/odisha-reporter/media/media_files/2026/02/26/el-mencho-2026-02-26-16-26-55.jpg)
ଏଲ ମେଞ୍ଚୋ
ଦୁନିଆର ସବୁଠୁ ଭୟଙ୍କର ଓ ସମ୍ପତ୍ତିଶାଳୀ ଡ୍ରଗ୍ ମାଫିଆ 'ଏଲ୍ ମେଞ୍ଚୋ' ର ଅନ୍ତ। ଏଲ୍ ମେଞ୍ଚୋ ଓରଫ ନେମେସିଓ ଓସେଗୁଏରା ସର୍ଭାଣ୍ଟେସକୁ ଧରିବା ପାଇଁ ଆମେରିକା ୧୫ ମିଲିୟନ ଡଲାରର ପୁରସ୍କାର ରଖିଥିଲା। ମେକ୍ସିକୋ(Mexico) ସେନାର ଗୁଳିରେ ସେ ନିହତ ହୋଇଛି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ବର୍ଷ ବର୍ଷ ଧରି ପୁଲିସ ଆଖିରେ ଧୂଳି ଦେଇ ଖସି ଯାଉଥିବା ଏହି ମାଫିଆକୁ ଧରାଇଦେଲା ତା’ର ଜଣେ ପ୍ରେମିକା।
ଗୁଇନ୍ଦା ସୂଚନା ଅନୁସାରେ ତା’ ପ୍ରେମିକା ହିଁ ତା’ ପାଇଁ ସାଜିଲା କାଳ। ଏଲ୍ ମେଞ୍ଚୋ ଜଣେ ମହିଳାଙ୍କ ସହ ସମ୍ପର୍କରେ ଥିଲେ। ମେକ୍ସିକୋ ସେନା ସେହି ମହିଳାଙ୍କୁ ଗୁପ୍ତରେ ପିଛା କରିଥିଲା। ଯେତେବେଳେ ମହିଳା ଜଣକ 'ତାପାଲପା'ର ଏକ ନିର୍ଜନ ରିସର୍ଟକୁ ଏଲ୍ ମେଞ୍ଚୋକୁ ଭେଟିବାକୁ ଯାଇଥିଲେ ସନ୍ଦେହ ଦୃଢ଼ ହୋଇଥିଲା ସେନାର।
ସଂପୃକ୍ତ ମହିଳା ଫେରିବା ପରେ ସେନା ପୂରା ଅଞ୍ଚଳକୁ ଘେରି ଯାଇଥିଲା। ଆରମ୍ଭ ହୋଇଯାଇଥିଲା ସେନା ଓ ମାଫିଆଙ୍କ ମଧ୍ୟରେ ଜୋରଦାର ଗୁଳିବିନିମୟ। ଏପରି କି କାର୍ଟେଲ୍ ସଦସ୍ୟମାନେ ରକେଟ୍ ଲଞ୍ଚରରେ ସେନା ଉପରକୁ ଆକ୍ରମଣ କରିଥିଲେ। ଶେଷରେ ଜଙ୍ଗଲ ଭିତରେ ଲୁଚିଥିବା ଅବସ୍ଥାରେ ଏଲ୍ ମେଞ୍ଚୋ ସେନା ଗୁଳିରେ ପ୍ରାଣ ହରାଇଛି।
ତେବେ କିଏ ଏହି ଦୁର୍ଦ୍ଦାନ୍ତ ଏଲ୍ ମେଞ୍ଚୋ? ସେଥିଲା ଅପରାଧ ଦୁନିଆର ରାଜା। ଯିଏ ଦିନେ ଆମେରିକାରେ ଡ୍ରଗ୍ସ ବିକୁଥିଲା, ସେ ପାଲଟିଗଲା ଦୁନିଆର ସବୁଠାରୁ ବଡ଼ ଡ୍ରଗ୍ ମାଫିଆ। ଯାହା ନାଁ ଶୁଣିଲେ ଥରୁଥିଲା ମେକ୍ସିକୋ ସରକାର। ଏଲ୍ ମେଞ୍ଚୋର ପ୍ରକୃତ ନାଁନେମେସିଓ ଓସେଗୁଏରା ସର୍ଭାଣ୍ଟେସ।ମେକ୍ସିକୋର ଏକ ଛୋଟ ଗାଁମିଚୋଆକାନରୁଆରମ୍ଭ ହୋଇଥିଲା ଏଲ୍ ମେଞ୍ଚୋର ସଫର। ପେସାରେ ସେ ଜଣେ ବନ୍ଧୁକଧାରୀଥିଲା।
