Advertisment

ବିଧ୍ୱଂସୀ ଭୂକମ୍ପ: ଛିନଛତ୍ର ମିଆଁମାର ଓ ଥାଇଲ୍ୟାଣ୍ଡ

ତାସର ଘର ଭଳି ଭୁଶୁଡ଼ି ପଡ଼ିଛି ବଡ଼ବଡ଼ ଅଟ୍ଟାଳିକା। ଅଟ୍ଟାଳିକା ଠାରୁ ଆରମ୍ଭ କରି ବ୍ରିଜ ଭୁଶୁଡ଼ିବା ବେଳର ଭୟଙ୍କର ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି।

Hospital

Hospital

Advertisment

ଭୁଶୁଡ଼ି ପଡ଼ିଛି ବଡ଼ବଡ଼ ବ୍ରିଜ ଓ ବିଲଡିଂ। ନଭଶ୍ଚୁମ୍ବି କୋଠା ଦୋହଲି ଯାଇଥିବା ବେଳେ ସୁଇମିଂ ପୁଲର ଉଚ୍ଛଳା ପାଣିକୁ ଦେଖି ଶତାଧିକ ଲୋକ ଭୂମିରେ ଲୋଟି ପଡ଼ିଛନ୍ତି। ଆତଙ୍କିତ ଅବସ୍ଥାରେ ରାସ୍ତାରେ ଜୀବନ ବିକଳରେ ଅନେକ ଲୋକ ଦୌଡ଼ିଛନ୍ତି। ତାସର ଘର ଭଳି ଭୁଶୁଡ଼ି ପଡ଼ିଛି ବଡ଼ବଡ଼ ଅଟ୍ଟାଳିକା। ଅଟ୍ଟାଳିକା ଠାରୁ ଆରମ୍ଭ କରି ବ୍ରିଜ ଭୁଶୁଡ଼ିବା ବେଳର ଭୟଙ୍କର ଦୃଶ୍ୟ ସମସ୍ତଙ୍କୁ ବିଚଳିତ କରିଛି।

Advertisment

କେନ୍ଦ୍ରୀୟ ମିଆଁମାରରେ ଆଜି ବିଧ୍ୱଂସୀ ଭୂକମ୍ପ ପରେ ଏମିତି କିଛି ଘଟଣା ଘଟିଛି। ନର୍ଦ୍ଦନ ବ୍ୟାଙ୍କକ ଓ ଦକ୍ଷିଣ ପଶ୍ଚିମ ଚାଇନା ମଧ୍ୟ ୭ରୁ ଅଧିକ ତୀବ୍ରତାର ଭୂକମ୍ପରେ କ୍ଷତିଗ୍ରସ୍ତ ହୋଇଛି। ଭୟଙ୍କର ଭୂକମ୍ପରେ ମିଆଁମାର ଓ ଥାଇଲ୍ୟାଣ୍ଡ ଏକପ୍ରକାରର ଛିନଛତ୍ର ହୋଇ ଯାଇଛି। ବର୍ତ୍ତମାନ ସୁଦ୍ଧା କେବଳ ମିଆଁମାରରେ ୨୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାର ହଜାର ଲୋକ ନିଖୋଜ ହୋଇଯାଇଛନ୍ତି। ସେହିପରି ଥାଇଲ୍ୟାଣ୍ଡ ଓ ଚାଇନାରେ ବି ଅନେକ ଲୋକ ମୃତାହତ ହୋଇଛନ୍ତି। 

ପ୍ରଥମେ ୭.୭ ତୀବ୍ରତା ଓ ଏହାପରେ ୭.୨ ତୀବ୍ରତାର ଭୂକମ୍ପ ସବୁ କିଛି ଓଲଟ ପାଲଟ କରି ଦେଇଛି। ମିଆଁମାରର ସାଗାଇଙ୍ଗ ସହର ଠାରୁ ୧୬ କିମି ଦୂରରେ ଭୂକମ୍ପର କେନ୍ଦ୍ର ସ୍ଥଳ ରହିଛି। ମିଆଁମାର ଓ ଥାଇଲ୍ୟାଣ୍ଡରେ ଭୂକମ୍ପର ଭୟଙ୍କର ଝଟକା ଅନୁଭୂତ ହୋଇଥିବା ବେଳେ ଭାରତର ବେଙ୍ଗଲ, ମେଘାଳୟା ଓ ମଣିପୁର ସମେତ ବାଂଲାଦେଶର ଢାକା ଓ ଚଟ୍ଟୋଗ୍ରାମରେ ମଧ୍ୟ ଲୋକମାନେ ମୃଦୁ ଝଟକାରେ ଥରିଛନ୍ତି।

