Advertisment

ମାନସିକ ଅବସାଦ ପାଇଁ ଯୁବତୀ ଲୋଡ଼ିଥିଲେ ଇଚ୍ଛା ମୃତ୍ୟୁ, ମିଳିଲା ଅନୁମତି

ମାତ୍ର ନେଦରଲାଣ୍ଡରେ ଜଣେ ଶାରୀରିକ ସୁସ୍ଥ ଯୁବତୀଙ୍କ ଇଚ୍ଛା ମୃତ୍ୟୁ ଆବେଦନକୁ କୋର୍ଟ ସ୍ୱୀକୃତି ଦେଇ ଦେଇଛନ୍ତି।

ଅଦ୍ୟତନ ହୋଇଛି
Zoraya ter Bek

Zoraya ter Bek

Advertisment

ଇଚ୍ଛା ମୃତ୍ୟୁ ସମ୍ପୂର୍ଣ୍ଣ ଭାବେ ଜଣେ ବ୍ୟକ୍ତିର ନିଜସ୍ୱ ନିଷ୍ପତ୍ତି ହୋଇଥିବା ବେଳେ ଏଥିପାଇଁ ମିଳିଥାଏ ଆଇନଗତ ଅନୁମତି। ସାଧାରଣତଃ ରୋଗ ଯନ୍ତ୍ରଣା ଅସହ୍ୟ ହେଲେ, ସୁସ୍ଥ ହେବାର କୌଣସି ଆଶା ନ ଥିଲେ ବ୍ୟକ୍ତି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଥାନ୍ତି। ମାତ୍ର ନେଦରଲାଣ୍ଡରେ ଜଣେ ଶାରୀରିକ ସୁସ୍ଥ ଯୁବତୀଙ୍କ ଇଚ୍ଛା ମୃତ୍ୟୁ ଆବେଦନକୁ କୋର୍ଟ ସ୍ୱୀକୃତି ଦେଇ ଦେଇଛନ୍ତି। ଇଚ୍ଛାମୃତ୍ୟୁ ପାଇଁ ନେଦରଲାଣ୍ଡରେ ସ୍ୱୀକୃତି ପାଇଥିବା ଏହି ୨୯ ବର୍ଷୀୟା ଡଚ୍‌ ଯୁବତୀ ଜଣକ ହେଉଛନ୍ତି ଜୋରାୟା ଟର ବିକ୍‌।

Advertisment

ଶାରୀରିକ ଭାବେ ସଂପୂର୍ଣ୍ଣ ସୁସ୍ଥ ଥିବା ଜୋରାୟାଙ୍କ ସମସ୍ୟା ହେଉଛି ସେ ଦୀର୍ଘବର୍ଷ ହେବ ମାନସିକ ଅବସାଦ ବା ଡିପ୍ରେସନର ଶିକାର ହୋଇଛନ୍ତି। ପିଲା ବେଳୁ ହିଁ ସେ ଏହି ସମସ୍ୟା ସହ ସଂଘର୍ଷ କରି ଆସୁଥିବା ବେଳେ ଏଥିରୁ ମୁକ୍ତି ପାଇ ପାରୁ ନାହାନ୍ତି। ଜୋରାୟାଙ୍କ ଦୁନିଆ କହିଲେ ତାଙ୍କ ପୁରୁଷ ବନ୍ଧୁ। ପ୍ରେମରେ ପଡ଼ିବା ପରେ ଡିପ୍ରେସନରୁ ମୁକୁଳି ପାରିବେ ବୋଲି ଜୋରାୟା ଭାବିଥିଲେ। ମାତ୍ର ତାହା ବି କିଛି କାମ ଦେଲାନି। ମାନସିକ ଅବସାଦଜନିତ ରୋଗ ଦିନକୁ ଦିନ ଅଧିକ ସଙ୍ଗୀନ ହେବାକୁ ଲାଗିଲା।

ଏଥିରେ ଅତିଷ୍ଠ ହୋଇ ଶାନ୍ତି ପାଇବାକୁ ସେ ନେଦରଲାଣ୍ଡ କୋର୍ଟରେ ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଥିଲେ। ପ୍ରାୟ ସାଢେ ୩ ବର୍ଷର ଆଇନଗତ ଲଢ଼େଇ ପରେ ଜୋରାୟାଙ୍କ ସପକ୍ଷରେ ରାୟ ଆସିଛି। ଇଚ୍ଛା ମୃତ୍ୟୁ ଜଣେ ବ୍ୟକ୍ତିଙ୍କୁ ଯନ୍ତ୍ରଣାବିହୀନ ମୃତ୍ୟୁ ପ୍ରଦାନ ନିମନ୍ତେ ଅନୁମତି ପ୍ରଦାନ କରିଥାଏ। ବହୁ ତର୍କବିତର୍କ ପରେ ନେଦରଲାଣ୍ଡରେ ୨୦୦୨ ମସିହାରୁ ଇଚ୍ଛାମୃତ୍ୟୁକୁ ଆଇନଗତ ସ୍ୱୀକୃତି ମିଳି ସାରିଛି।