ଯୌବନ ଅବସ୍ଥାରେ ସେ ଆମେରିକାର କାଲିଫର୍ଣ୍ଣିଆ ଚାଲିଯାଇଥିଲା ଏବଂ ସେଠାରେ ହେରୋଇନ ଚୋରା ଚାଲାଣ ଅଭିଯୋଗରେ ତିନି ବର୍ଷ ଜେଲ୍ରେ ରହିବା ପରେ ତାକୁ ମେକ୍ସିକୋକୁ ଦେଶାନ୍ତର କରାଯାଇଥିଲା।ଜେଲ୍ ଯାଇ ଫେରିବା ପରେ ନିଜର ଏକ ସ୍ୱତନ୍ତ୍ର ଗ୍ୟାଙ୍ଗ CJNG ତିଆରି କରିଥିଲା।୨୦୦୯-୧୦ ମସିହାରେ ଯେତେବେଳେ ବଡ଼ ବଡ଼ କାର୍ଟେଲ ମୁଖ୍ୟମାନେ ଗିରଫ ହେଲେ, ଏଲ୍ ମେଞ୍ଚୋ ସେହି ସୁଯୋଗର ଫାଇଦା ଉଠାଇଲା।
ନିର୍ଦ୍ଦୟତା ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ବଳରେ ଅଳ୍ପ ଦିନରେ ଦୁନିଆର ସବୁଠାରୁ ଶକ୍ତିଶାଳୀ ଡ୍ରଗ୍ ସିଣ୍ଡିକେଟ୍ ଗଢ଼ିଥିଲା ଏଲ୍ ମେଞ୍ଚୋ। କେବଳ ଡ୍ରଗ୍ସ ବ୍ୟବସାୟରେ ସୀମିତ ନଥିଲା। ସେ ତେଲ ଚୋରି, ଚାନ୍ଦା ଆଦାୟ ଏବଂ ହିଂସାତ୍ମକ କାର୍ଯ୍ୟକଳାପରେ ପୁରା ମେକ୍ସିକୋରେ ନିଜର ଦବଦବା ବଢ଼ାଇଥିଲା।ଆମେରିକା ତା’ ବିଷୟରେ ସୂଚନା ଦେବା ପାଇଁ ୧୫ ମିଲିୟନ ଡଲାର ବା ପ୍ରାୟ ୧୨୫ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲା।
ଏଲ୍ ମେଞ୍ଚୋର ମୃତ୍ୟୁ ପରେ ପୁରା ମେକ୍ସିକୋରେ ଦେଖାଦେଇଛି ହିଂସା କାଣ୍ଡ। ତାର ଗ୍ୟାଙ୍ଗ ସଦସ୍ୟମାନେ ରାସ୍ତା ଅବରୋଧ କରି ଗାଡି ପୋଡୁଛନ୍ତି। ସରକାର ୧୦ ହଜାର ଅତିରିକ୍ତ ସୈନ୍ୟ ମୁତୟନ କରିଛନ୍ତି। ଏଲ୍ ମେଞ୍ଚୋର ପତନ ଡ୍ରଗ୍ ଦୁନିଆ ପାଇଁ ଏକ ବଡ଼ ଶକ୍ତ ଧକ୍କା ବୋଲି କୁହାଯାଉଛି।
ଆଜି ଏଲ୍ ମେଞ୍ଚୋର ମୃତ୍ୟୁ ସହ ଏକ କଳା ଅଧ୍ୟାୟର ଅନ୍ତ ଘଟିଛି। କିନ୍ତୁ ପ୍ରଶ୍ନ ଉଠୁଛି, ତା’ର ଏହି ବିଶାଳ ସାମ୍ରାଜ୍ୟକୁ ଏବେ ସମ୍ଭାଳିବ କିଏ? କିଏ ହେବ CJNG ର ପରବର୍ତ୍ତୀ ମୁଖ୍ୟ? ତାଉପରେ ସମସ୍ତଙ୍କ ନଜର।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