Advertisment

ଆମେରିକା ଜିଓଲୋଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି ଯେ ଶୁକ୍ରବାର ସ୍ଥାନୀୟ ୧୨.୫୦ରେ କେନ୍ଦ୍ରୀୟ ମିଆଁମାର ପ୍ରଥମେ ୭.୭ ଓ ପରେ ୬.୮ ତୀବ୍ରତାର ଭୂକମ୍ପରେ ପୂରା ଛିନଛତ୍ର ହୋଇଯାଇଛି। ସାଗାଇଙ୍ଗ ସହର ଠାରୁ ୧୬ କିମି ଦୂର ଓ ଭୂପୃଷ୍ଠରୁ ୧୦ କିମି ଗଭୀର ହେଉଛି ଭୂକମ୍ପର କେନ୍ଦ୍ର ସ୍ଥଳ। ମିଆଁମାରର ସ୍ଥାନୀୟ ଗଣମାଧ୍ୟମ ଅନୁସାରେ ଭୂକମ୍ପ ଯୋଗୁ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ସେହିପରି ବଡ଼ବଡ଼ ଅଟ୍ଟାଳିକା ଭୁଶୁଡ଼ିବା ଯୋଗୁ ହଜାର ହଜାର ଲୋକ ନିଖୋଜ ହୋଇଯାଇଛନ୍ତି।

ମିଆଁମାରରେ ଇରାୱାଡୀ ନଦୀ ଉପରେ ଥିବା ପୁରୁଣା ବ୍ରିଜ ଭୁଶୁଡ଼ି ପଡ଼ିଛି। ସାଗାଇଙ୍ଗ ଠାରୁ ୨୪ କିମି ଦୂର ମାଣ୍ଡଲେ ଠାରେ ଏକାଧିକ ଆବାସିକ କୋଠା ମାଟିରେ ମିଶି ଯାଇଛି। ମାଣ୍ଡଲେ ଥିବା ଏୟାରପୋର୍ଟ ବ୍ୟାପକ ଢଙ୍ଗରେ କ୍ଷତିଗ୍ରସ୍ତ ହୋଇଛି। ଥାଇଲ୍ୟାଣ୍ଡ ସୀମାରେ ଥିବା ମିଆଁମାରର ଶାନରେ ମଧ୍ୟ ଭୟଙ୍କର କ୍ଷୟକ୍ଷତି ହୋଇଛି।

ମିଆଁମାରର ରାଜଧାନୀ ନେପିଡୋରେ ଥିବା ୧୦୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଅଞ୍ଚଳ ଭୂକମ୍ପରେ ସବୁଠାରୁ ଭୟଙ୍କର ଢଙ୍ଗରେ କ୍ଷତିଗ୍ରସ୍ତ ହୋଇଛି। ତେବେ ସେଠାରେ କେତେ ଲୋକଙ୍କ ମୃତ୍ୟୁ ହୋଇଛି, ସେକଥା ସ୍ପଷ୍ଟ ହୋଇନି। ସହରର ଅନ୍ୟତମ ବଡ଼ ହସ୍ପିଟାଲ ଭାବେ ଏହା ପରିଚିତ। କିନ୍ତୁ ଏହାର ନାମକରଣ ଏଯାଏ ହୋଇ ନଥିଲା। 

ଏଏଫପି ରିପୋର୍ଟ ଅନୁସାରେ, ବିଲଡିଂ ବାହାରେ ଥିବା ରାସ୍ତାରେ ଆହତଙ୍କୁ ଚିକିତ୍ସା କରାଯାଉଛି। ରାସ୍ତା ଉପରେ ଲୋକଙ୍କ ଦେହରେ ସାଲାଇନ ଲାଗୁଥିବା ବେଳେ ଲୋକମାନେ କେବଳ ଚିତ୍କାର କରିବାରେ ଲାଗିଛନ୍ତି। ମିଆଁମାରର ବିଭିନ୍ନ ସହରରେ ଆବାସିକ ଅଞ୍ଚଳ ଠାରୁ ଆରମ୍ଭ କରି ରାସ୍ତା ଘାଟ ଓ ବ୍ରିଜ ଭୂକମ୍ପରେ ଧ୍ୱଂସ ହୋଇ ଯାଇଛି।

ପ୍ରଥମେ ମିଆଁମାରରେ ଡବଲ ଭୂକମ୍ପ ଝଟକା ଅନୁଭୂତ ହୋଇଥିବା ବେଳେ ଏହା ଠାରୁ ଅନେକ ଦୂର ନର୍ଦ୍ଦନ ଥାଇଲ୍ୟାଣ୍ଡରେ ମଧ୍ୟ ଲୋକମାନେ ଶକ୍ତିଶାଳୀ ଝଟକାରେ ଥରିଛନ୍ତି। ଏଥିଯୋଗୁ ବ୍ୟାଙ୍କକରେ ମେଟ୍ରୋ ସେବାକୁ ବନ୍ଦ କରିଦିଆଯାଇଛି। ଥାଇ ପ୍ରଧାନମନ୍ତ୍ରୀ ପଏତୋଗତାର୍ନ ଶିନାବାତ୍ରା ଜରୁରୀ ବୈଠକ ଡାକି ସ୍ଥିତିର ସମୀକ୍ଷା କରିଛନ୍ତି। ଏଥିସହ ରାଜଧାନୀରେ ଷ୍ଟେଟ ଅଫ ଏମର୍ଜେନ୍ସୀ ଘୋଷଣା କରିଛନ୍ତି।

