ପୁଣିଥରେ ପାକିସ୍ତାନରେ ହିନ୍ଦୁଙ୍କୁ ଟାର୍ଗେଟ କରାଯାଇଛି। କରାଚିର ଲାୟାରି ଠାରେ ହିନ୍ଦୁ ଡାକ୍ତର ବିରବଲ ଜେନାନନି ଆତତାୟୀଙ୍କ ଗୁଳିମାଡ଼ରେ ଆଖି ବୁଜିଛନ୍ତି। ସେ ତାଙ୍କ କ୍ଲିନିକରୁ ଘରକୁ ଫେରୁଥିବା ବେଳେ ଏପରି ଘଟଣା ଘଟିଛି।
କରାଚି ମେଟ୍ରୋପଲିଟାନ କର୍ପୋରେସନ(କେଏମସି)ର ପୂର୍ବତନ ବରିଷ୍ଠ ନିର୍ଦ୍ଦେଶକ ଓ ଆଖି ବିଶେଷଜ୍ଞ ଡାକ୍ତର ବିରବଲଙ୍କୁ ଟାର୍ଗେଟ କରି ହତ୍ୟା କରାଯାଇଥିବା ପାକିସ୍ତାନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି।
ପୁଲିସ୍ କହିଛି ଯେ ଡାକ୍ତର ବିରବଲ ଓ ତାଙ୍କ ସହଯୋଗୀ ମହିଳା ଡାକ୍ତର ମିଳିତ ଭାବେ ରାମସ୍ୱାମୀରୁ ଗୁଲଶନ ଇ- ଇକବାଲ ଯାଉଥିଲେ। ତେବେ ଲାୟାରି ଏକ୍ସପ୍ରେସ ୱେରେ ସେମାନେ ଯାଉଥିବା ବେଳେ ଗାର୍ଡେନ ଇଣ୍ଟରଚେଞ୍ଜ ନିକଟରେ ସେମାନଙ୍କ କାରକୁ ଟାର୍ଗେଟ କରି ଗୁଳିମାଡ଼ ହୋଇଥିଲା। ଘଟଣା ସ୍ଥଳରେ ଡାକ୍ତର ବିରବଲଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସହ ଥିବା ମହିଳା ଗୁଳିମାଡ଼ରେ ଗୁରୁତର ଆହତ ହୋଇଛନ୍ତି।
ଘଟଣା ସମ୍ପର୍କରେ ଖବର ପାଇ ପୁଲିସ ଓ ଉଦ୍ଧାରକାରୀ ଦଳ ତୁରନ୍ତ ପହଞ୍ଚି ମୃତହାତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲା। ସିସିଟିଭି ଦୃଶ୍ୟ ଅନୁଯାୟୀ, ଗୁଳିମାଡ଼ ପରେ ଡାକ୍ତର ବିରବଲଙ୍କ କାର ଭାରସାମ୍ୟ ହରାଇ ଥିଲା ଓ ନିକଟରେ ଥିବା ଗୋଟିଏ କାନ୍ଥରେ ଖୁବ ଜୋରରେ ପିଟି ହୋଇଯାଇଥିଲା।
ଏସଏସ୍ପି ଆରିଫ ଅଜିଜ କହିଛନ୍ତି, ଏହା ଏକ ଟାର୍ଗେଟ କିଲିଂ। ହତ୍ୟା ପଛର କାରଣ ଏଯାଏ ସ୍ପଷ୍ଟ ହୋଇଛି। ବର୍ତ୍ତମାନ ଚିକିତ୍ସିତ ହେଉଥିବା ଡାକ୍ତର ବିରବଲଙ୍କ ସହଯୋଗୀ ମହିଳା ହିଁ ସବୁ କଥା କହିପାରିବେ। ସେ ଗୁଳିମାଡ଼ରେ ଆହତ ହୋଇଛନ୍ତି। ତାଙ୍କ ବୟାନ ପରେ ଅଧିକ ତଦନ୍ତ ହେବ ବୋଲି ସେ କହିଛନ୍ତି।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।