/odisha-reporter/media/post_attachments/uploadimage/library/16_9/16_9_0/Missile_1732026427.jpg)
Missile
ପୂରା ୟୁରୋପ ଓ ବିଶ୍ୱକୁ ଘାରିଛି ପରମାଣୁ ଯୁଦ୍ଧର ଭୟ। ରୁଷ-ୟୁକ୍ରେନ ଯୁଦ୍ଧ ଯେକୌଣସି ମୁହୂର୍ତ୍ତରେ ସବୁଠାରୁ ଭୟଙ୍କ ରୂପ ନେଇପାରେ। ରୁଷର ପରମାଣୁ ହମଲା ଧମକ ସତ୍ତ୍ୱେ ୟୁକ୍ରେନ ପକ୍ଷରୁ ଆମେରିକା ନିର୍ମିତ ୬ଟି ଲଙ୍ଗ ରେଞ୍ଜ ମିସାଇଲ ମସ୍କୋ ଉପରେ ମାଡ଼ କରାଯାଇଛି।
ଅବଶ୍ୟ ରୁଷ ଏହା ମଧ୍ୟରୁ ୫ଟି ଆକାଶ ପଥରେ ଖସାଇ ଦେଇଥିବା ବେଳେ ଗୋଟିଏକୁ ଧ୍ୱଂସ କରିଦେଇଛି। ଏହି ମିସାଇଲ ଧ୍ୱଂସ ହୋଇ ତଳେ ପଡ଼ିବାରୁ କିଛି ସ୍ଥାନରେ ଛୋଟ ଧରଣର ଅଗ୍ନିକାଣ୍ଡ ଘଟିଛି। ହେଲେ ରୁଷର ସେମିତି କୌଣସି କ୍ଷୟକ୍ଷତି ହୋଇନାହିଁ।
କିନ୍ତୁ ୧୦୦୦ ଦିନର ଯୁଦ୍ଧ ମଧ୍ୟରେ ୟୁକ୍ରେନ ପ୍ରଥମଥର ଆମେରିକା ନିର୍ମିତ ମିସାଇଲ ବ୍ୟବହାର କରିଥିବାରୁ ଚିହିଁକି ଉଠିଛି ରୁଷ। ତେଣୁ ରୁଷ ଯେକୌଣସି ମୁହୂର୍ତ୍ତରେ ୟୁକ୍ରେନ ଓ ଏହାର ସହଯୋଗୀ ରାଷ୍ଟ୍ରଗୁଡ଼ିକ ଉପରେ ଆକ୍ରମଣ କରିବାର ଆଶଙ୍କା ପ୍ରକାଶ ପାଇଛି।
ଏହି ଆଶଙ୍କା ଦ୍ୱାରା ୟୁରୋପୀୟ ଦେଶଗୁଡ଼ିକ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି। ଆସନ୍ନ ଯୁଦ୍ଧକୁ ଦୃଷ୍ଟିରେ ରଖି ନାଟୋ ରାଷ୍ଟ୍ରଗୁଡ଼ିକ ଲୋକଙ୍କୁ ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛନ୍ତି। ଲୋକଙ୍କୁ ଅତିକମରେ ୭ ଦିନ ପାଇଁ ଅତ୍ୟାବଶ୍ୟକ ସାମଗ୍ରୀ ସହ ଖାଦ୍ୟ ଓ ପାନ୍ୟ ଜଳ ଗଚ୍ଛିତ କରିବାକୁ ଏକାଧିକ ୟୁରୋପୀ ରାଷ୍ଟ୍ରଗୁଡ଼ିକ ନିର୍ଦ୍ଦେଶ ଦେଇଛନ୍ତି।
ସ୍ୱଡେନ ପକ୍ଷରୁ ଲୋକଙ୍କୁ ଦିଆଯାଇଥିବା ପାମଫ୍ଲେଟରେ ଲୋକଙ୍କୁ ସମ୍ଭାବ୍ୟ ପରମାଣୁ ଯୁଦ୍ଧ ପାଇଁ ସତର୍କ କରାଯାଇଛି। ସମସ୍ତଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ କୁହାଯାଇଛି। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ୫ମଥର ପାଇଁ ସ୍ୱଡେନ ଏପରି ସତର୍କ ଜାରି କରିବା ସହ ପ୍ରତ୍ୟେକ ନାଗରିକଙ୍କ ଘରେ ପାମଫ୍ଲେଟ ଦିଆଯାଇଛି।
ନରୱେ ମଧ୍ୟ ଲୋକଙ୍କୁ ଗୋଟିଏ ସପ୍ତାହ ଧରି ଲାଗୁ ହେବାକୁ ଥିବା ଜରୁରୀ ପରିସ୍ଥିତି ପାଇଁ ଆଗୁଆ ପ୍ରସ୍ତୁତ ହେବାକୁ କୁହାଯାଇଛି। ଏହା ମଧ୍ୟରେ ଅଲଆଉଟ ଯୁଦ୍ଧ କଥା ମଧ୍ୟ କୁହଯାଇଛି।
ଡେନମାର୍କ ଲୋକଙ୍କୁ ଇ-ମେଲ କରି ସତର୍କ କରାଇଛି। ଲୋକଙ୍କୁ ଅତି କମରେ ୩ ଦିନ ପାଇଁ ଶୁଖିଲା ରାସନ, ପାଣି ଓ ମେଡିସିନ ଗଚ୍ଛିତ ରଖିବାକୁ କୁହାଯାଇଛି। ଡେନମାର୍କ ସରକାର ମଧ୍ୟ ଆଣବିକ ଯୁଦ୍ଧର ଆଶଙ୍କା କରିଛନ୍ତି। ଫିନଲ୍ୟାଣ୍ତ ବି ଅନଲାଇନ ଜରିଆରେ ଲୋକଙ୍କୁ କେମିତି ସଙ୍କଟ ପରିସ୍ଥିତି ଓ ଜରୁରୀ ସମୟରେ ରହିବାକୁ ହୋଇଥାଏ, ସେକଥା କହିଛି।
ଗତବର୍ଷ ଫିନଲ୍ୟାଣ୍ଡ ଆମେରିକା ନେତୃତ୍ୱାଧୀନ ନାଟଥ ମିଲିଟାରୀ ଗ୍ରୁପରେ ସାମିଲ ହୋଇଥିଲା। ସ୍ୱିଡେନ ଚଳିତ ବର୍ଷ ମାର୍ଚ୍ଚରେ ନାଟୋର ସଦସ୍ୟ ହୋଇଛି।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ୟୁକ୍ରେନକୁ ରୁଷର ଆଭ୍ୟନ୍ତରୀଣ ଅଞ୍ଚଳରେ ଶକ୍ତିଶାଳୀ ଲଙ୍ଗ ରେଞ୍ଜ ମିସାଇଲ ମାଡ଼ କରିବାକୁ ଅନୁମତି ଦେଇଛନ୍ତି। ପ୍ରଥମଥର ପାଇଁ ଆମେରିକା ଏପରି ପଦକ୍ଷେପ ନେଇଥିବା ବେଳେ ରୁଷ ମଧ୍ୟ ପରମାଣୁ ହମଲାର ଧମକ ଦେଇଛି। ଏହାକୁ ନେଇ ୟୁରୋପୀୟ ଦେଶଗୁଡ଼ିକ ଛାତି ଧଡ଼ଧଡ଼ ହେବାରେ ଲାଗିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
