Advertisment

Hamas: ଶାନ୍ତି ଚୁକ୍ତି ପରେ ଗାଜାକୁ ରକ୍ତରଞ୍ଜିତ କଲା ହମାସ: ୮ ଜଣଙ୍କୁ ସର୍ବସମ୍ମୁଖରେ ଗୁଳି କରି ହତ୍ୟା

ଗାଜାର ଆଭ୍ୟନ୍ତରୀଣ ସୁରକ୍ଷାକୁ ହମାସ ନିୟନ୍ତ୍ରଣ କରିବାକୁ ସକ୍ଷମ ବୋଲି ଶାନ୍ତି ଚୁକ୍ତିରେ ମଧ୍ୟସ୍ଥି ସାଜିଥିବା ଆମେରିକା ରାଷ୍ଟ୍ରପତି ଡୋନରାଲ୍ଡ ଟ୍ରମ୍ପ କହିବାର କିଛି ସମୟରେ ଏପରି ଖବର ସାମ୍ନାକୁ ଆସିଛି।

author-image
Hemant Lenka
Hamas

ହମାସ

ଇସ୍ରାଏଲ ସହ ଶାନ୍ତି ଚୁକ୍ତି ପରେ ପାଲେଷ୍ଟାଇନର ସାଧାରଣ ଲୋକ ଆଶା କରିଥିଲେ ଯେ ଗାଜାରେ ଶାନ୍ତି ଫେରିବ। କିନ୍ତୁ ଇସ୍ରାଏଲ(Israel) ସହ ଶାନ୍ତି ଚୁକ୍ତି କରିଥିବା ହମାସ ଏବେ ରକ୍ତର ହୋଲି ଖେଳିବା ଆରମ୍ଭ କରିଛି। ଗାଜା(Gaza)ରେ ନିଜର ଦବାଦବା ପ୍ରଦର୍ଶନ କରି ପୁଣି ଶାସନ କରିବାକୁ ହମାସ ପକ୍ଷରୁ ବିଦ୍ରୋହୀଙ୍କ ଜୀବନ ନେବା ଆରମ୍ଭ କରିଛି।

Advertisment

ହମାସର ଫାୟାରିଂ ଗ୍ରୁପ ପକ୍ଷରୁ ସର୍ବସମ୍ମୁଖରେ ବିଦ୍ରୋହୀ ଗୋଷ୍ଠୀର ୮ ଜଣଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଇସ୍ରାଏଲର ହମଲା ବେଳେ ଏମାନେ ହମାସ ବିରୋଧରେ ରହିଥିଲେ। ତେଣୁ ସେମାନଙ୍କୁ ସର୍ବସମ୍ମୁଖରେ ଦଣ୍ଡ ଦିଆଯାଇଥିବା ସ୍ଥାନୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ଏହାକୁ ମିଶାଇ ହମାସ ବିଦ୍ରୋହୀ ଗୋଷ୍ଠୀର ୫୦ରୁ ଅଧିକ ଲୋକଙ୍କ ଜୀବନ ନେଇ ସାରିଲାଣି। 

ଗାଜାର ଆଭ୍ୟନ୍ତରୀଣ ସୁରକ୍ଷାକୁ ହମାସ ନିୟନ୍ତ୍ରଣ କରିବାକୁ ସକ୍ଷମ ବୋଲି ଶାନ୍ତି ଚୁକ୍ତିରେ ମଧ୍ୟସ୍ଥି ସାଜିଥିବା ଆମେରିକା ରାଷ୍ଟ୍ରପତି ଡୋନରାଲ୍ଡ ଟ୍ରମ୍ପ କହିବାର କିଛି ସମୟରେ ଏପରି ଖବର ସାମ୍ନାକୁ ଆସିଛି। ସ୍ଥାନୀୟ ସୋଶାଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଯେ ମୁଖାପିନ୍ଧା ବନ୍ଧୁକଧାରୀମାନେ ତଥାକଥିତ ଦଣ୍ଡକୁ କାର୍ଯ୍ୟକାରୀ କରୁଛନ୍ତି।

Advertisment

ପୀଡ଼ିତମାନଙ୍କ ଆଖିରେ ପଟି ପଡ଼ିଥିବା ବେଳେ ସେମାନଙ୍କ ହାତ ପଛରେ ବନ୍ଧା ଯାଇଛି। ହମାସ ପକ୍ଷରୁ କୁହାଯାଇଛି ଯେ ଅପରାଧିକ କାର୍ଯ୍ୟକଳାପ ଓ ଇସ୍ରାଏଲର ହମଲା ବେଳେ ସେମାନଙ୍କ ସାଥ ଦେଇଥିବା ଲୋକମାନଙ୍କୁ ହିଁ ଦଣ୍ଡ ଦିଆଯାଇଛି। ଆଗକୁ ମଧ୍ୟ ସେଭଳି ଲୋକଙ୍କୁ ଚିହ୍ନଟ କରି ମୃତ୍ୟୁଦଣ୍ଡରେ ଦଣ୍ଡିତ କରାଯିବ ବୋଲି ସଂଗଠନ ପକ୍ଷରୁ ଚେତାବନୀ ଦିଆଯାଇଛି।

ଏପରି କାର୍ଯ୍ୟାନୁଷ୍ଠାନ ପରେ ଗାଜାରେ ପୁଣି ହମାସ ଓ ସ୍ଥାନୀୟ ଅଞ୍ଚଳର ଅନ୍ୟତମ ସଶକ୍ତ ସଶସ୍ତ୍ର ବଳ ଦୋଗମୁଶ ବଂଶଜଙ୍କ ମଧ୍ୟରେ ହିଂସାତ୍ମକ ସ୍ଥିତି ସୃଷ୍ଟି ହୋଇଛି। ଗୋଟିଏ ରିପୋର୍ଟରେ କୁହାଯାଇଛି ଯେ ହମାସର ଆଭ୍ୟନ୍ତରୀଣ ସୁରକ୍ଷାବଳ ସହ ଲଢ଼େଇ କରି ଦୋଗମୁଶ ବଂଶଜ ୫୨ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ସେହିପରି ପାଲଟା ଆକ୍ରମଣରେ ୧୨ ଜଣ ହମାସ ସଦସ୍ୟଙ୍କ ଜୀବନ ଯାଇଛି। ମୃତକଙ୍କ ମଧ୍ୟରେ ହମାସର ବରିଷ୍ଠ ଅଧିକାରୀ ବସୀମ ନୈମର ପୁଅ ମଧ୍ୟ ରହିଛି। 

ଦୋଗମୁଶ ବଂଶଜ ସଶସ୍ତ୍ର ବଳ ଭାବେ ବେଶ ପରିଚିତ। ଏହି ସଂଗଠନକୁ ଇସ୍ରାଏଲ ସମର୍ଥନ କରେ ବୋଲି କୁହାଯାଏ। ଇସ୍ରାଏଲ ସେନା ହମାସ(Hamas) ସହ ଲଢ଼େଇ କରୁଥିବା ବେଳେ ଦୋଗମୁଶ ବଂଶଜମାନେ ଏଥିରେ ସାମିଲ ହୋଇଥିଲେ। ତେଣୁ ଏବେ ହମାସ ସେମାନଙ୍କ ବିରୋଧରେ ଲଢ଼େଇ ଆରମ୍ଭ କରିଦେଇଛି। ଏହାକୁ ନେଇ ପୁଣି ଅଶାନ୍ତ ହୋଇ ଉଠିଛି ଗାଜା। 

Israel Hamas Gaza