Flight
ଫ୍ରାନ୍ସରେ ଅଟକ ବିମାନ ୪ ଦିନ ପରେ ଶେଷରେ ଭାରତ ମାଟିରେ ପହଞ୍ଚିଛି। ଗତକାଲି ଫ୍ରାନ୍ସରୁ ଉଡ଼ାଣ ଆରମ୍ଭ କରିଥିବା ବିମାନ ଆଜି ଭୋରରୁ ମୁମ୍ବାଇରେ ଲ୍ୟାଣ୍ଡ କରିଛି।
୩୦୩ ଜଣ ଭାରତୀୟଙ୍କୁ ନେଇ ଯାଉଥିବା ବିମାନ ମାନବଚାଲାଣ ସନ୍ଦେହରେ ଫ୍ରାନ୍ସରେ ଅଟକ ଥିଲା। ସେମାନଙ୍କ ମଧ୍ୟରୁ ପ୍ରାୟ ୨୫ ଜଣ ଫ୍ରାନ୍ସର ଶରଣ ନେଇଥିବା ବେଳେ, ୨୭୬ ଜଣଙ୍କୁ ଧରି ବିମାନଟି ଭାରତ ଅଭିମୁଖେ ଆସିଛି। ସେଥିରେ ଅଭିଭାବକ ବିହୀନ ୧୧ ନାବାଳକ ଥିବା ମଧ୍ୟ ସୂଚନା ମିଳିଛି।
ୟୁରୋପୀୟ ଦେଶ ରୋମାନିଆରେ ପଞ୍ଜୀକୃତ ଏହି ଚାଟାର୍ଡ ଫ୍ଲାଇଟଟି ଦୁବାଇରୁ ଛାଡ଼ିଥିଲା ଏବଂ କେନ୍ଦ୍ରୀୟ ଆମେରିକାର ନିକରାଗୁଆ ଯିବାର ଥିଲା। ତେବେ ଏହା ଫ୍ରାନ୍ସର ଏକ ଛୋଟ ବିମାନ ବନ୍ଦର ଭ୍ୟାଟ୍ରିରେ ଇନ୍ଧନ ଭର୍ତ୍ତି କରିବାକୁ ଓହ୍ଲାଇଥିଲା। ଏହାପରେ ଏହି ବିମାନକୁ ଭ୍ୟାଟ୍ରି ଏୟାରପୋର୍ଟରେ ଅଟକାଇ ତଦନ୍ତ ଆରମ୍ଭ କରିଥିଲା ଫ୍ରାନ୍ସର ସଂଗଠିତ ଅପରାଧ ନିରୋଧୀ ୟୁନିଟ୍ ଜୁନାଲକୋ।
ଶୁକ୍ରବାର ଫ୍ରାନ୍ସ ହଠାତ ସଂଯୁକ୍ତ ଆରବ ଏମିରେଟ୍ସରୁ ନିକାରାଗୁଆ ଅଭିମୁଖେ ଯାଉଥିବା ଏକ ବିମାନକୁ ଅଟକାଇ ତଦନ୍ତ ଆରମ୍ଭ କରିଥିଲା। ଏହି ବିମାନରେ ମାନବ ଚାଲାଣ ହେଉଥିବା ସନ୍ଦେହରେ ତଦନ୍ତ ଆରମ୍ଭ ହୋଇଥିଲା। ବିମାନରେ ଥିବା ଯାତ୍ରୀମାନେ ନିକରାଗୁଆରୁ ଆମେରିକା କିମ୍ବା କାନାଡ଼ାକୁ ଅବୈଧ ଅନୁପ୍ରବେଶ କରିବା ଉଦ୍ଦେଶ୍ୟରେ ଯାଉଥିବା ସନ୍ଦେହ କରାଯାଉଥିଲା।
ବିମାନରେ ଥିବା ଲୋକଙ୍କୁ ପଚରାଉଚରା କରାଯାଇଥିବା ବେଳେ ଅର୍ଗାନାଇଜଡ୍ କ୍ରାଇମ୍ ବିଶେଷଜ୍ଞ ୟୁନିଟ୍ ଦୁଇ ଜଣଙ୍କୁ ଅଟକ ରଖିଥିଲେ। ‘ମାନବ ଚୋରା ଚାଲାଣ’ ସନ୍ଦେହରେ ଗୁରୁବାର ଠାରୁ ଫ୍ରାନ୍ସର ଚାରିଜଣ ବିଚାରପତି ପ୍ୟାରିସର ୧୫୦ କିଲୋମିଟର ପୂର୍ବରେ ଥିବା ଭାଟ୍ରି ବିମାନବନ୍ଦରରେ ଫ୍ରାନ୍ସ କର୍ତ୍ତୃପକ୍ଷଙ୍କ ଦ୍ୱାରା ଅଟକ ଥିବା ଯାତ୍ରୀଙ୍କୁ ପଚରାଉଚରା କରିଥିଲେ।
ଏହି ଯାତ୍ରୀମାନେ ହୁଏତ ଆମେରିକା କିମ୍ବା କାନାଡାକୁ ବେଆଇନ ଭାବେ ପ୍ରବେଶ କରିବାକୁ ଚେଷ୍ଟା କରିବା ପାଇଁ ଯୋଜନା କରିଥିବା AFP ରିପୋର୍ଟରେ ଉଲ୍ଲେଖ କରାଯାଇଥିଲା। ତେବେ ଯାତ୍ରୀମାନଙ୍କୁ ପଚରାଉଚରା ପରେ ୨୭୬ ଜଣଙ୍କୁ ଧରି ବିମାନଟି ଗତକାଲି ଫ୍ରାନ୍ସ ଛାଡ଼ିଥିବା ବେଳେ ଆଜି ସକାଳେ ଭାରତ ମାଟିରେ ପହଞ୍ଚିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
