Advertisment

ସ୍ପଷ୍ଟ କଲା ହେଜବୁଲ୍ଲା: ଇସ୍ରାଏଲ ଏୟାର ଷ୍ଟ୍ରାଇକରେ ନସ୍ରଲ୍ଲା ମୃତ

୬୪ ବର୍ଷୀୟ ନସ୍ରଲ୍ଲା ବେରୁଟ ସ୍ଥିତ ହେଜବୁଲ୍ଲାର ମୁଖ୍ୟାଳୟରେ ଥିବା ବେଳେ ଶୁକ୍ରବାର ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା।

author-image
Hemant Lenka
ଅଦ୍ୟତନ ହୋଇଛି
Hezbollah

Hezbollah

ଇସ୍ରାଏଲ ସେନାର କରୁଥିବା ଦାବିରେ ମୋହର ମାରିଛି ଲେବାନନର ବିଦ୍ରୋହୀ ସଂଗଠନ ହେଜବୁଲ୍ଲା। ଶୁକ୍ରବାର ଇସ୍ରାଏଲ ଦକ୍ଷିଣ ଲେବାନନରେ କରିଥିବା ଏୟାର ଷ୍ଟ୍ରାଇକରେ ସଂଗଠନର ମୁଖ୍ୟ ଶେଖ ହାସନ ନସ୍ରଲ୍ଲା ପ୍ରାଣ ହରାଇଥିବା ହେଜବୁଲ୍ଲା ଶନିବାର ସନ୍ଧ୍ୟାରେ ସ୍ପଷ୍ଟ କରିଛି। ହେଜବୁଲ୍ଲା ଏକଥା ସ୍ୱୀକାର କରିବା ପୂର୍ବରୁ ଇସ୍ରାଏଲ ସେନା ପୂରା ଦୁନିଆକୁ ନସ୍ରଲ୍ଲାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ସାରିଥିଲା।

Advertisment

୬୪ ବର୍ଷୀୟ ନସ୍ରଲ୍ଲା ବେରୁଟ ସ୍ଥିତ ହେଜବୁଲ୍ଲାର ମୁଖ୍ୟାଳୟରେ ଥିବା ବେଳେ ଶୁକ୍ରବାର ଇସ୍ରାଏଲ ଏୟାର ଷ୍ଟ୍ରାଇକ କରିଥିଲା। ଏଥିରେ ନସ୍ରଲ୍ଲାଙ୍କ ସମେତ ହେଜବୁଲ୍ଲାର ଅନେକ ସଦସ୍ୟ ପ୍ରାଣ ହରାଇଛନ୍ତି। ତାଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ହେଜବୁଲ୍ଲା ଗୋଟିଏ ବିବୃତି ଜାରି କରିଛି।

ଇରାନ ସମର୍ଥିତ ସଂଗଠନ କହିଛି ଯେ “ଅନ୍ୟ ସହିଦଙ୍କ ସହ ଏବେ ନସ୍ରଲ୍ଲା ଯୋଡ଼ି ହୋଇ ଯାଇଛନ୍ତି।” ଏହି ଖବର ହେଜବୁଲ୍ଲା ଦେବା ପରେ ନସ୍ରଲ୍ଲାଙ୍କ ସମ୍ମାନାର୍ଥେ ହେଜବୁଲ୍ଲାର ଅଲ ମନାର ଟିଭିରେ କୁରାନ ପରିବେଷଣ କରାଯାଇଛି। ତାଙ୍କ ମୃତ୍ୟୁ ପାଇଁ ପୂରା ଦେଶରେ ଶୋକ ପ୍ରାର୍ଥନା ହୋଇଛି।

Advertisment

୩୨ ବର୍ଷ ଧରି ନସ୍ରଲ୍ଲା ହେଜବୁଲ୍ଲାର ନେତୃତ୍ୱ ନେଉଥିଲେ। ଏବେ ତାଙ୍କର ମୃତ୍ୟୁ ସଂଗଠନ ପାଇଁ ଶକ୍ତ ଝଟକା ସଦୃଶ ହୋଇଛି। ଇସ୍ରାଏଲ ୨୦୨୩ ଅକ୍ଟୋବର ୭ରୁ ଗାଜାରେ ହମାସ ସହ ଲଢ଼େଇ ଆରମ୍ଭ କରିଥିଲା। ଏହାର ଦିନକ ପରେ ଗାଜା ସମର୍ଥନରେ ହେଜବୁଲ୍ଲା ମଧ୍ୟ ଇସ୍ରାଏଲ ଉପରେ ଆକ୍ରମଣ କରିଥିଲା। ସେବାଠାରୁ ଇସ୍ରାଏଲ ଓ ହେଜବୁଲ୍ଲା ମଧ୍ୟରେ ଚାଲିଥିବା ଲଢ଼େଇ ମଧ୍ୟରେ ଏବେ ସବୁଠାରୁ ବଡ଼ ବିପର୍ଯ୍ୟୟ ଘଟିଛି।

ନସ୍ରଲ୍ଲା ପ୍ରାଣ ହରାଇଥିଲେ ହେଁ ହେଜବୁଲ୍ଲା ଗାଜା ଓ ପାଲେଷ୍ଟାଇନ ସପକ୍ଷରେ ଯୁଦ୍ଧ ଜାରି ରଖିବ। ଏଥିସହ ଲେବାନନ ଓ ଏହାର ଲୋକଙ୍କ ସୁରକ୍ଷା ପାଇଁ ମଧ୍ୟ ସଂଗଠନ ପଛ ଘୁଞ୍ଚା ଦେବ ନାହିଁ ବୋଲି କହିଛି।

ଶୁକ୍ରବାର ଇସ୍ରାଏଲ କରିଥିବା ଏୟାର ଷ୍ଟ୍ରାଇକରେ ନସ୍ରଲ୍ଲାଙ୍କ ବ୍ୟତୀତ ତାଙ୍କ ଝିଅ ଜୈନାବ ଓ ହେଜବୁଲ୍ଲାର ଦକ୍ଷିଣ ଫ୍ରଣ୍ଟର କମାଣ୍ଡର ଅଲୀ କାରକି ମଧ୍ୟ ନିହତ ହୋଇଛନ୍ତି। ଏମାନଙ୍କ ସହ ଆହୁରି ଅନେକ ହେଜବୁଲ୍ଲା ସଦସ୍ୟଙ୍କ ମୃତ୍ୟୁ ଘଟିଛି।

Israel Hezbollah