/odisha-reporter/media/post_attachments/uploadimage/library/16_9/16_9_0/Jail_1748935718.jpg)
Jail
କଥାରେ ଅଛି ବିପର୍ଯ୍ୟୟ ଆଣିଥାଏ ସୁଯୋଗ। ଏହାର ଅର୍ଥ ବିପର୍ଯ୍ୟୟକୁ ସୁଯୋଗରେ ପରିଣତ କରାଯାଇ ପାରେ। ଏହା ଏବେ ବାସ୍ତବ ଜୀବନରେ ଘଟିଛି। ପାକିସ୍ତାନର କରାଚିରେ ଥିବା ମାଲିର ଜେଲରେ ବନ୍ଦୀ ଜୀବନ କାଟୁଥିବା କଏଦୀମାନେ କେମିତି ଭୂକମ୍ପର ଫାଇଦା ଉଠାଇଛନ୍ତି, ତା’ର ତଥ୍ୟ ସାମ୍ନାକୁ ଆସିଛି। ଏଠାରେ ୨୦୦ରୁ ଅଧିକ କଏଦୀ ଭୂକମ୍ପ ଝଟକା ପରେ ଦେଖା ଯାଇଥିବା ଆତଙ୍କର ଫାଇଦା ଉଠାଇ ଜେଲରୁ ଖସି ଯିବାକୁ ସକ୍ଷମ ହୋଇଛନ୍ତି।
ସୋମବାର ପୂର୍ବ କରାଚିର ବିଭିନ୍ନ ସ୍ଥାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା। ଏହି ସମୟରେ ମାଲିର ଜେଲର ସୁରକ୍ଷା ବ୍ୟବସ୍ଥା ମଧ୍ୟ ସତେ ଯେମିତି ଦୋହଲି ଯାଇଥିଲା। ଏହାର ଫାଇଦା ଉଠାଇଥିଲେ ୨୦୦ରୁ ଅଧିକ ଏକଦୀ। ଜେଲ କର୍ତ୍ତୃପକ୍ଷ ଭୂକମ୍ପ ଝଟକା ଯୋଗୁ ଉଦ୍ଧାର କାର୍ଯ୍ୟ କରୁଥିବା ବେଳେ ୨୦୦ରୁ ଅଧିକ କଏଦୀ ଏହାର ସୁଯୋଗ ନେଇ ଚମ୍ପଟ ମାରିବାକୁ ସକ୍ଷମ ହୋଇଛନ୍ତି।
ଜେଲ ସୁପରିନଟେଣ୍ଡେଣ୍ଟ ଅର୍ଶଦ ଶାହ କହିଛନ୍ତି, “ଜେଲ କର୍ତ୍ତୃପକ୍ଷ ଭୂକମ୍ପ ଜନିତ ଉଦ୍ଧାର କାର୍ଯ୍ୟରେ ବ୍ୟସ୍ତ ରହିଥିବା ବେଳେ ପ୍ରାୟ ୨୧୬ ଜଣ ଏକଦୀ ଏଠାରୁ ଚମ୍ପଟ ମାରିଛନ୍ତି। ଭୂକମ୍ପ ଝଟକା ପରେ କଏଦୀମାନେ ଦୌଡ଼ାଦୌଡ଼ି ହୋଇଥିଲେ। ଏଥିଯୋଗୁ ସୃଷ୍ଟି ହୋଇଥିବା ଭିଡ଼ ଯୋଗୁ ଜଣେ କଏଦୀଙ୍କ ମୃତ୍ୟୁ ହୋଇଛି। ଜେଲ କର୍ମଚାରୀଙ୍କ ବ୍ୟତୀତ ଆଉ କିଛି କଏଦୀ ଆହତ ମଧ୍ୟ ହୋଇଛନ୍ତି। ଜେଲରେ ଅଧିକାଂଶ କଏଦୀ ନିଶାଦ୍ରବ୍ୟ ସହ ଜଡ଼ିତ ମାମଲାରେ ଗିରଫ ହୋଇ ବନ୍ଦୀ ଜୀବନ କାଟୁଥିଲେ। ସେହିପରି କିଛି କଏଦୀଙ୍କ ମାନସିକ ଅବସ୍ଥା ମଧ୍ୟ ଭଲ ନଥିଲା।”
