Advertisment

ଇସ୍ରାଏଲ ଓ ହମାସ ଯୁଦ୍ଧ: ଆମେରିକା ବିରୋଧରେ ଗର୍ଜିଲେ ହେଜବୋଲ୍ଲା ମୁଖ୍ୟ

ଗାଜାରେ ଯେଉଁ ଲକ୍ଷ୍ୟ ନେଇ ଇସ୍ରାଏଲ ଅପରେସନ କରୁଛି, ତାହା କେବେ ହେଲେ ସଫଳ ହେବନି ବୋଲି ସେ କହିଛନ୍ତି।

Hezbollah

Hezbollah

Advertisment

ଅକ୍ଟୋବର ୭ରୁ ଆରମ୍ଭ ହୋଇଥିବା ଇସ୍ରାଏଲ-ହମାସ ଯୁଦ୍ଧକୁ ନେଇ ପ୍ରଥମଥର ପାଇଁ ନିଜର ସମର୍ଥକମାନଙ୍କୁ ସମ୍ବୋଧନ କରିଛନ୍ତି ଲେବାନନ ଭିତ୍ତିକ ଆତଙ୍କୀ ସଂଗଠନ ହେଜବୋଲ୍ଲାର ମୁଖ୍ୟ ହାସନ ନସରଲ୍ଲା। ସେ ଗାଜାରେ ଇସ୍ରାଏଲ ଚଳାଇବା ଅପରେସନ ପଛରେ ଆମେରିକା ରହିଛି ବୋଲି କହିଛନ୍ତି।

Advertisment

ଏଥିସହ ଆମେରିକା ସହ ଲଢ଼େଇ କରିବାକୁ ସଂଗଠନ ଓ ଏହାର ସମର୍ଥକମାନେ ପ୍ରସ୍ତୁତ ବୋଲି ଦମ୍ଭୋକ୍ତି କରିଛନ୍ତି। ଏଥିସହ ଇସ୍ରାଏଲ ହମଲାରେ ଗାଜାରେ ପ୍ରାଣ ହରାଇଥିବା ଲୋକ ଓ ହମାସ ଯୋଦ୍ଧାଙ୍କୁ ସହ ସହିଦର ଆଖ୍ୟା ଦେଇଛନ୍ତି। ଏହାବାଦରେ ଗାଜାରେ ଯେଉଁ ଲକ୍ଷ୍ୟ ନେଇ ଇସ୍ରାଏଲ ଅପରେସନ କରୁଛି, ତାହା କେବେ ହେଲେ ସଫଳ ହେବନି ବୋଲି ସେ କହିଛନ୍ତି। 

ନସରଲ୍ଲା କହିଛନ୍ତି, “ଗାଜାର ଏବେ ଯାହା ଚାଲିଛି, ତାହା ଗୋଟିଏ ସାଧାରଣ ଲଢ଼େଇ ନୁହେଁ। ଏହା ଏକ ନିର୍ଣ୍ଣାୟକ ଲଢ଼େଇ। ଏହା ଶେଷ ହେବା ପରେ ପୂର୍ବଭଳି ଆଉ କିଛି ବି ରହିବ ନାହିଁ।” ଦକ୍ଷିଣ ବିରୁଟରେ ଭିଡିଓ ଲିଙ୍କ ମାଧ୍ୟମରେ ସେ ସମସ୍ତଙ୍କୁ ସମ୍ବୋଧନ କରି କହିଛନ୍ତି, “ଏହା ଏକ ନିର୍ଣ୍ଣାୟକ ଓ ଐତିହାସିକ ଯୁଦ୍ଧ। ଏହାପରେ କିଛି ବି ଆଉ ସମାନ ରହିବ ନାହିଁ।

Advertisment

ସମସ୍ତେ ନିଜ ନିଜ ଦାୟିତ୍ୱକୁ ଭଲ ଭାବେ ବୁଝନ୍ତୁ। ଆମକୁ ତୁରନ୍ତ ଆମର ଲକ୍ଷ୍ୟକୁ ଧାର୍ଯ୍ୟ କରିବାକୁ ପଡ଼ିବ। ପ୍ରଥମେ ଗାଜାରେ ଚାଲିଥିବା ଯୁଦ୍ଧ ଓ ହମଲାକୁ ବନ୍ଦ କରିବାକୁ ପଡ଼ିବ। ଦ୍ୱିତୀୟରେ ଇସଲାମିକ ରେଜିଷ୍ଟାନ୍ସର ବିଜୟ ନିଶ୍ଚିତ କରିବାକୁ ହେବ। ପାଲେଷ୍ଟାଇନବାସୀଙ୍କ ବିଜୟ ପୂରା ଅଞ୍ଚଳର ବିଜୟ। ଗାଜାର ବିଜୟ ସହ ଲେବାନନର ଜାତୀୟ ସ୍ୱାର୍ଥ ଜଡ଼ିତ। ସେହିପରି ଇସ୍ରାଏଲର ବିଜୟ ଗାଜାରେ ରେଜିଷ୍ଟାନ୍ସ ଫୋର୍ସର ପରାଜୟ। ଏହା ଲେବାନନର ସୁରକ୍ଷା, ଭୌଗଳିକ ଉପସ୍ଥିତି ଓ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇବ।

