ସକାଳ ୭ରୁ ଗାଜାରେ ଲାଗୁ ହେବ ଅସ୍ତ୍ରବିରତି, ପଣବନ୍ଦୀ ହେବେ ମୁକ୍ତ

ଅସ୍ତ୍ରବିରତି ପାଇଁ ଦୁଇ ପକ୍ଷ ରାଜି ହେବା ପରେ ଆସନ୍ତାକାଲି ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ।

ଗାଜା ସହର

  • Published: Thursday, 23 November 2023
  • , Updated: 23 November 2023, 09:31 PM IST

ଇସ୍ରାଏଲ ଓ ହମାସ ମଧ୍ୟରେ ଜାରି ରହିଥିବା ଭୟଙ୍କର ଯୁଦ୍ଧକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି। ଅସ୍ତ୍ରବିରତି ପାଇଁ ଦୁଇ ପକ୍ଷ ରାଜି ହେବା ପରେ ଆସନ୍ତାକାଲି ଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଶୁକ୍ରବାର ସକାଳୁ ୪ ଦିନିଆ ଅସ୍ତ୍ରବିରତି ଓ ପଣବନ୍ଦୀ ମୁକ୍ତି ପ୍ରକ୍ରିୟା ଆରମ୍ଭ କରାଯିବ। ଏନେଇ ଦୁଇ ପକ୍ଷ ମଧ୍ୟରେ ମଧ୍ୟସ୍ଥି ସାଜିଥିବା କତାର ସୂଚନା ଦେଇଛି।

କତାରର ବୈଦେଶିକ ମୁଖପାତ୍ର ମଜେଦ ଅଲ ଅନସାରୀ କହିଛନ୍ତି, “ଗାଜା ଅସ୍ତ୍ରବିରତି ଓ ପଣବନ୍ଦୀଙ୍କୁ ମୁକ୍ତ କରିବା ପ୍ରକ୍ରିୟା ଆସନ୍ତାକାଲି ସକାଳ ୭ଟାରୁ ଆରମ୍ଭ ହେବ। ପ୍ରଥମ ଦଫାରେ ୧୩ ଜଣ ପଣବନ୍ଦୀଙ୍କୁ ଅପରାହ୍ନ ପ୍ରାୟ ୪ଟା ସୁଦ୍ଧା ଉପଯୁକ୍ତ ଅଧିକାରୀଙ୍କୁ ହନ୍ତାନର କରାଯିବ।

ପ୍ରାଥମିକ ଭାବେ ଗୋଟିଏ ପରିବାରର ସମସ୍ତ ମହିଳା ଓ ଛୋଟ ପିଲାଙ୍କୁ ମିଶାଇ ୧୩ ଜଣଙ୍କୁ ରିଲିଜ କରାଯିବ। ଏହାପରେ ଚୁକ୍ତି ଅନୁସାରେ ୪ ଦିନ ମଧ୍ୟରେ ୫୦ ଜଣ ପଣବନ୍ଦୀଙ୍କୁ ହମାସ ମୁକ୍ତ କରିବ। ୪ ଦିନ ଧରି ଗାଜାରେ ସ୍ଥିତାବସ୍ଥା ବଜାୟୀ ରହିବ।”

ଅକ୍ଟୋବର ୭ରୁ ହମାସ ଓ ଇସ୍ରାଏଲ ମଧ୍ୟରେ ଘମାଘଟ ଲଢ଼େଇ ଚାଲିଛି। ଏଥିରେ ହଜାର ହଜାର ଲୋକ ପ୍ରାଣ ହରାଇଛନ୍ତି। ଇସ୍ରାଏଲ ହମାଲରେ ଗାଜା ଷ୍ଟ୍ରିପ ଏକପ୍ରକାରର ଛିନଛତ୍ର ହୋଇଯାଇଛି। ଏସବୁ ଭିତରରେ କତାର ସହାୟତାରେ ଇସ୍ରାଏଲ ଓ ହମାସ ମଧ୍ୟ ଅସ୍ତ୍ରବିରତି ଚୁକ୍ତି ହୋଇଛି।

ଏହି ଚୁକ୍ତି ଅନୁସାରେ ହମାସ ୫୦ ଜଣ ଇସ୍ରାଏଲ୍ ଓ ବିଦେଶୀ ବନ୍ଧକଙ୍କୁ ମୁକ୍ତ କରିବ। ଏମାନଙ୍କ ମଧ୍ୟରେ ମହିଳା ଓ ଶିଶୁ ଅଛନ୍ତି। ଇସ୍ରାଏଲର ମଧ୍ୟ ବନ୍ଧକ ରଖିଥିବା ୧୫୦ ଜଣ ପାଲେଷ୍ଟିନୀୟଙ୍କୁ ମୁକ୍ତ କରିବ। ଏହି ସମୟରେ ୪ ଦିନ ଧରି ଗାଜାରେ କୌଣସି ପ୍ରକାରର ଗୁଳି ଫୁଟିବ ନାହିଁ।

Related story