଯାଇଛି। ଏଥିରେ ୭୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି।

ମୃତକଙ୍କ ମଧ୍ୟରେ ଅନେକ ମହିଳା ଓ ଛୋଟ ପିଲାମାନେ ମଧ୍ୟ ରହିଛନ୍ତି। ହମାସ ଦ୍ୱାରା ପରିଚାଳିତ ଗାଜା ସରକାର ଏପରି ଆକ୍ରମଣକୁ ବଡ଼ ନରସଂହାର ବୋଲି କହିଛନ୍ତି। ଏଥିସହ ସରକାର ଦାବି କରିଛନ୍ତି ଯେ ମୃତକଙ୍କ ମଧ୍ୟରେ ସାଧାରଣ ଜରୁରିକାଳୀନ ସେବା ପ୍ରଦାନ କରୁଥିବା ଅନେକ ସଦସ୍ୟ ବି ରହିଛନ୍ତି।

Advertisment

ଗାଜା ସରକାର କହିଛନ୍ତି, “ଇସ୍ରାଏଲ ଦଖଲରେ ଥିବା ଆର୍ମି ପକ୍ଷରୁ ଖାନ ୟୁନିସରେ ଥିବା ବିସ୍ଥାପିତ ଲୋକଙ୍କ ଟେଣ୍ଟ ଉପରେ ବୋମା ଓ ମିସାଇଲ ମାଡ଼ କରାଯାଇଛି। ଏହା ସବୁଠାରୁ ବଡ଼ ନରସଂହାର। ଏହି ଭୟଙ୍କର ନରସଂହାରରେ ୩୦୦ରୁ ଅଧିକ ଲୋକ ମୃତାହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ଅନେକ ସାମାଜିକ କର୍ମୀ ରହିଛନ୍ତି।”

ହମାସ ପରିଚାଳିତ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି, ଇସ୍ରାଏଲ ଓ ହମାସ ମଧ୍ୟରେ ଆରମ୍ଭ ହୋଇଥିବା ଲଢ଼େଇ ବର୍ତ୍ତମାନ ସୁଦ୍ଧା ୩୮,୩୪୫ ଜଣଙ୍କ ମୃତ୍ୟୁ ଘଟିଲାଣି। ସେହିପରି କେବଳ ଗାଜା ଷ୍ଟ୍ରିପରେ ୮୮,୨୯୫ ଜଣ ଆହତ ହୋଇଛନ୍ତି। ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଏହି ଲଢ଼େଇ ଦିନକୁ ଦିନ ଭୟଙ୍କର ହେବାରେ ଲାଗିଛି।

Israel Hamas Palestine