ଇଲନ ମସ୍କ
ଇଲନ୍ ମସ୍କ(Elon Musk) ପୃଥିବୀ ଇତିହାସରେ ସବୁଠାରୁ ଧନୀ ଲୋକ ବୋଲି ବିବେଚିତ ହେବା ପରେ ତାଙ୍କର ଟ୍ବିଟ୍ ଏବେ ସୋଶାଲ ମିଡିଆରେ ଚର୍ଚ୍ଚା ସୃଷ୍ଟି କରିଛି।
ମସ୍କ ଟ୍ବିଟ୍ କରିଛନ୍ତି: ଯିଏ କହିଛନ୍ତି- ଟଙ୍କା ଖୁସି କିଣିପାରେନି, ସେ ଠିକ୍ କହିଥିଲେ।
ମସ୍କଙ୍କ ରକେଟ କମ୍ପାନୀ (Space X) ତାଙ୍କର ଅନ୍ୟ ଏକ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କମ୍ପାନୀ (xAI)କୁ ଅଧିଗ୍ରହଣ କଲା ପରେ ସେ 852 ବିଲିଅନ୍ ଡଲାର (ପ୍ରାୟ 77 ଲକ୍ଷ କୋଟି ଟଙ୍କା)ର ମାଲିକ ହୋଇଛନ୍ତି। ବିଶ୍ବରେ ଏପର୍ଯ୍ୟନ୍ତ କେହି ବ୍ୟକ୍ତି ଏତେ ଧନୀ ହୋଇନଥିଲେ। ଏମିତିକି ଦ୍ବିତୀୟ ଧନୀ-ଗୁଗୁଲର ସହ-ପ୍ରତିଷ୍ଠାତା ଲାରି ପେଜ୍ଙ୍କ ସମ୍ପତ୍ତି ଖୁବ୍ ତଳେ ରହିଛି। ପେଜ୍ ପ୍ରାୟ 285 ବିଲିଅନ୍ ଡଲାର (25 ଲକ୍ଷ କୋଟି ଟଙ୍କା)ର ମାଲିକ ହୋଇପାରିଛନ୍ତି। ଯେତେବେଳେ କି ଭାରତର ସର୍ବୋଚ୍ଚ ଧନୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତି ପ୍ରାୟ 9 ଲକ୍ଷ କୋଟି ରହିଛି।
ଇଲନ୍ ମସ୍କ ଟଙ୍କା ଉପରେ ଏଭଳି ବକ୍ତବ୍ୟ ଦେବା ପରେ ଇଣ୍ଟରନେଟରେ ୟୁଜରମାନେ ମିଶ୍ର ପ୍ରତିକ୍ରିୟା ଦେଇଛନ୍ତି। କେହି କେହି ଏହାକୁ ଗୁରୁତର ଭାବେ ନେଇଥିବାବେଳେ ଆଉ କେତେକ ଏହାକୁ ନେଇ ଜୋକ୍ କରିଛନ୍ତି।
ଜଣେ ୟୁଜର ଲେଖିଛନ୍ତି- ଟଙ୍କା ସୁଖର ଗ୍ୟାରେଣ୍ଟି ଦେଇନପାରେ, ମାତ୍ର ଟଙ୍କା ନଥିଲେ ବହୁତ ଦୁଃଖ ଆସିଥାଏ। ତେବେ ବଞ୍ଚିବା ପାଇଁ ସଂଘର୍ଷ କରୁନଥିଲେ ଆପଣ ଶାନ୍ତିରେ ରହିପାରିବେ। ଅନ୍ୟଜଣେ ୟୁଜର ଲେଖିଛନ୍ତି- ଅଧିକ ଧନୀ ହେବା ପରେ ଏଭଳି ଦାର୍ଶନିକ ମତ ଦେବା ସହଜ।
ଆଉ ଜଣେ ଲେଖିଛନ୍ତି- ଆପଣ ଲକ୍ଷ ଲକ୍ଷ ଲୋକଙ୍କୁ ଧନୀ ହେବାରେ ସାହାଯ୍ୟ କରୁଛନ୍ତି। ଲୋକଙ୍କୁ ସାହାଯ୍ୟରେ ବି ଅଧିକ ଖୁସି ମିଳେ।
ତେବେ କିଛି ଗବେଷକଙ୍କ ମତରେ ମସ୍କ ଠିକ୍ କହିଛନ୍ତି- ଭୁଲ୍ ବି କହିଛନ୍ତି। ଟଙ୍କା ଖୁସି କରେ, ମାତ୍ର ଏକ ନିର୍ଦ୍ଦିଷ୍ଟ ସୀମା ପର୍ଯ୍ୟନ୍ତ ଖୁସି ରଖେ। ତା’ ପରେ ନୁହେଁ।
ବ୍ରିଟେନର ଲେଷ୍ଟର ବିଶ୍ବବିଦ୍ୟାଳୟର ପ୍ରଫେସର ଡାଭିଡ୍ ବାଟ୍ରାମ୍ କହିଛନ୍ତି- ଅର୍ଥନୀତିର Diminishing returns ସୂତ୍ର ଅନୁସାରେ, ନିର୍ଦ୍ଦିଷ୍ଟ ସୀମା ପରେ ଅର୍ଥାତ୍ ଆପଣ କିଛି କୋଟି ଟଙ୍କା ପାଇଲା ପରେ ଅଧିକ ଆୟ ମଣିଷର ଖୁସି ବଢ଼ାଇନଥାଏ। ପୃଥିବୀର ଲୋକଙ୍କ ପାଇଁ କିଛି ଭଲ କାମ କଲେ, ଆଖପାଖର ଲୋକଙ୍କ ଭଲ କଲେ ଅଧିକ ଖୁସି ମିଳିଥାଏ। ଏହା ରକେଟ୍ ବିଜ୍ଞାନ ନୁହେଁ।
2019ରେ ମାଇକ୍ରୋସଫଟର ପ୍ରତିଷ୍ଠାତା ତଥା ବିଶ୍ବର ଅନ୍ୟତମ ଧନୀ ବ୍ୟକ୍ତି ବିଲ୍ ଗେଟ୍ସ କହିଥିଲେ- ଖୁସି ରହିବା ପାଇଁ ଟଙ୍କା ଦରକାର। ମାତ୍ର ଖୁସି ହେବା ପାଇଁ ବିଲିୟନେୟର ବା ଅରବପତି ହେବା ଦରକାର ନାହିଁ। 2025ରେ ବିଲ୍ ଗେଟ୍ସ ତାଙ୍କ ସମ୍ପତ୍ତିର 99 ପ୍ରତିଶତ ସମାଜସେବା କାର୍ଯ୍ୟ ପାଇଁ ନିଜ ଫାଉଣ୍ଡେସନ୍ ଜରିଆରେ ଖର୍ଚ୍ଚ କରିବେ ବୋଲି ଘୋଷଣା କରିଛନ୍ତି।
ରିପୋର୍ଟ: ଲକ୍ଷ୍ମୀନାରାୟଣ କାନୁନଗୋ, ଓଡ଼ିଶା ରିପୋର୍ଟର
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/07/musk-2026-02-07-15-09-59.jpg)