ବ୍ୟାଙ୍କକ ଓ ଅନ୍ୟ ସହରଗୁଡ଼ିକରୁ ଭୂକମ୍ପ ପରେ ଆସିଥିବା ଭିଡିଓ ସମସ୍ତଙ୍କୁ ଚକିତ କରିଛି। ଭିଡିଓରେ ଲୋକମାନେ ଜୀବନ ବିକଳରେ କେମିତି ଚିତ୍କାର କରି ଦୌଡ଼ୁଛନ୍ତି, ତା’ର ଦୃଶ୍ୟ ରହିଛି। ପର୍ଯ୍ୟଟନର ସହର ଚିଆଙ୍ଗ ମାଇର ଜଣେ ଲୋକ କହିଛନ୍ତି, “ମୁଁ ଭୟଙ୍କର ଶବ୍ଦ ଶୁଣିଛି। ମୁଁ ଘରେ ଶୋଇଥିଲି ଓ ଏହାପରେ ମୁଁ ବିଲଡିଂରୁ ବାହାରି ସିଧା ଜୋରରେ ଦୌଡ଼ି ଥିଲି। ମୋ ସହ ମଧ୍ୟ ଅନେକ ଲୋକ ଜୀବନ ବିକଳରେ ରାସ୍ତାରେ ଦୌଡ଼ିଥିଲେ।” ଭୂକମ୍ପ ଝଟକା ପରେ ସୁଇମିଂ ପୋଲରୁ କେମିତି ପାଣି ଉଚ୍ଛୁଳୁଛି, ତା’ର ଭିଡିଓ ବି ସାମ୍ନାକୁ ଆସିଛି। ସୁଇମିଂ ପୋଲରୁ ପାଣି ବାହାରିବା ଦୃଶ୍ୟ ଲୋକଙ୍କ ମନରେ ମିନି ସୁନାମୀର ଭୟ ମଧ୍ୟ ସୃଷ୍ଟି କରିଛି।

ବ୍ୟାଙ୍କକର ଚାତୁଚାକରେ ଗୋଟିଏ ନିର୍ମାଣଧୀନ ନଭଶ୍ଚୁମ୍ବି ବିଲଡିଂ ଭୁଶୁଡ଼ି ପଡ଼ିଛି। ଏହି ୩୦ ମହଲା ବିଶିଷ୍ଟ ବିଲଡିଂରେ ପ୍ରାୟ ୪୩ ଜଣ ଶ୍ରମିକ କାମ କରୁଥିଲେ। ବାହାରେ ମଧ୍ୟ ଅନେକ ଲୋକ ରହିଥିଲେ। ସେମାନେ ସମସ୍ତେ ଧ୍ୱଂସାବଶେଷ ତଳେ ଚାପି ହୋଇ ଯାଇଥିବା ବେଳେ ଅନ୍ୟ କିଛି ଲୋକ ସେଠାରୁ ଦୌଡ଼ି ଜୀବନ ବଞ୍ଚାଇଥିଲେ। ଏହି ବିଲଡିଂ ସରକାରୀ ଅଫିସଗୁଡ଼ିକ ପାଇଁ ନିର୍ମାଣ ହେଉଥିଲା। କିନ୍ତୁ ଏବେ ଏହା ସଂପୂର୍ଣ୍ଣ ଭାବେ ମାଟିରେ ମିଶି ଯାଇଛି। ମାତ୍ର କିଛି ସେକେଣ୍ଡ ମଧ୍ୟରେ କେମିତି ବିଲଡିଂଟି ଧ୍ୱଂସାବଶେଷରେ ପରିଣତ ହେଉଛି, ତା’ର ଭିଡିଓ ସାମ୍ନାକୁ ଆସିଛି। 

ଚାଇନାର ୟୁନ୍ନାନ ପ୍ରଦେଶ ମଧ୍ୟ ଶକ୍ତିଶାଳୀ ଭୂକମ୍ପରେ ଦୋହଲିଛି। ଚାଇନାର ଭୂକମ୍ପ ନେଟୱର୍କ କେନ୍ଦ୍ର କହିଛି ଏଠାରେ ଅନୁଭୂତ ହୋଇଥିବା ଭୂକମ୍ପର ତୀବ୍ରତା ୭.୯ ରହିଥିଲା।

ମିଆଁମାର ଓ ଥାଇଲ୍ୟାଣ୍ଡର ଭୟଙ୍କର ଭୂକମ୍ପ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଚିନ୍ତା ପ୍ରକଟ କରିଛନ୍ତି। ଭାରତ ପକ୍ଷରୁ ଦୁଇ ଦେଶକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯିବ ବୋଲି ମୋଦି କହିଛନ୍ତି।

Earthquake Bangkok Myanmar Thailand
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe