Palestinian flag At John Harvard statue
ଆମେରିକାରେ ତୀବ୍ର ହେଉଛି ଇସ୍ରାଏଲ ବିରୋଧୀ ଆନ୍ଦୋଳନ। ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀମାନେ ପାଲେଷ୍ଟାଇନ ସମର୍ଥନରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ଏହାରି ମଧ୍ୟରେ ଆନ୍ଦୋଳନକାରୀମାନେ ହାର୍ବାର୍ଡ ୟାର୍ଡରେ ଥିବା ଜନ୍ ହାର୍ବାର୍ଡ ଙ୍କ ପ୍ରତିମୂର୍ତ୍ତି ଉପରେ ପାଲେଷ୍ଟାଇନ ପତାକା ଉତ୍ତୋଳନ କରିଥିବା ଦେଖିବାକୁ ମିଳୁଛି।
ଯେଉଁ ସ୍ଥାନ ଆମେରିକା ପତାକା ପାଇଁ ଉଦ୍ଦିଷ୍ଟ ଥିଲା ସେଠାରେ ପାଲେଷ୍ଟାଇନ ପତାକା ଉଡ଼ାଯାଉଛି। ଛାତ୍ରଛାତ୍ରୀଙ୍କ ଏପରି କାର୍ଯ୍ୟକୁ ହାର୍ବାର୍ଡ ମୁଖପାତ୍ର ନିନ୍ଦା କରିଛନ୍ତି। ସେ କହିଛନ୍ତି, ଏହା ବିଶ୍ୱବିଦ୍ୟାଳୟ ନୀତିର ଉଲ୍ଲଂଘନ। ଯେଉଁମାନେ ଏପରି କାର୍ଯ୍ୟ କରିଛନ୍ତି ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
ପ୍ରକାଶ ଥାଉକି, ଏପ୍ରିଲ ୧୮ରୁ ଆମେରିକାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀ ଇସ୍ରାଏଲ ବିରୋଧୀ ମୁଦ୍ଦା ନେଇ ଆନ୍ଦୋଳନକୁ ଓହ୍ଲାଇଛନ୍ତି। ସେମାନଙ୍କ କହିବା କଥା ହେଲା, ଇସ୍ରାଏଲ-ହମାସ ଯୁଦ୍ଧ କାରଣରୁ ମୃତ୍ୟୁସଂଖ୍ୟା ବୃଦ୍ଧି ପାଉଛି, ଦିନକୁ ଦିନ ମାନବିକ ସଙ୍କଟ ବଢୁଛି। ତେଣୁ ଆମେରିକାର ବିଶ୍ୱବିଦ୍ୟାଳୟଗୁଡିକ ଇସ୍ରାଏଲ ସହ ଆର୍ଥିକ ସମ୍ପର୍କ ବନ୍ଦ କରନ୍ତୁ ଏବଂ କମ୍ପାନୀଗୁଡିକ ଏହି ବିବାଦରୁ ଦୂରେଇ ରୁହନ୍ତି।
ଏପରି କିଛି ମୁଦ୍ଦାନେଇ ଯୁବଗୋଷ୍ଠୀ ପାଖାପାଖି ଦୁଇ ସପ୍ତାହ ହେବ ଆନ୍ଦୋଳନରତ ଅଛନ୍ତି। ଏହି ଘଟଣାରେ ବର୍ତ୍ତମାନ ସୁଦ୍ଧା ୯୦୦ ଜଣ ଆନ୍ଦୋଳନକାରୀଙ୍କୁ ପୁଲିସ ଗିରଫ କଲାଣି। ରିପୋର୍ଟ ଅନୁସାରେ, କେବଳ ଗତ ଶନିବାର ୨୭୫ ଜଣଙ୍କୁ ଗିରଫ କରାଯାଇଛି। ଗିରଫ ହୋଇଥିବା ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଇଣ୍ଡିଆନା ୟୁନିଭରସିଟି, ଆରିଜୋନା ଷ୍ଟେଟ ୟୁନିଭରସିଟି ଏବଂ ୱାଶିଂଟନ ଷ୍ଟେଟ ୟୁନିଭରସିଟିର ଛାତ୍ରଛାତ୍ରୀ ଅଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us