ଲେବାନନରେ ସମସ୍ତ ବିକଳ୍ପ ଏବେ ବି ଖୋଲା ରହିଛି। ଦକ୍ଷିଣ ସୀମାରେ ଆମେ ଇସ୍ରାଏଲ ସହ ଲଢ଼େଇ ଆରମ୍ଭ କରି ଦେଇଛୁ। ଆମେ ଆମେରିକା ସହ ମଧ୍ୟ ଯୁଦ୍ଧ କରିବାକୁ ପ୍ରସ୍ତୁତ। ଗାଜାରେ ଘଟୁଥିବା ଘଟଣା ଓ ଗାଜା ପ୍ରତି ସୃଷ୍ଟି ହେଉଥିବା ବିପଦର ମୁକାବିଲା କରିବାକୁ ଆମେ ପ୍ରସ୍ତୁତ। ଲେବାନନ ପ୍ରତି ଇସ୍ରାଏଲର ଆଭିମୁଖ୍ୟ ଉପରେ ଆମର ପରବର୍ତ୍ତୀ ପଦକ୍ଷେପ ନିର୍ଭର କରୁଛି।

ଆମେରିକା କେବଳ ଲେବାନନରେ ଥିବା ହେଜବୋଲ୍ଲା ଉପରେ ବୋମା ମାଡ଼ କରିବାକୁ ଧମକ ଦେଇ ନାହିଁ, ବରଂ ଇରାନକୁ ମଧ୍ୟ ଧମକ ଦେଇଛି। ମୁଁ ଆମେରିକୀୟଙ୍କୁ କହିବାକୁ ଚାହୁଁଛି ଯେ ଧମକ ଓ ଭୟଭୀତରେ ଆମେ ଡରିବୁ ନାହିଁ। ତୁମ ଜାହାଜ ଆମକୁ ଡରାଇ ପାରିବ ନାହିଁ। ତୁମକୁ ସାମ୍ନା କରିବା ପାଇଁ ଆମେ ସବୁ ପ୍ରକାରର ପ୍ରସ୍ତୁତି କରିଛୁ। ଆମେ ପ୍ରସ୍ତୁତ।

ଲେବାନନ, ଇରାନ ଓ ଆଫଗାନିସ୍ତାନରୁ ତୁମର ପଳାୟନକୁ ଥରେ ମନେ ପକାଅ। ଯଦି କେହି ଆମେରିକା ସହ ଯୁଦ୍ଧ ବନ୍ଦ କରିବାକୁ ଚାହୁଁଛନ୍ତି, ତା’ହେଲେ ଗାଜାରେ ଚାଲିଥିବା ହମଲା ବିରୋଧରେ ଛିଡ଼ା ହୁଅନ୍ତୁ। ଯଦି ଥରେ ଯୁଦ୍ଧ ଆରମ୍ଭ ହୋଇଯିବ, ତା’ହେଲେ ଏହା ଶେଷ ହେବା ଯାଏ ଚାଲିବ।”

ହମାସ ପକ୍ଷରୁ ଇସ୍ରାଏଲ ବିରୋଧରେ ଆରମ୍ଭ ହୋଇଥିବା ଅଲ ଅକସା ଫ୍ଲଡ ଅପରେସନରେ ପ୍ରାଣ ହରାଇଥିବା ଲୋକଙ୍କ ପାଇଁ ହାସନ ନସରଲ୍ଲା ଶୋକ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଆମେ ବଳିଦାନ ଦେବାକୁ ପ୍ରସ୍ତୁତ ଥିଲୁ ଓ ଅଛୁ। ଯାହା ବି ସବୁ ଘଟୁଛି, ଏଥିପାଇଁ ଆମେରିକା ସିଧାସଳଖ ଦାୟୀ। ଗାଜାରେ ଯୁଦ୍ଧ ପାଇଁ ଆମେରିକା ଦାୟୀ ଓ ଇସ୍ରାଏଲ କେବଳ ଆମେରିକା ଇସାରରେ କାମ କରୁଛି।

ଆମ ରିଜନରେ ଆମେରିକା ଘଟାଇଥିବା କାଣ୍ଡ ପାଇଁ ତାକୁ ଦଣ୍ଡ ଦେବା। ଇରାକରେ ଥିବା ରେଜିଷ୍ଟାନ୍ସ ଇରାକ ଓ ସିରିଆରେ ଥିବା ଆମେରିକା ବେସ୍‌ ଉପରେ ହମଲା ଆରମ୍ଭ କରିଛନ୍ତି। ସେମାନଙ୍କୁ ଯୁଦ୍ଧ ପାଇଁ ପରିଣାମ ଭୋଗିବାକୁ ପଡ଼ିବ। ଆମେ ଆମର ଯୋଦ୍ଧାମାନଙ୍କ ପାଇଁ ଶୋକ ପ୍ରକାଶ କରୁଛୁ।

ଗାଜାର ସମସ୍ତ ପୀଡ଼ିତ ସହିଦ। ସେମାନେ ଅଲଗା ଦୁନିଆକୁ ଚାଲି ଯାଇଛନ୍ତି। ସେମାନେ ଏବେ ଏମିତି ଏକ ସ୍ଥାନରେ ଅଛନ୍ତି, ଯେଉଁଠି ଏକଛତ୍ରବାଦ ଶାସନ ନାହିଁ। ସେଠାରେ ଇହୁଦୀମାନେ ନାହାନ୍ତି ବୋଲି ହାସନ ନସରଲ୍ଲା କହିଛନ୍ତି।

Israel-Palestine Conflict War Israel-Palestine War Israel-Hamas War
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe