ପୁଣି ବାପା ହେଲେ ଏଲନ ମସ୍କ, ୧୨ରେ ପହଞ୍ଚିଲା ସନ୍ତାନ ସଂଖ୍ୟା

ନ୍ୟୁରାଲିଙ୍କ କମ୍ପାନୀର ନିର୍ଦ୍ଦେଶକ ଶିଭୋନ ଜିଲିସ ମସ୍କଙ୍କ ୧୨ତମ ସନ୍ତାନର ମାଆ।

ଶିଭୋନ ଜିଲିସ୍ ଓ ଏଲନ ମସ୍କ

  • Published: Tuesday, 25 June 2024
  • , Updated: 25 June 2024, 04:50 PM IST

ପୁଣି ଥରେ ବାପା ହୋଇଛନ୍ତି ବିଶ୍ୱର ଅରବପତି ଏଲନ ମସ୍କ। ୫୨ ବର୍ଷୀୟ ଟେସଲା ସିଇଓ ମସ୍କ ୧୨ଟି ସନ୍ତାନର ବାପା ହୋଇଛନ୍ତି। ନ୍ୟୁରାଲିଙ୍କ କମ୍ପାନୀର ନିର୍ଦ୍ଦେଶକ ଶିଭୋନ ଜିଲିସ ମସ୍କଙ୍କ ୧୨ତମ ସନ୍ତାନର ମାଆ।

ଜିଲିସ୍ ଓ ମସ୍କ 3ଟି ସନ୍ତାନର ବାପାମାଆ। ୨୦୨୧ରେ ଜିଲିସ୍ ଜାଆଁଳା ସନ୍ତାନ ଜନ୍ମ ଦେଇଥିଲେ। ଏହାପରେ ତାଙ୍କର ଆଉ ଏକ ସନ୍ତାନ ଜନ୍ମ ନେଇଛି। କିନ୍ତୁ ଏନେଇ ଉଭୟ ଦମ୍ପତି ସର୍ବସାଧାରଣରେ କୌଣସି ଘୋଷଣା କରିନାହାନ୍ତି। 

ବ୍ଲୁମବର୍ଗର ରିପୋର୍ଟ ଅନୁସାରେ, ଏଲନ୍ ମସ୍କ ଓ ଶିଭୋନ୍ ଜିଲିସ ୨୦୨୧ରେ ଜାଆଁଳା ଶିଶୁଙ୍କ ବାପାମାଆ ହୋଇଥିଲେ। କିନ୍ତୁ ଏ ବାବଦରେ ସେମାନେ ୨୦୨୨ରେ ସୂଚନା ଦେଇଥିଲେ। ବର୍ତ୍ତମାନ ସେମାନେ ତୃତୀୟ ସନ୍ତାନ ବିଷୟରେ ମଧ୍ୟ କୌଣସି ସୂଚନା ଦେଇନାହାଁନ୍ତି। ଜିଲିସ୍ ସହ ତାଙ୍କ ତୃତୀୟ ସନ୍ତାନର ଲିଙ୍ଗ ଏବଂ ନାମ ମଧ୍ୟ ଏପର୍ଯ୍ୟନ୍ତ ଜଣାପଡ଼ି ନାହିଁ।

ତେବେ ଏଲନ୍ ମସ୍କ ବର୍ତ୍ତମାନ ୧୨ ପିଲାଙ୍କ ପିତା, ସେମାନଙ୍କ ମଧ୍ୟରୁ ୬ ଜଣ ଗତ ପାଞ୍ଚ ବର୍ଷ ମଧ୍ୟରେ ଜନ୍ମ ହୋଇଛନ୍ତି। ଏହି ଛଅ ଜଣ ପିଲାଙ୍କ ମଧ୍ୟରୁ ତିନିଜଣଙ୍କ ମାଆ ହେଉଛନ୍ତି ତାଙ୍କ ପୂର୍ବତନ ପାର୍ଟନର୍ କାନାଡିୟ ପପଷ୍ଟାର୍ ଗ୍ରିମସଙ୍କର। ପ୍ରଥମ ପତ୍ନୀ ଲେଖକ ଜଷ୍ଟିନଙ୍କ ସହ ମସ୍କଙ୍କର ପାଞ୍ଚଟି ସନ୍ତାନ ଅଛନ୍ତି। ତିନି ପିଲା ଜିଲିସ୍ ସହିତ ଅଛନ୍ତି।

ଅନେକ ସମୟରେ ମସ୍କ ଜନସଂଖ୍ୟାକୁ ନେଇ ଉଦବେଗ ପ୍ରକାଶ କରିନ୍ତି। ଏକ ସାକ୍ଷାତକାରରେ ମସ୍କ କହିଥିଲେ, ବର୍ତ୍ତମାନ ବିଶ୍ୱ କମ୍ ଜନସଂଖ୍ୟା ସଙ୍କଟରେ ସମ୍ମୁଖୀନ ହେଉଛି। ତେଣୁ ଜନସଂଖ୍ୟା ବୃଦ୍ଧି ପାଇଁ ସେ ଆହ୍ୱାନ କରିଥିଲେ। ଏପରିକି ନିକଟରେ ଜନ୍ମହାର ବୃଦ୍ଧି ପାଇଁ ଜାପନ ଡେଟିଂ ଆପ୍ ଲଞ୍ଚ୍ କରିବା ପରେ ଏହାକୁ ସମର୍ଥନ କରିଥିଲେ ମସ୍କ। ଏପରିକି ଜାପାନ ସରକାରଙ୍କ ପଦକ୍ଷେପକୁ ସାଧୁବାଦ ଜଣାଇଥିଲେ। 

ଟେସଲା, ସ୍ପେସ୍ ଏକ୍ସ ଏବଂ ଏକ୍ସ ମାଲିକ ଏଲନ୍ ମସ୍କ ହେଉଛନ୍ତି ବିଶ୍ୱର ଧନୀ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ। ବ୍ଲୁମବର୍ଗ ବିଲିଓନେୟାର୍ସ ଇଣ୍ଡେକ୍ସ ଅନୁଯାୟୀ, ଜୁନ୍ ୧୯, ୨୦୨୪ରେ ଏଲନ୍ ମସ୍କଙ୍କ ସମ୍ପତ୍ତି ମୂଲ୍ୟ ୨୧୦ ବିଲିୟନ ଡ଼ଲାରରେ ପହଞ୍ଚିଥିଲା, ଯାହା ଦୁନିଆର ସବୁଠୁ ଅଧିକ। ଆମାଜନ୍ ପ୍ରତିଷ୍ଠାତା ଜେଫ୍ ବେଜୋସଙ୍କ ତୁଳନାରେ ଅପେକ୍ଷା ମସ୍କଙ୍କ ସମ୍ପତ୍ତି ପ୍ରାୟ ତିନି ବିଲିୟନ ଡଲାର ଅଧିକ।

Related story