Advertisment

ଜୋରାୟା ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିବା ପରଠୁ ଏହାକୁ ନେଇ ବହୁ ତର୍କବିତର୍କ ଲାଗି ରହି ଆସିଥିଲା। କାରଣ ଜୋୟା ଶାରୀରିକ ଭାବେ ସୁସ୍ଥ ଥିବାରୁ ତାଙ୍କୁ ଏଥିନିମନ୍ତେ ଅନୁମତି ପ୍ରଦାନ ନ କରିବାକୁ ଦାବି ହେଉଥିଲା। ମାତ୍ର ଜୋରାୟାଙ୍କ ଯୁକ୍ତି ଅନୁଯାୟୀ, ଜଣେ ମାନସିକ ଅବସାଦର ଶିକାର  ହେଲେ ଜୀବନରେ ଏକାକୀ କୌଣସି ନିଷ୍ପତ୍ତି ନେଇ ପାରିବନି, ଏକା ବଞ୍ଚି ପାରିବନି ବୋଲି ଲୋକେ ଭାବିଥାନ୍ତି। ଅର୍ଥାତ ଲୋକଙ୍କର ତୁମ ଉପରୁ ବିଶ୍ୱାସ ତୁଟିବାକୁ ଲାଗେ, ଯାହାକି ଖୁବ୍‌ କଷ୍ଟଦାୟକ। ତେଣୁ ଇଚ୍ଛା ମୃତ୍ୟୁ ଲୋଡ଼ିଥିବା ସେ କହିଛନ୍ତି।

ମାନସିକ ଅବସାଦ ରୋଗରୁ ମୁକ୍ତି ପାଇବାକୁ ଦୀର୍ଘ ଦିନ ଧରି ଚିକିତ୍ସିତ ରହିବା ସତ୍ତ୍ୱେ ଏଥିରେ କୌଣସି ଉନ୍ନତି ପରିଲକ୍ଷିତ ହେଲାନି। ଫଳରେ ବଞ୍ଚିବାର ସବୁ ଆଶା ମଉଳିବାକୁ ଲାଗିଲା। ଆଉ ଏପରି ଭାବେ ବଞ୍ଚିବା ଅପେକ୍ଷା ମରିଯିବାକୁ ଅଧିକ ପସନ୍ଦ କରିବି ବୋଲି କହିଛନ୍ତି ଜୋରାୟା।

ଏଥିନିମନ୍ତେ ପୂର୍ବରୁ ସେ ଆତ୍ମହତ୍ୟା କରିବାକୁ ବି ନିଷ୍ପତ୍ତି ନେଇଥିଲେ। ମାତ୍ର ଜଣେ ସ୍କୁଲ ସାଙ୍ଗଙ୍କ ଆତ୍ମହତ୍ୟା ତାଙ୍କ ମନରେ ଗଭୀର ରେଖାପାତ କରିଥିବାରୁ ସେ ଏଥିରୁ ନିବୃତ ରହି ଇଚ୍ଛା ମୃତ୍ୟୁ ପାଇଁ ଆବେଦନ କରିଥିଲେ। ଏହାଦ୍ୱାରା ମୋ’ ପୁରୁଷ ବନ୍ଧୁ, ପରିବାର ସଦସ୍ୟ, ସାଙ୍ଗସାଥୀ ଖୁବ୍‌ ଭାଙ୍ଗି ପଡ଼ିବେ ଜାଣି ମଧ୍ୟ ମୁଁ ନିଜ ନିଷ୍ପତ୍ତିରୁ ଓହରିବି ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏଥିନିମନ୍ତେ ତାଙ୍କ ପୁରୁଷ ବନ୍ଧୁ ତାଙ୍କୁ ଖୁବ୍‌ ସହାୟତା କରୁଥିବା ସେ କହିଛନ୍ତି। ସେ ମୋତେ ଖୁବ୍‌ ଭଲ ପାଉଥିଲେ ବି ମୋ’ ଖୁସି ପାଇଁ ସେ ମୋ’ ଇଚ୍ଛାରେ ସମ୍ମତି ଜଣାଇଥିବା କହିଛନ୍ତି ଜୋରାୟା।

ଚଳିତ ମାସ ଶେଷ ସୁଦ୍ଧା ଜୋରାୟାଙ୍କ ଘରେ ଏକ ମେଡିକାଲ ଟିମ୍‌ ପହଞ୍ଚି ତାଙ୍କ ଇଚ୍ଛା ମୃତ୍ୟୁ ପ୍ରକ୍ରିୟାକୁ ସମ୍ପାଦନ କରିବେ ବୋଲି ଜଣାଯାଇଛି। ଜୋରାୟା ବିନା ଯନ୍ତ୍ରଣାରେ ଶାନ୍ତିରେ ମୃତ୍ୟୁ କୋଳରେ ଶୋଇବାକୁ ଇଚ୍ଛୁକ ଥିବା କହିଛନ୍ତି। ମୃତ୍ୟୁ ସମୟରେ ତାଙ୍କ ପୁରୁଷ ବନ୍ଧୁ ତାଙ୍କ ପାଖେପାଖେ ରହିବେ। ମାତ୍ର ସେ ଚାହିଁଲେ ମୋ’ ମୃତ୍ୟୁ ପୂର୍ବରୁ ଉକ୍ତ ରୁମ୍‌ ଛାଡ଼ି ଚାଲି ଯାଇ ପାରିବେ ବୋଲି ଜୋରାୟା କହିଛନ୍ତି।

Euthanasia Netherlands
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe