ଭୂମିକମ୍ପ ନେଲାଣି ୧୨୦୦ ମୁଣ୍ଡ, ସହଯୋଗର ହାତ ବଢ଼ାଇଲା ଭାରତ

ଏହି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ମୋଦି ଦୁଃଖ ପ୍ରକାଶ କରିଛନ୍ତି। ତୁର୍କୀରେ ହୋଇଥିବା ଏହି ଭୂମିକମ୍ପ ଓ ଲୋକଙ୍କ ମୃତ୍ୟୁ ଗଭୀର ଦୁଃଖ ଦେଇଛି ବୋଲି ସେ କହିଛନ୍ତି।

ତୁର୍କୀରେ ଭୂମିକମ୍ପ ପରର ଦୃଶ୍ୟ।

  • Published: Monday, 06 February 2023
  • , Updated: 06 February 2023, 04:04 PM IST

ମୃତ୍ୟୁର ତାଣ୍ଡବ ରଚିଛି ତୁର୍କୀରେ ଆସିଥିବା ଶକ୍ତିଶାଳୀ ଭୂମିକମ୍ପ। ୭.୮ ତୀବ୍ରତାର ଆସିଥିବା ଏହି ଭୂମିକମ୍ପ ଯୋଗୁ ତୁର୍କୀ ଓ ସିରିୟା ଭୟଙ୍କର ଭାବେ ପ୍ରଭାବିତ ହୋଇଛି। ଉଭୟ ଦେଶରେ ବଢ଼ି ଚାଲିଛି ମୃତ୍ୟୁ ସଂଖ୍ୟା। ପ୍ରକୃତିର ଏହି କାରଳ ତାଣ୍ଡବରେ ବର୍ତ୍ତମନ ସୁଦ୍ଧା ୧୨୦୦ରୁ ଅଧିକ ଜଣ ପ୍ରାଣ ହରାଇଲେଣି। ସେହିରପି ୧୦୦୦ରୁ ଅଧିକ ଆହତ ହୋଇଛନ୍ତି।

ସେପଟେ ଏଭଳି ଜଟିଳ ସମୟରେ ଭୟଙ୍କର ଭୂମିକମ୍ପରେ କ୍ଷତିଗ୍ରସ୍ତ ହୋଇଥିବା ତୁର୍କୀକୁ ସହଯୋଗର ହାତ ବଢ଼ାଇଛି ଭାରତ। ତୁର୍କୀକୁ ଯଥାସମ୍ଭବ ସାହାଯ୍ୟ ଯୋଗାଇ ଦିଆଯିବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟ୍ କରି କହିଛନ୍ତି। ଏହି ପ୍ରାକୃତିକ ବିପର୍ଯ୍ୟୟ ପାଇଁ ମୋଦି ଦୁଃଖ ପ୍ରକାଶ କରିଛନ୍ତି। ତୁର୍କୀରେ ହୋଇଥିବା ଏହି ଭୂମିକମ୍ପ ଓ ଲୋକଙ୍କ ମୃତ୍ୟୁ ଗଭୀର ଦୁଃଖ ଦେଇଛି ବୋଲି ସେ କହିଛନ୍ତି। ସାହାସୀ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ମୋଦି। ଏଥିସହ ଏଭଳି ଦୁଃଖଦ ସମୟରେ ଯଥା ସମ୍ଭବ ସାହାଯ୍ୟ କରିବାକୁ ମୋଦି ପ୍ରତିଶ୍ରୁତି ଦେଇଛନ୍ତି। କେବଳ ସେତିକି ନୁହେଁ ତୁର୍କୀକୁ ଭାରତ ତରଫରୁ ଉଦ୍ଧାରକାରୀ ଦଳ ଫଠାଯିବ ବୋଲି ସେ କହିଛନ୍ତି। 

ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ ତରଫରୁ ଜାରି ବୟାନ ମୁତାବକ, ତୁର୍କୀ ସରକାରଙ୍କ ସମନ୍ୱୟ ରକ୍ଷା କରି ତୁରନ୍ତ ଏନଡିଆରଏଫ ଏବଂ ରିଲିଫ ସାମଗ୍ରୀ ସମେତ ଡାକ୍ତରୀ ଦଳକୁ ତୁର୍କୀ ପଠାଯିବାକୁ ନିଷ୍ପତ୍ତି ନିଆଯାଇଛି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ପାଇଁ ଏନ୍‌ଡିଆର୍‌ଏଫ୍‌ର ଦୁଇଟି ଟିମ୍, ସ୍ୱତନ୍ତ୍ର ତାଲିମପ୍ରାପ୍ତ କୁକୁର ସ୍କ୍ୱାଡ ଏବଂ ଆବଶ୍ୟକ ଉପକରଣଗୁଡ଼ିକୁ ଭୂମିକମ୍ପ ପ୍ରଭାବିତ ଅଞ୍ଚଳକୁ ପଠାଯିବ। ଉଭୟ ଦଳରେ ୧୦୦ ଜଣ ଲେଖାଏଁ କର୍ମଚାରୀ ଅଛନ୍ତି |

ଲୋକେ ନିଦରେ ଶୋଇଥିବା ସମୟରେ ଏହି ବିନାଶକାରୀ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିଲା। ସ୍ଥାନୀୟ ସମୟ ୪ଟା ୧୭ ମିନିଟ୍‌ରେ ଦୋହଲିଥିଲା ତୁର୍କୀ ଓ ସିରିୟା। ଫଳରେ ୧୫୦ରୁ ଅଧିକ ବଡ଼ ବଡ଼ କୋଠା ଓ ବିଲ୍ଡିଂ ଭୁଶୁଡି ପଡି ଅନେକ କ୍ଷୟକ୍ଷତି ଘଟିଛି। ଏବେବି ଭଗ୍ନାବଶେଷ ତଳେ ଅନେକ ଲୋକେ ଚାପି ହୋଇ ରହିଥିବା କୁହାଯାଉଛି। ଯୁଦ୍ଧ କାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ତୁର୍କୀର ରାଷ୍ଟ୍ରପତି ତୈୟବ ଇରଦୁଗାନଙ୍କ କହିବା ମୁତାବକ, ଭୂକମ୍ପ ପ୍ରଭାବିତ ଅଞ୍ଚଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଅତିକମ୍‌ ତୁର୍କୀରେ ୬ ଥର ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଛି। କ୍ଷତିଗ୍ରସ୍ତ ଅଞ୍ଚଳକୁ ପ୍ରବେଶ ନକରିବାକୁ ସେ ଲୋକଙ୍କୁ ଅପିଲ କରିଛନ୍ତି।

ଡିଜାଷ୍ଟର ଓ ଏମରଜେନ୍ସି ମ୍ୟାନେଜମେଣ୍ଟ ଅନୁସାରେ ତୁର୍କୀର ୭ଟି ଅଞ୍ଚଳରେ ପ୍ରାୟ ୨୮୪ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ୪୪୦ରୁ ଅଧିକ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ସିରିୟାର ସ୍ଥାନୀୟ ଗଣମାଧ୍ୟମ ଅନୁସାରେ, ସରକାରୀ କବ୍‌ଜାରେ ଥିବା ଅଞ୍ଚଳରେ ମୃତ୍ୟୁ ସଂଖ୍ୟା ୨୩୭ ରହିଛି। ଏଥିସହ ଆହତଙ୍କ ସଂଖ୍ୟା ୬୩୦ରୁ ଅଧିକ ରହିଛି। ବିଦ୍ରୋହୀଙ୍କ କବ୍‌ଜାରେ ଥିବା ଅଞ୍ଚଳରେ ୧୨୦ଜଣଙ୍କ ମୃତ୍ୟୁ ହୋଇଛି।

ଲେବାନନ, ସିରିୟା ଓ ସାଇପ୍ରସରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଲେବାନନରେ ୪୦ ସେକେଣ୍ଡ ଯାଏଁ ଭୂମିକମ୍ପ ଝଟ୍‌କା ଅନୁଭୂତ ହୋଇଥିବା କୁହାଯାଉଛି। ତୁର୍କୀ ସରକାର ଏହି ଭୂକମ୍ପକୁ ଲେବଲ ୪ ଭାବେ ଦର୍ଶାଇଛନ୍ତି।

Related story