Advertisment

ମିଳିତ ଜାତିସଂଘର ଚେତାବନୀ, ସହାୟତା ନପହଞ୍ଚିଲେ ୪୮ ଘଣ୍ଟା ମଧ୍ୟରେ ମରିଯିବେ ୧୪ ହଜାର ଶିଶୁ

ଗାଜାକୁ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ଇସ୍ରାଏଲ କଟକଣା କୋହଳ କରିଥିଲେ ହେଁ ପୂର୍ବଭଳି ଆକ୍ରମଣ ଜାରି ରଖିଛି। ଗତକାଲି ମଧ୍ୟରାତ୍ରରୁ ଗାଜାର ବିଭିନ୍ନ ସ୍ଥାନରେ ଇସ୍ରାଏଲ କରିଥିବା ବୋମାମାଡ଼ରେ ୭୩ ଜଣଙ୍କ ମୃତ୍ୟୁ ଘଟିଛି।

author-image
Jitendra Garnayak
Gaja

Gaja

ଯୁଦ୍ଧଗ୍ରସ୍ତ ପାଲେଷ୍ଟାଇନର ଗାଜାରେ ଯଦି ଅଧିକ ସହାୟତା ନପହଞ୍ଚେ, ତା’ହେଲେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ ୧୪ ହଜାର ଶିଶୁଙ୍କର ମୃତ୍ୟୁ ଘଟିବ। ମିଳିତ ଜାତିସଂଘ ପକ୍ଷରୁ ଏହି କଥା କୁହାଯାଇଛି। ୧୧ ସପ୍ତାହ ଧରି ଗାଜାକୁ ସବୁ ପ୍ରକାର ସହାୟତାକୁ ବନ୍ଦ କରି ଦେଇଥିବା ଇସ୍ରାଏଲ ରବିବାର ରାତିରୁ ଏଥିରେ ଟିକେ କୋହଳ କରିଛି । ତେବେ ଅତି ଅଳ୍ପ ପରିମାଣର ସହାୟତାକୁ ଅନୁମତି ଦେଇଛି ଇସ୍ରାଏଲ। ଆମେରିକା, କାନାଡା, ଫ୍ରାନ୍ସ ଓ ବ୍ରିଟେନ ପକ୍ଷରୁ ପ୍ରବଳ ଚାପ ପଡ଼ିବା ପରେ ଇସ୍ରାଏଲ ଏହି ପଦକ୍ଷେପ ନେଇଛି।

Advertisment

ମିଳିତ ଜାତିସଂଘର ମାନବୀୟ ମୁଖ୍ୟ ଟମ୍ ଫ୍ଲେଚର କହିଛନ୍ତି ଯେ ଶିଶୁଙ୍କ ଖାଦ୍ୟ ସମେତ ଅନ୍ୟାନ୍ୟ ମାନବୀୟ ସହାୟତା ସହିତ ମାତ୍ର ୫ଟି ଟ୍ରକ୍‌କୁ ଗାଜା ଭିତରକୁ ଯିବାକୁ ସୋମବାର ଅନୁମତି ମିଳିଥିଲା। ଏହା ସମୁଦ୍ରକୁ ଶଙ୍ଖେ ସଦୃଶ। ପୁଣି ଯେଉଁ ସହାୟତା ପଠାଯାଇଛି, ତାହା ଉଚିତ ଲୋକଙ୍କ ନିକଟରେ ପହଞ୍ଚି ପାରିନାହିଁ। ଯଦି ଆମେ ସେମାନଙ୍କ ନିକଟରେ ପହଞ୍ଚି ପାରିବା ନାହିଁ, ତା’ହେଲେ ଆସନ୍ତା ୪୮ ମଧ୍ୟରେ ୧୪ ହଜାର ଶିଶୁ ମରିଯିବେ। ଆମେ ସେହି ସବୁ ମା’ମାନଙ୍କ ନିକଟରେ ଶିଶୁ ଖାଦ୍ୟ ପହଞ୍ଚାଇବା ପାଇଁ ସବୁ ପ୍ରକାର ବିପଦକୁ ଗ୍ରହଣ କରିବାକୁ ରାଜି ଅଛୁ, ଯେଉଁମାନେ ସେମାନଙ୍କ ପିଲାଙ୍କୁ ସ୍ତନ୍ୟପାନ କରାଇବାକୁ ଅସମର୍ଥ। କାରଣ ସେହି ମା’ମାନେ ଅପପୁଷ୍ଟିର ଶିକାର ହୋଇଛନ୍ତି।

ମିଳିତ ଜାତିସଂଘର ମାନବୀୟ ମୁଖ୍ୟ ଟମ୍ ଫ୍ଲେଚର ଆଶା କରିଛନ୍ତି ଯେ ଆଜି ଗାଜାକୁ ଆଉ ୧୦୦ ଟ୍ରକ ମାନବୀୟ ସହାୟତା ପଠାଯିବ। ସେଥିରେ ଶିଶୁମାନଙ୍କ ଖାଦ୍ୟ ମଧ୍ୟ ରହିବ। କାରଣ ଆମକୁ ସେହି ୧୪ ହଜାର ଶିଶୁଙ୍କୁ ରକ୍ଷା କରିବାକୁ ପଡ଼ିବ।

Advertisment

ଗାଜାରେ ୧୪ ହଜାର ଶିଶୁ ଭୋକିଲା ଅଛନ୍ତି ବୋଲି କେମିତି ଜଣାପଡ଼ିଲା ବୋଲି ପଚରାଯିବାରେ ଫ୍ଲେଚର କହିଥିଲେ ଯେ ମିଳିତ ଜାତିସଂଘର ଟିମ୍ ସେଠାରେ ସ୍ୱାସ୍ଥ୍ୟ କେନ୍ଦ୍ର ଓ ସ୍କୁଲ ଗୁଡ଼ିକରେ କାର୍ଯ୍ୟ କରୁଛନ୍ତି। ତେଣୁ ସେଠାକାର ଆବଶ୍ୟକତା ସଂପର୍କରେ ସେମାନେ ଜାଣିପାରୁଛନ୍ତି ଓ ସେ ନେଇ ଆକଳନ ମଧ୍ୟ କରୁଛନ୍ତି। ଆମର ଏକ ବଡ଼ ଟିମ୍ ସେଠାରେ କାର୍ଯ୍ୟ କରୁଛି। ଅବଶ୍ୟ ଆମର ଅନେକ ଲୋକ ଯୁଦ୍ଧରେ ପ୍ରାଣ ମଧ୍ୟ ହରାଇଛନ୍ତି। ତେବେ ଏବେବି ଆମର ବହୁତ ଲୋକ ଗ୍ରାଉଣ୍ଡରେ କାମ କରୁଛନ୍ତି।

ମାନବୀୟ ସହାୟତା ଦୃଷ୍ଟିକୋଣରୁ ଇସ୍ରାଏଲ ବହୁତ କଡ଼ା ଆଭିମୁଖ୍ୟ ପୋଷଣ କରିବା ପରେ ବ୍ରିଟେନ, ଫ୍ରାନ୍ସ ଓ କାନାଡାର ନେତାମାନେ କ୍ଷୁବ୍ଧ ହୋଇଥିଲେ। ବ୍ରିଟେନ ପ୍ରଧାନମନ୍ତ୍ରୀ କେର ଷ୍ଟାର୍ମର, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକରନ ଓ କାନାଡା ପ୍ରଧାନମନ୍ତ୍ରୀ ମାର୍କ କାର୍ନୀ ମାନବୀୟ ସହାୟତାକୁ ଅଟକାଇବା ନେଇ ଇସ୍ରାଏଲକୁ ସମାଲୋଚନା କରିଥିଲେ। ତା’ ସହିତ ପାଲେଷ୍ଟାନୀୟଙ୍କୁ ସାମୂହିକ ଭାବେ ବିସ୍ଥାପନ କରିବା ପାଇଁ ଇସ୍ରାଏଲ ସରକାରର କିଛି ମନ୍ତ୍ରୀ ଦେଇଥିବା ବୟାନକୁ ମଧ୍ୟ ସମାଲୋଚନା କରିଥିଲେ। ଗାଜାକୁ ମାନବୀୟ ସହାୟତା ଯୋଗାଇବା ନେଇ କଟକଣା ନଉଠାଇଲେ ଏହି ଦେଶଗୁଡ଼ିକ ମିଳିତ କାର୍ଯ୍ୟାନୁଷ୍ଠାନ ନେବାକୁ ଚେତାବନୀ ଦେବା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଟିକେ ନରମ ପଡ଼ିଥିଲେ। ସେ କହିଥିଲେ ଯେ କୂଟନୀତିକ କାରଣରୁ ଗାଜାରେ ଅନାହାର ସଙ୍କଟକୁ ଇସ୍ରାଏଲକୁ ରୋକିବାକୁ ପଡ଼ିବ। କିନ୍ତୁ ଏହାକୁ ଏକ ସ୍ତରରେ ସୀମିତ ରଖିବାକୁ ହେବ ବୋଲି ସେ କହିଥିଲେ।

ଗାଜାକୁ ମାନବୀୟ ସହାୟତା ଯୋଗାଇ ଦେବା ପାଇଁ ଇସ୍ରାଏଲ କଟକଣା କୋହଳ କରିଥିଲେ ହେଁ ପୂର୍ବଭଳି ଆକ୍ରମଣ ଜାରି ରଖିଛି। ଗତକାଲି ମଧ୍ୟରାତ୍ରରୁ ଗାଜାର ବିଭିନ୍ନ ସ୍ଥାନରେ ଇସ୍ରାଏଲ କରିଥିବା ବୋମାମାଡ଼ରେ ୭୩ ଜଣଙ୍କ ମୃତ୍ୟୁ ଘଟିଛି। ଗାଜା ସିଟିର ଏକ ବିସ୍ଥାପନ କେନ୍ଦ୍ରରେ ମଧ୍ୟ ଇସ୍ରାଏଲ ବୋମା ପକାଇଛି। ଫଳରେ ସେଠାରେ ଆଶ୍ରୟ ନେଇଥିବା ଲୋକଙ୍କ ମଧ୍ୟରୁ ୨୨ ଜଣଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ କିଛି ଛୋଟ ଛୁଆ ଅଛନ୍ତି।

Israel Palestine