Advertisment

ବାଂଲାଦେଶ ଛାଡ଼ିବା ପରେ ପ୍ରଥମଥର ମୁହଁ ଖୋଲିଲେ ଶେଖ ହସିନା

ହସିନା ତାଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଛାଡ଼ିବାକୁ ବାଧ୍ୟ କରିଥିବା ଶକ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି।

author-image
Hemant Lenka
Sheikh Hasina

Sheikh Hasina

ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେବା ପରେ ବାଂଲାଦେଶ ଛାଡ଼ି ଭାରତରେ ଆତ୍ମଗୋପନ କରିଥିବା ଶେଖ ହସିନା ପ୍ରଥମଥର ପାଇଁ ନିଜ ଦେଶର ସ୍ଥିତି ସମ୍ପର୍କରେ ମୁହଁ ଖୋଲିଛନ୍ତି। କୋଟା ସଂରକ୍ଷଣ ନାଁରେ ଦେଶରେ ହୋଇଥିବା ହିଂସାକାଣ୍ଡ ଯୋଗୁ ହସିନା ପ୍ରଧାନମନ୍ତ୍ରୀ ପଦ ଛାଡ଼ିଥିଲେ।

Advertisment

ସେ ଦେଶ ଛାଡ଼ିବା ପରେ ତାଙ୍କ ଦଳ ଆବାମୀ ଲିଗ ବିରୋଧରେ ହିଂସା ଦେଖାଯାଇଥିଲା। ଆବାମୀ ଲିଗ୍‌ ବିରୋଧରେ ଏପରି ବିଦ୍ରୋହ ବାଂଲାଦେଶର ପ୍ରତିଷ୍ଠାତା ରାଷ୍ଟ୍ରପତି ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନ ଓ ଦେଶ ପାଇଁ ଜୀବନ ଦେଇଥିବା ଅନେକ ସହିଦଙ୍କ ପ୍ରତି ଅପମାନ ବୋଲି ହସିନା କହିଛନ୍ତି। ଏଥିସହ ସେ ନିଜ ଦେଶ ପାଇଁ ନ୍ୟାୟ ମାଗିଛନ୍ତି। 

ପୁଅ ସାଜୀବ ୱାଜେଦଙ୍କ ଦ୍ୱାରା ହସିନା ଜାରି କରିଥିବା ପ୍ରଥମ ବିବୃତିରେ କହିଛନ୍ତି ଯେ “ଜାତିର ପିତା ବଙ୍ଗବନ୍ଧୁ ଶେଖ ମୁଜିବୁର ରହମାନଙ୍କ ନେତୃତ୍ୱ ଯୋଗୁ ଆମେ ଗୋଟିଏ ସ୍ୱାଧୀନ ରାଷ୍ଟ୍ର ହୋଇଥିଲୁ। ନିଜସ୍ୱ ପରିଚୟ ପାଇଥିଲୁ ଓ ସ୍ୱାଧୀନ ଦେଶ ହୋଇଥିଲୁ।

Advertisment

ହେଲେ ଆଜି ତାଙ୍କୁ ଭୟଙ୍କର ଢଙ୍ଗରେ ଅପମାନିତ କରାଯାଇଛି। ସେମାନେ ଲକ୍ଷାଧିକ ସହିଦଙ୍କ ରକ୍ତକୁ ଅପମାନିତ କରିଛନ୍ତି। ମୁଁ ଦେଶବାସୀଙ୍କ ଠାରୁ ନ୍ୟାୟ ଚାହୁଁଛି।” ହସିନା ତାଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀ ଛାଡ଼ିବାକୁ ବାଧ୍ୟ କରିଥିବା ଶକ୍ତିକୁ ତୀବ୍ର ସମାଲୋଚନା କରିଛନ୍ତି।

ଆବାମୀ ଲିଗ୍‌ର ମୁଖ୍ୟ ହସିନା ବାଂଲାଦେଶର ଲୋକଙ୍କୁ ଅଗଷ୍ଟ ୧୫ ତାରିଖକୁ ଜାତୀୟ ଶୋକ ଦିବସ ଭାବେ ପାଳନ କରିବାକୁ ଅନୁରୋଧ କରିଛନ୍ତି। କାରଣ ଏହି ଦିନ ଶେଖ ମୁଜିବୁର ରହମାନଙ୍କୁ ହତ୍ୟା କରାଯାଇଥିଲା।

ସେ କହିଛନ୍ତି, “ମୁଁ ଅଗଷ୍ଟ ୧୫ରୁ ଅତ୍ୟନ୍ତ ନିଷ୍ଠାର ସହ ଜାତୀୟ ଶୋକ ଦିବସ ଭାବେ ପାଳନ କରିବାକୁ ଅନୁରୋଧ କରୁଛି। ବଙ୍ଗବନ୍ଧୁ ଭବନରେ ପୁଷ୍ପମାଲ୍ୟ ଓ ପ୍ରାର୍ଥନା କରିବାକୁ ସମସ୍ତଙ୍କୁ ଆହ୍ୱାନ ଦେଉଛି।”

ପୂର୍ବତନ ପ୍ରଧାନମନ୍ତ୍ରୀ ହସିନା ବାଂଲାଦେଶରେ ଚାଲିଥିବା ହିଂସା ଓ ଜୀବନହାନୀକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ସେ କହିଛନ୍ତି, “ଶିକ୍ଷାର୍ଥୀ, ଶିକ୍ଷକ, ପୁଲିସ୍‌, ସାମ୍ବାଦିକ, ସାଂସ୍କୃତି କର୍ମଚାରୀ ଓ ନିରୀହ ସାଧାରଣ ଲୋକ ଆତଙ୍କବାଦ ଓ ହିଂସା ଯୋଗୁ ଜୀବନ ହରାଉଛନ୍ତି। ଯେଉଁମାନେ ମୋ ଭଳି ନିଜ ପ୍ରିୟଜନଙ୍କୁ ହରାଇ କଷ୍ଟରେ ଅଛନ୍ତି, ସେମାନଙ୍କ ପାଇଁ ଶୋକ ପ୍ରକାଶ କରୁଛି। ମୁଁ ସେମାନଙ୍କ ଆତ୍ମାର ସଦଗତି କାମନା କରୁଛି। ହତ୍ୟାକାଣ୍ଡ ଓ ହିଂସାରେ ସାମିଲ ଥିବା ଲୋକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।”

ବାଂଲାଦେଶକୁ ୧୫ ବର୍ଷ ଧରି ଶାସନ କରୁଥିବା ଶେଖ ହସିନାଙ୍କ କାର୍ଯ୍ୟକାଳ ଉପରେ ଗତ ୫ ତାରିଖରେ ପୂର୍ଣ୍ଣଚ୍ଛେ ପଡ଼ିଥିଲା। ସେ ହିଂସା ଯୋଗୁ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଓ ବାଂଲାଦେଶ ଛାଡ଼ି ଭାରତକୁ ଚାଲି ଆସିଥିଲେ। ଏବେ ସେ ଭାରତର ସୁରକ୍ଷିତ ଠିକଣାରେ ରହିଛନ୍ତି।

Bangladesh Bangladesh Violence Sheikh Hasina Resigns