ରବିବାର ଠାରୁ କରାଚିରେ ୧୬ ଥର ଛୋଟ ଛୋଟ ଭୂକମ୍ପ ଝଟକା ଅନୁଭବ ହୋଇ ସାରିଲାଣି। ଏହା ମଧ୍ୟରୁ ଅଧିକାଂଶ ଭୂକମ୍ପର କେନ୍ଦ୍ର ସ୍ଥଳ ମାଲିର ନିକଟରେ ରହିଥିଲା। ଏହିକ୍ରମରେ ସୋମବାର ବିଳମ୍ବିତ ରାତିରେ କ୍ରମାଗତ ଦୁଇଟି ଝଟକା ଅନୁଭୂତ ହୋଇଥିଲା। ରିକ୍ଟର ସ୍କେଲରେ ଗୋଟିଏ ଭୂକମ୍ପର ତୀବ୍ରତା ୨.୬ ଓ ଆଉ ଗୋଟିଏର ତୀବ୍ରତା ୨.୮ ରହିଥିଲା। ଏହାର ପ୍ରଭାବ ଜେଲରେ ମଧ୍ୟ ପଡ଼ିଥିଲା।
ସୋଶାଲ ମିଡିଆରେ କିଛି ଭିଡିଓ ମଧ୍ୟ ଭାଇରାଲ ହେଉଛି। ଅନ୍ଧାର ରାତିରେ ମାଲିର ଜେଲ ଭିତରୁ ଗୁଳି ମାଡ଼ର ଶବ୍ଦ ଆସୁଥିବା ଭିଡିଓରେ ସ୍ପଷ୍ଟ ହୋଇଛି। ଆଉ ଏକ ଭିଡିଓରେ ଜେଲରୁ ୨ ଜଣ କଏଦୀ ଖସି ଯାଉଥିବା ଦେଖା ଯାଉଛି।
ଜେଲ ସୁପରିନଟେଣ୍ଡେଣ୍ଟ ଶାହଙ୍କ କହିବା କଥା ଯେ ସର୍କଲ ୪ରୁ ୫ରୁ କଏଦୀମାନଙ୍କୁ ଭୂକମ୍ପ ଝଟକା ପରେ ସୁରକ୍ଷା ଦୃଷ୍ଟିରୁ ସେମାନଙ୍କ ବାରାକରୁ ସ୍ଥାନାନ୍ତର କରାଯାଉଥିଲା। ଏହି ସମୟରେ ୬୦୦ରୁ ଅଧିକ କଏଦୀ ସେମାନଙ୍କ ସେଲ ବାହାରେ ଥିଲେ। ଏହାର ସୁଯୋଗ ନେଇ ୨୧୬ ଜଣ ଚମ୍ପଟ ମାରିଥିଲେ। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ଧରା ଯାଇଥିବା ବେଳେ ଏବେ ୧୩୫ରୁ ଅଧିକ କଏଦୀ ଫେରାର ରହିଛନ୍ତି। ସେମାନଙ୍କୁ ଧରିବା ପାଇଁ ପ୍ରୟାସ ଚାଲିଥିବା ସେ ସୂଚନା ଦେଇଛନ୍ତି।
ଏହାପୂର୍ବରୁ ପୁଲିସ୍ କହିଥିଲା ଯେ ଜେଲର ବାହା କାନ୍ଥ ଏକାଧିକ ଭୂକମ୍ପ ଝଟକା ଯୋଗୁ ଦୁର୍ବଳ ହୋଇଯାଇଥିଲା। ଏହାକୁ ଭାଙ୍ଗି କଏଦୀମାନେ ଚମ୍ପଟ ମାରିଛନ୍ତି। ତେବେ ସିନ୍ଧ ପ୍ରଦେଶର ଗୃହ ମନ୍ତ୍ରୀ ଜିଆ ଉଲ ହାସନ ଲଞ୍ଜରଙ୍କ କହିବା କଥା ଯେ ଭୂକମ୍ପ ଜନିତ ଉଦ୍ଧାର କାର୍ଯ୍ୟ ବେଳେ ୭୦୦ରୁ ୧ ହଜାର କଏଦୀ ମୁଖ୍ୟ ଗେଟ ପାଖରେ ରୁଣ୍ଡ ହୋଇଥିଲେ। ଏହାର ଫାଇଦା ଉଠାଇ ୧୦୦ରୁ ଅଧିକ କଏଦୀ ବଳପୂର୍ବକ ମୁଖ୍ୟ ଫାଟକ ଖୋଲି ଖସି ଯାଇଛନ୍ତି। ସେମାନଙ୍କ ମଧ୍ୟରୁ କିଛି ଜଣଙ୍କୁ ପରବର୍ତ୍ତୀ ଅବସ୍ଥାରେ ଗିରଫ କରାଯାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
