ନିର୍ବାଚନ ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା
ପରବର୍ତ୍ତୀ ସରକାର ଗଠନ ପାଇଁ ବାଂଲାଦେଶ(Bangladesh Election)ରେ ଆଜି ଚାଲିଛି ଭୋଟିଂ। ଗୋଟିଏ ପଟେ ଭୋଟିଂ ଚାଲିଥିବା ବେଳେ ଅନ୍ୟପଟେ ବାଂଲାଦେଶରେ ପୁଣି ଜଣେ ହିନ୍ଦୁ ଯୁବକଙ୍କ ମୃତଦେହ ମିଳିଛି। ମୌଲବୀ ବଜାର ଜିଲ୍ଲାରୁ ମିଳିଥିବା ୨୮ ବର୍ଷୀୟ ହିନ୍ଦୁ ଯୁବକଙ୍କ ଦେହରେ ରହିଛି ଏକାଧିକ କ୍ଷତଚିହ୍ନ। ମୃତକ ଜଣଙ୍କ ହେଲେ ରତନ ଶୁଭ କର। ସେ ଇସଲାମପୁର ୟୁନିୟନ ଅଧୀନରେ ଚାମ୍ପାରା ଚା’ ବଗିଚାରେ କାମ କରୁଥିଲେ। ରତନଙ୍କ ମୃତଦେହକୁ ପୁଲିସ୍ ଜବତ କରିଥିବା ବେଳେ ତାଙ୍କ ହାତ ଗୋଡ଼ ବନ୍ଧା ଯାଇଥିବା ଦେଖିବାକୁ ମିଳିଛି।
ଦିନ ପ୍ରାୟ ୧୦ଟା ବେଳେ ରତନଙ୍କ କ୍ଷତାକ୍ତ ମୃତଦେହକୁ ସ୍ଥାନୀୟ ଲୋକମାନେ ସେ କାମ କରୁଥିବା ଚା’ ବଗିଚାରେ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ପୁଲିସ୍କୁ ଖବର ଦେଇଥିଲେ। ସ୍ଥାନୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ରତନଙ୍କ ମୃତଦେହରେ ଥିବା କ୍ଷତଚିହ୍ନ ସ୍ପଷ୍ଟ ଭାବେ ଦେଖା ଯାଉଛି। ସେ ରକ୍ତାକ୍ତ ଅବସ୍ଥାରେ ପଡ଼ି ରହିଥିବା ବେଳେ ସ୍ଥାନୀୟ ଲୋକମାନେ ଏହାକୁ ଦେଖିଥିଲେ।
ତାଙ୍କର ଜଣେ ସାଥୀ ଶ୍ରମିକଙ୍କ କହିବା କଥା ଯେ ସମ୍ଭବତଃ ରତନଙ୍କୁ ଅନ୍ୟ ସ୍ଥାନରେ ହତ୍ୟା କରି ଏଠାରେ ଫିଙ୍ଗା ଯାଇଛି। ସେହିପରି ରତନଙ୍କ ହତ୍ୟା ଘଟଣା ନିର୍ବାଚନ ସହ ଲିଙ୍କ ଥିବା ଅଭିଯୋଗ ହୋଇଛି। କିନ୍ତୁ ଏସମ୍ପର୍କରେ କୌଣସି ପ୍ରମାଣ ମିଳିନି।
ରତନଙ୍କ ବଡ଼ ଭାଇ ଲକ୍ଷ୍ମଣ କରଙ୍କ କହିବା କଥା ଯେ ମଙ୍ଗଳବାର ରାତିରୁ ସେମାନେ ତାଙ୍କୁ ଖୋଜୁ ଥିଲେ। ଆଜି ସକାଳେ ରତନଙ୍କ ମୃତଦେହ ଚା’ ବଗିଚାରେ ପଡ଼ିଥିବା ସେମାନେ ଖବର ପାଇଥିଲେ। ଖବର ପାଇ ସେମାନେ ସେଠାରେ ପହଞ୍ଚିବା ସହ ମୃତଦେହକୁ ଚିହ୍ନଟ କରିଥିଲେ। ରତନକୁ କିଏ ଓ କାହିଁକି ମାରିଛି ବୋଲି ଲକ୍ଷ୍ମଣ ମଧ୍ୟ ପୁଲିସ୍କୁ ପ୍ରଶ୍ନ କରିଛନ୍ତି।
ପୁଲିସ୍ କହିଛି ଯେ ମୃତଦେହକୁ ଜବତ କରାଯିବା ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ସେହିପରି ଏପରି ହତ୍ୟାକାଣ୍ଡର ଲିଙ୍କ ନିର୍ବାଚନ ସହ ରହିଛି କି ନାହିଁ, ତା’ର ମଧ୍ୟ ତଦନ୍ତ ଚାଲିଛି। ଏଯାଏ କେଉଁ ପରିସ୍ଥିତିରେ ରତନଙ୍କ ମୃତ୍ୟୁ ହେଲା, ତା’ର ସୂଚନା ମିଳିନାହିଁ।
ଏହାପୂର୍ବରୁ ଅର୍ଥାତ ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ବାଂଲାଦେଶର ମୟମେନସିଂହ ଜିଲ୍ଲାରେ ଜଣେ ହିନ୍ଦୁ ବ୍ୟବସାୟୀଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଥିଲା। ସମାନ ଜିଲ୍ଲାରେ ବେଶ କିଛି ମାସ ପୂର୍ବରୁ ଦୀପୁ ଚନ୍ଦ୍ର ଦାସ ନାମକ ଜଣେ ଶ୍ରମିକଙ୍କୁ ମାଡ଼ ମରାଯିବା ସହ ଜୀବନ୍ତ ଜାଳି ଦିଆଯାଇଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/12/bangladesh-2026-02-12-13-05-37.jpg)