Mohamed Muizzu And Mariyam Shiuna
ସୁଧୁରୁନି ମାଳଦ୍ୱୀପ। ଭାରତ ବିରୋଧରେ ମାଳଦ୍ୱୀପର ନେତାମାନେ ବିଷ ଉଗାରିବା ଜାରି ରଖିଛନ୍ତି। ମାଳଦ୍ୱୀପ ନେତାଙ୍କ ବୟାନବାଜୀକୁ ନେଇ ଗତ କିଛି ଦିନ ହେବ ଦୁଇ ଦେଶର ସମ୍ପର୍କ ମଧ୍ୟରେ ତିକ୍ତତା ଜାରି ରହିଛି। ଏବେ ମାଳଦ୍ୱୀପର ଜଣେ ନିଲମ୍ବିତ ମନ୍ତ୍ରୀ ସୋଶାଲ ମିଡିଆରେ ଏକ ବିବାଦୀୟ ପୋଷ୍ଟ କରି ପୁଣି ଥରେ ନିଆଁରେ ଘିଅ ଢ଼ାଳିବା ଭଳି କାମ କରିଛନ୍ତି। ବିବାଦୀୟ ବୟାନକୁ ନେଇ ନିଲମ୍ବିତ ହୋଇସାରିଥିବା ମନ୍ତ୍ରୀ ମରିୟମ ସିଉନା ଭାରତର ତ୍ରିରଙ୍ଗାକୁ ଅପମାନ କରିଛନ୍ତି। ତେବେ ଏହାକୁ ନେଇ ବିବାଦ ବଢ଼ିବା ପରେ ତାଙ୍କୁ ଏବେ କ୍ଷମା ମାଗିବାକୁ ପଡିଛି।
ପ୍ରକୃତରେ ମାଳଦ୍ୱୀପର ବିରୋଧୀ ଦଳ ଏମ୍ଡିପି ତଥା ମାଳଡିଭିଆନ୍ ଡେମୋକ୍ରେଟିକ ପାର୍ଟିକୁ ଟାର୍ଗେଟ୍ କରି ନିଲମ୍ବିତ ମନ୍ତ୍ରୀ ମରିୟମ୍ ସିଉନା ସୋଶାଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ। ସେ ନିଜ ପୋଷ୍ଟରେ ଦଳର ପତାକା ଚିହ୍ନ ବଦଳରେ ଭାରତର ତ୍ରିରଙ୍ଗା ପତାକାରେ ଥିବା ଅଶୋକ ଚକ୍ରକୁ ପୋଷ୍ଟ କରି ଦେଇଥିଲେ। ଏହାକୁ ନେଇ ଜୋରଦାର ବିରୋଧ ହେବା ସହ ବିବାଦ ବଢ଼ିଥିଲା। ଚାରିଆଡୁ ସେ ସମାଲୋଚନାର ଶିକାର ହୋଇଥିଲେ। ଏହାପରେ ଏବେ ସିଉନା ନିଜ ପୋଷ୍ଟକୁ ଡିଲିଟ୍ କରିବା ସହ କ୍ଷମା ମଧ୍ୟ ମାଗିଛନ୍ତି।
ସେ କହିଛନ୍ତି, 'ବିରୋଧୀ ଦଳ ଏମ୍ଡିପିକୁ ଟାର୍ଗେଟ୍ କରିବାକୁ ଯାଇ ମୋ ଦ୍ୱାରା ସୋଶାଲ ମିଡିଆରେ ଯେଉଁ ଫଟୋ ପୋଷ୍ଟ କରାଯାଇଥିଲା ତାହା ଭାରତର ପତାକା ସହ ମେଳ ଖାଉଛି। ଏହା ମୁଁ ଜାଣି ନଥିଲି। ମୋ ଅଜାଣତରେ ଏଭଳି ହୋଇଥିଲା। ଏଥିପାଇଁ ମୁ ଦୁଃଖିତ। ଭବିଷ୍ୟତରେ ଏଭଳି ଭୁଲ୍ ପୁଣି ଥରେ ହେବ ନାହିଁ। ଭାରତ ସହ ମାଳଦ୍ୱୀପର ସମ୍ପର୍କ ବେଶ୍ ମହତ୍ୱ ରଖେ।'
କହିରଖୁ ଯେ, ମରିୟମ ସିଉନା ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜ୍ଜୁଙ୍କ ସରକାରର ଜୁନିଅର ମନ୍ତ୍ରୀ ଥିଲେ। ସେ ମାଲେ ସିଟି କାଉନ୍ସିଲ୍ର ସିଟି ପ୍ରବକ୍ତା ମଧ୍ୟ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷାଦ୍ୱୀପ ଗସ୍ତକୁ ନେଇ ଆପତ୍ତିଜନକ ଟିପ୍ପଣୀ କରିବା ପରେ ତାଙ୍କୁ ମନ୍ତ୍ରିମଣ୍ଡଳରୁ ନିଲମ୍ବିତ କରାଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/IMAGE_1712569111.jpg)